Latest Odisha News

BREAKING NEWS

କାହା ମଙ୍ଗଳ କରୁଥିଲେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ? ଭିଜିଲାନ୍ସ ରେଡ୍ ବେଳେ ମିଳିଲା କୋଟିଏ ଜମା

ଭୁବନେଶ୍ୱର: ମାଳ ମାଳ କୋଠା… ବିଡ଼ା ବିଡ଼ା ଟଙ୍କା…। ଏସବୁ ହେଉଛି ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଅମାପ ସମ୍ପତ୍ତି । ଜୟନ୍ତୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା ହୋଇ ଯାଇଛି । ଚର୍ଚ୍ଚା ହେଉଛି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଥିବା ବେଳେ ନିଜ ମଙ୍ଗଳରେ ବ୍ୟସ୍ତ ଥିଲେ ଜୟନ୍ତୀ ।

ଆଜି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଜୟନ୍ତୀଙ୍କ ଭୁବନେଶ୍ୱର, ବାଲେଶ୍ୱର ଓ ଭଦ୍ରକର ୧୧ଟି ସ୍ଥାନରେ ଏକକାଳୀନ ରେଡ୍ ହୋଇଛି । ଏବେ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ଥିବା ଜୟନ୍ତୀଙ୍କର ବାଲେଶ୍ୱରରେ ୩ଟି ବହୁତଳ କୋଠା ସହ ଭୁବନେଶ୍ୱରରେ ରହିଛି ୨ଟି ଫ୍ଲାଟ୍ । ୪ଟି ପ୍ଲଟ୍ ସହ ୧ କୋଟି ୪୦ ଲକ୍ଷ ଟଙ୍କାର ବ୍ୟାଙ୍କ, ଡାକ ଓ ବୀମା ଜମା ରହିଛି । ସେହିଭଳି ଜୟନ୍ତୀଙ୍କ ଘରୁ ଭିଜିଲାନ୍ସ ନଗଦ ୨ ଲକ୍ଷ ୭୯ ହଜାର ଟଙ୍କା ଜବତ କରିଛି ।

ବାଲେଶ୍ୱରର ଗଣେଶ୍ୱରପୁରରେ ଗୋଟିଏ ୩ ମହଲା ଘର ଥିବା ବେଳେ ଫିରିଙ୍ଗିପାଟଣାରେ ଆଉ ଏକ ୩ ମହଲା ଘର, ଗଣେଶ୍ୱରପୁରରେ ୨ ମହଲା କୋଠା, ଭୁବନେଶ୍ୱର ଗୌତମ ନଗର ରୋୟାଲ ରେସିଡେନ୍ସିରେ ୩ ବିଏଚକେ ଫ୍ଲାଟ, ପୁରୁଣା ଭୁବନେଶ୍ୱରରେ ଜୟନ୍ତୀଙ୍କ ରହିଛି ଆଉ ଏକ ୩ ବିଏଚକେ ଫ୍ଲାଟ ।

ଏତେ ସବୁ କୋଠା ଓ ଫ୍ଲାଟ୍ ସହ ବାଲେଶ୍ୱରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଜୟନ୍ତୀଙ୍କ ୪ଟି ପ୍ଲଟ୍ ରହିଛି । ଗୋଟିଏ କାର ସହ ଜୟନ୍ତୀଙ୍କ ପାଖରେ ରହିଛି ଗୋଟିଏ ୨ ଚକିଆ ଯାନ । ସର୍ଚ୍ଚ ବେଳେ ୨ କେଜିରୁ ଅଧିକ ରୂପା ଅଳଙ୍କାର ଜୟନ୍ତୀଙ୍କ ଘରୁ ମିଳିଥିବା ବେଳେ ଏବେ ବି ରେଡ୍ ଜାରି ରହିଛି । ଚଢ଼ାଉ ସରିବା ପରେ ହିଁ ସ୍ପଷ୍ଟ ହେବ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଥିବା ବେଳେ ନିଜର କେତେ ମଙ୍ଗଳ କରିଛନ୍ତି ଜୟନ୍ତୀ ।

Leave A Reply

Your email address will not be published.