ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଭାଷାରେ ଥିଲେ ବି ବିଚ୍ୟୁତି
ତ୍ରୁଟି ଓ ବିଭିନ୍ନ ବିକୃତି
ସ୍ଥଗିତ ହୁଏନାହିଁ ଗତି
ବିଲୁପ୍ତ ହୁଏନାହିଁ ସ୍ଥିତି
ଭାଷାର ଏହି ମୁଖ୍ଯ ଗୁଣ
କରୁଛି ନିଶ୍ଚୟ ପ୍ରମାଣ
ଭାଷା ଚଳଇ ନିରଂତର
କ୍ଷତି ବି ହୁଏନି ତହିଁର
ଭାଷାର ବ୍ୟବହାରକାରୀ
ଦେଲେ ବି ନିୟମ ପାସୋରି
ଶୁଣି ଲୋକେ ପାରଂତି ବୁଝି
ଭାଷାଟି ରହଇ ବିରାଜି
ତ୍ରୁଟିକାରୀର ଅକ୍ଷମତା
ଯୋଗୁଁ ଭାଷାର ମୂଳ ସତ୍ତା
କେବେ ତ ଯାଏନି ଦୋହଲି
ଅଲୋଡ଼ା ବିବାଦ ଓ କଳି
ଯେ ଯାହା ଯେମିତି କହିଲେ
ତହିଁରେ ଭାବନା ରହିଲେ
ବିଷୟ ହୁଏ ପ୍ରସାରିତ
ଭାଷାର ରୂପ ତ ବହୁତ
ଯାହା ବି ଶୁଣିଥାଏ ଜଣେ
ତାହାକୁ ଘାଂଟି ନିଜ ମନେ
ନିଜ ଢଂଗରେ ଉଚ୍ଚାରଣ
କରେ ଓ ରଖେ ଭାଷା ପ୍ରାଣ
କେବେ ବି ଲୋକ ଦୁଇ ଜଣ
ନୁହଂତି ସଂପୂର୍ଣ ସମାନ
ତେଣୁ ତାଂକର ଉଚ୍ଚାରଣ
ପରସ୍ପରଠୁଁ ହୁଏ ଭିନ୍ନ
ରୀତି, ନିୟମ ପରାୟଣ
ଭାଷାର ଜ୍ଞାନୀ, ଗୁଣୀ ଜନ
ଚାହିଁଲେ ସୁଦ୍ଧା ସମାନତା
ହୁଏନି କେବେ ବାସ୍ତବତା
ଭିନ୍ନତା କରିଲେ ସ୍ବୀକାର
ଭାଷାଟେ ହୁଏ ଅଗ୍ରସର
ସ୍ଥିତିକୁ କରିଲେ ବିରୋଧ
ହୁଏ ଭାଷାର ଗତିରୋଧ