Latest Odisha News

BREAKING NEWS

ଜାତୀୟ ପୁରସ୍କାର ପାଇଲା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଓଡ଼ିଶାର ‘ବ୍ଲୁଇସ୍’ ଆପ୍

ଭୁବନେଶ୍ବର : ଜାତୀୟ ପୁରସ୍କାର ପାଇଲା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଓଡ଼ିଶାର ‘ବ୍ଲୁଇସ୍’ ଆପ୍ । ହାଇଦ୍ରାବାଦରେ ଅନୁଷ୍ଠିତ ୨୪ତମ ଜାତୀୟ ଇ-ଗଭର୍ଣ୍ଣାନ୍ସ ସମ୍ମେଳନରେ କେନ୍ଦ୍ରୀୟ କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଓଡ଼ିଶାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ସଂଜୀବ ଚୋପ୍ରାଙ୍କ ସହିତ ଓରସାକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ ମଲ୍ଲିକ, ଓଡ଼ିଆ ଆଦର୍ଶ ବିଦ୍ୟାଳୟ ସଂଗଠନର ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ଓ ସାଧାରଣ ପ୍ରଶାସନ ବିଭାଗ ମାହାଲ ନିର୍ଦ୍ଦେଶକ ସୁଶାନ୍ତ କୁମାର ମହାନ୍ତି କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ରାଜଧାନୀ ଭୁବନେଶ୍ବରରେ ସରକାରୀ ଜମିର ସଠିକ୍ ଚିହ୍ନଟ ଓ ସୁରକ୍ଷା ପାଇଁ ଏହି ପ୍ରକଳ୍ପରେ ସାଟେଲାଇଟ୍ ଚିତ୍ର, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି । ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରୁ ମିଳିଥିବା ୮୯ଟି ଅଭିନବ ବୈଷୟିକ ପ୍ରକଳ୍ପ ମଧ୍ୟରେ ବ୍ଲୁଇସ୍ ଶ୍ରେଷ୍ଠ ବିବେଚିତ ହୋଇଥିଲା । ଏହି ସଫଳତା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସାଧାରଣ ପ୍ରଶାସନ ବିଭାଗ ଏବଂ ଓରସାକକୁ ସାଧୁବାଦ ଜଣାଇବା ସହ ଉତ୍ତମ ପ୍ରଶାସନ ଓ ସେବା ଯୋଗାଣରେ ଅଧିକରୁ ଅଧିକ ଅଭିନବ ବୈଷୟିକ କୌଶଳ ପ୍ରୟୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବ୍ଲୁଇସ୍ ଆପ୍ ବ୍ୟବସ୍ଥାକୁ ରାଜ୍ୟର ଅନ୍ୟ ପୌରନଗର ନିଗମରେ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ବ୍ଲୁଇସ୍ ଆପକୁ ଉଭୟ ନାଗରିକ ଓ ଅଧିକାରୀମାନେ ବ୍ୟବହାର କରିପାରିବେ । ବ୍ୟବହାର ମଧ୍ୟ ସହଜ ଓ ସରଳ । ବିଭିନ୍ନ ସ୍ଥାନରେ ଏହାକୁ ପ୍ରୟୋଗ କରିହେବ । ଏହି ଆପ୍ ବ୍ୟବହାର କରି ନାଗରିକମାନେ ସରକାରୀ ଜମିର ସନ୍ଦେହଜନକ ଜବର ଦଖଲ ଓ ଅପବ୍ୟବହାର ଆଦି ବିଷୟରେ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇପାରିବେ । ଓରସାକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବ୍ଲୁଇସ୍ ସଫ୍ଟଓ୍ବୟାରର ବିଭିନ୍ନ ବୈଷୟିକ ବିଶେଷତ୍ବ ବିଷୟରେ ସୂଚନା ଦେଇଥିଲେ ।

ଏହି ଆପ୍ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଅନ୍ତର୍ଗତ ୮୨୬ ଟି ଜବର ଦଖଲ ମାମଲା ଚିହ୍ନିତ ହୋଇଛି । ସେହିପରି ୪୮୪ ଟି ମାମଲାର ଫଇସଲା ହୋଇ ସରକାରୀ ଜମି ସୁରକ୍ଷିତ ରଖାଯାଇ ପାରିଛି । ଝାଡ଼ଖଣ୍ଡ ଏବଂ ଆସାମ ରାଜ୍ୟର ପ୍ରଶାସନ ରାଞ୍ଚି ଓ ଗୌହ୍ୱାଟିରେ ଏହି ସଫ୍ଟଓ୍ବୟାରର ପ୍ରୟୋଗ ପାଇଁ ଓଡ଼ିଶାର ସହଯୋଗ ଲୋଡିଛନ୍ତି ।

Leave A Reply

Your email address will not be published.