ନୂଆଦିଲ୍ଲୀ: ସୋମବାର ଦିନ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଦେଖାଦେଇଛି। ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଡିଲ୍ ସୂଚନା ପରେ ବିଶ୍ୱ ସ୍ତରରେ ତୈଳ ମୂଲ୍ୟ ହ୍ରାସ ପାଇଛି।
ବ୍ରେଣ୍ଟ ଅଶୋଧିତ ତୈଳ ପ୍ରାୟ ୪% ହ୍ରାସ ପାଇ ବ୍ୟାରେଲ ପ୍ରତି $83.96 ରେ ପହଞ୍ଚିଛି। ଯେତେବେଳେ କି ଆମେରିକା ଅଶୋଧିତ ତୈଳ (WTI) ମଧ୍ୟ ପ୍ରତି ବ୍ୟାରେଲ ପ୍ରତି $80.25 ରେ ପହଞ୍ଚିଛି।
ଗତ କିଛି ମାସ ଧରି ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ତୈଳ ବଜାରରେ ଚିନ୍ତାର କାରଣ ଥିଲା। ନିବେଶକମାନେ ଆଶଙ୍କା କରୁଥିଲେ ଯେ ଉତ୍ତେଜନା ବୃଦ୍ଧି ପାଇବା ଦ୍ୱାରା ତୈଳ ଯୋଗାଣ ପ୍ରଭାବିତ ହୋଇପାରେ। ତଥାପି ଦୁଇ ଦେଶ ମଧ୍ୟରେ ଚୁକ୍ତିନାମା ଖବର ବଜାରକୁ ଆଶ୍ୱସ୍ତି ଆଣିଛି।
ଅପରପକ୍ଷରେ ହରମୁଜ୍ ପ୍ରଣାଳୀକୁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ମାର୍ଗ ଭାବରେ ବିବେଚନା କରାଯାଏ, ଯାହା ବିଶ୍ୱ ତୈଳ ଯୋଗାଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବହନ କରେ। ଏହି ଚୁକ୍ତିନାମା ପରେ ତେଲ ଯୋଗାଣ ଚିନ୍ତାକୁ ଦୂର ହେବା ସହ ଏହା ପୁନଃଖୋଲିବାର ଆଶା ସୃଷ୍ଟି କରିଛି।
ରାଷ୍ଟ୍ରପତି ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ରେ ଏକ ପୋଷ୍ଟ କରି ଇରାନ ସହ ଚୁକ୍ତି ପ୍ରକ୍ରିୟା ଶେଷ ହୋଇଥିବା ସୂଚନା ଦେଇଛନ୍ତି। ଏଥି ସହିତ ସେ ଏହି ପ୍ରକ୍ରିୟାରେ ସାମିଲ ଥିବା ସମସ୍ତ ପକ୍ଷକୁ ଶୁଭେଚ୍ଛା ଜଣାଇଛନ୍ତି। ବିନା କୌଣସି ଟିକସରେ ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ରୂପେ ଖୋଲିବାକୁ ସେ ଅନୁମତି ଦେଇଛନ୍ତି। ଏହାଦ୍ୱାରା ଆନ୍ତର୍ଜାତୀୟ ବଜାରକୁ ପୁଣିଥରେ ତେଲ ଯୋଗାଣ ସ୍ୱାଭାବିକ ହୋଇପାରିବ।
