Latest Odisha News

BREAKING NEWS

ବିଜୁଙ୍କ ଜୟନ୍ତୀରେ ଦିଲୀପ ରାୟ ମାରିଲେ ତେରେଛା ବାଣ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଜି ସାରା ଓଡ଼ିଶା ମନେ ପକାଉଛି । ବିଜୁଙ୍କ ସହ ସମୟ ଅତିବାହିତ କରିଥିବା ଲୋକେ ବିଜୁ ପଟ୍ଟନାୟକଙ୍କ ଗୁଣଗାନ କରୁଛନ୍ତି । ଆଜି ବିଜୁ ଜନ୍ମ ଜୟନ୍ତୀରେ ବିଜୁବାବୁଙ୍କ କଥା ମନେ ପକାଇ ତେରେଚ୍ଛା ତୀର ମାରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ  ଫେସବୁକ ପୋଷ୍ଟରେ ଦିଲୀପ ଲେଖିଛନ୍ତି,

‘ଜଣେ ରାଜନେତା ଆଗାମୀ ନିର୍ବାଚନ ବିଷୟରେ ଭାବେ ଯେତେବେଳେ କି ଜଣେ ଜନନାୟକ ଆଗାମୀ ପିଢ଼ି କଥା ଚିନ୍ତା କରେ ।’

ଏଭଳି ଲେଖି ସରକାର ଓ ସାଶକ ଦଳ କିଭଳି ନିର୍ବାଚନକୁ ନେଇ ବ୍ୟତିବ୍ୟସ୍ତ ସେ କଥା କହିଛନ୍ତି ଦିଲୀପ ରାୟ । ୧୯୯୫ ନିର୍ବାଚନ ସମୟରେ ବିଜୁ ବାବୁଙ୍କୁ ଦିଲୀପ କିଛି ମାଗଣା ଘୋଷଣା (Freebies) ପାଇଁ ବିଜୁବାବୁଙ୍କୁ ପରାମର୍ଶ ଦେଇଥିଲେ । କିନ୍ତୁ ସେତେବେଳେ ତାହାକୁ ବିଜୁବାବୁ ତତକ୍ଷଣାତ ପ୍ରତ୍ୟାଖ୍ୟାନ କରିଥିଲେ ବୋଲି ଲେଖିଛନ୍ତି ଦିଲୀପ ରାୟ ।

ଯାହାକୁ ନେଇ ଦିଲୀପଙ୍କୁ ବିଜୁ ବାବୁ କହିଥିଲେ, ‘ଦିଲୀପ ଜଣେ ରାଷ୍ଟ୍ରନାୟକ ଭାବେ ଆଚରଣ କର ରାଜନେତା ଭାବେ ନୁହେଁ ।’ ଏକଥା କହିବା ସହ ରାଜନେତା ଓ ରାଷ୍ଟ୍ରନାୟକଙ୍କ ମଧ୍ୟରେ ଥିବା ସାମଞ୍ଜସ୍ୟକୁ ଦିଲୀପ ରାୟଙ୍କୁ ବୁଝାଇଥିଲେ ବିଜୁବାବୁ ।

ଆଜି ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ସେ ସବୁ କଥାକୁ ମନେ ପକାଇଛନ୍ତି ଦିଲୀପ ରାୟ । ଯଦିଓ ବିଜୁଙ୍କ ନାମରେ ପ୍ରତିଷ୍ଠା ହୋଇଥିବା ବିଜେଡିରେ ଏବେ ଦିଲୀପ ନାହାନ୍ତି । ତଥାପି ବିଜୁବାବୁଙ୍କୁ ମନେ ପକାଇ କହିଛନ୍ତି, ରାଜନେତା ଆସିବେ, ଅନେକ ଏକାଧିକ ପାଳି ନିର୍ବାଚନ ଜିତିବେ । କିନ୍ତୁ ଜଣେ ହିଁ ରାଷ୍ଟ୍ର ନାୟକ ଜନମାନସରେ ବଞ୍ଚି ରହିବେ, ଅନ୍ୟମାନେ ହଜିଯିବେ ।

ଏବେକାର ସମୟରେ ରାଜନୀତିରେ ବିଜୟ ସର୍ବସ୍ୱ । ବିଜୁବାବୁଙ୍କ ନୀତି, ଆଦର୍ଶ ଅନେକ ନେତାଙ୍କୁ ଅନୁପ୍ରାଣିତ କରେ । ଏବେ ବି ସମୟ ଅଛି ବିଜୁବାବୁଙ୍କ କଥାକୁ ସମାଜରେ ଗ୍ରହଣ କରି ଆମେ ରାଜ୍ୟ ଓ ଦେଶରେ ପୂର୍ବ ଗୌରବକୁ ଉଜ୍ଜୀବିତ କରି ପାରିବା । ଯାହାକି ପ୍ରକୃତରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ହେବ ।

ଆଜି ବି ଓଡ଼ିଶା ସେହି ଡେଙ୍ଗା ମଣିଷଙ୍କୁ ଝୁରି ହେଉଛି । ମୁଁ ତାଙ୍କ ଅବର୍ତ୍ତମାନକୁ କେବେ ଗ୍ରହଣ କରିପାରୁ ନାହିଁ । ପ୍ରତି ମାର୍ଚ୍ଚ ୫ ତାରିଖ ସକାଳ ୬ଟା ହେଲେ ବିଜୁ ବାବୁଙ୍କ ହସ ହସ ମୁହଁ ମନେ ପଡ଼ୁଛି ବୋଲି ଲେଖିଛନ୍ତି ଦିଲୀପ ରାୟ ।

ସେହିଭଳି ବିଜେଡି ଛାଡ଼ି ବିଜେପିରେ ମିଶିଥିବା ବୈଜୟନ୍ତ ପଣ୍ଡା ମଧ୍ୟ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବିଜୁବାବୁଙ୍କ ଫଟୋରେ ପୁଷ୍ପ ଅର୍ପଣ କରି ବୈଜୟନ୍ତ ଲେଖିଛନ୍ତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଅଦ୍ୱିତୀୟ ଜନନେତା, ସୁପ୍ରସିଦ୍ଧ ଶିଳ୍ପପତି, ଦୁଃସାହସୀ ପାଇଲଟ, ଉଚ୍ଚକୋଟୀର ରାଜନେତା, ରାଷ୍ଟ୍ରପ୍ରେମୀ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ତାଙ୍କ ମାର୍ଗଦର୍ଶନ ଓ ଶିକ୍ଷା ମୋ ପାଇଁ ସର୍ବଦା ପ୍ରେରଣାଦାୟୀ ହୋଇ ରହିବ ।

ଉଭୟ ଦିଲୀପ ରାୟ ଓ ବୈଜୟନ୍ତ ପଣ୍ଡା ଥିଲେ ବିଜୁବାବୁଙ୍କ ଅତ୍ୟନ୍ତ ଘନିଷ୍ଠ । ବିଜୁ ଜନତା ଦଳ ଗଠନରେ ଥିଲା ବି ଉଭୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା । ସମୟର ଚକ୍ରବ୍ୟୁହରେ ବୈଜୟନ୍ତ ଓ ଦିଲୀପ ବିଜେଡି ଛାଡ଼ିଥିଲେ । ବୈଜୟନ୍ତ ଏବେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଥିବା ବେଳେ ଦିଲୀପ ବିଜେପି ଛାଡ଼ି ଏବେ ରାଜନୀତିରୁ ଏକପ୍ରକାର ଦୂରେଇ ରହିଛନ୍ତି । କିନ୍ତୁ ତାଙ୍କ ମତ ମନ୍ତବ୍ୟ ଇସାରା କରୁଛି ନିର୍ବାଚନ ରାଜନୀତିକୁ ସେ ପୁଣି ଫେରି ପାରନ୍ତି ।

Leave A Reply

Your email address will not be published.