Latest Odisha News

BREAKING NEWS

ଭାଙ୍ଗିଥିଲେ ଗୋଟିଏ, ନିର୍ମାଣ କଲେଣି ୯୦ ମସଜିଦ୍

ଭୁବନେଶ୍ୱର: ଦିନେ ସେ ସାଜିଥିଲେ ବିଶ୍ୱ ହିନ୍ଦୁ ପରିଷଦର ଦୃଢ ସମର୍ଥକ । ଭାଙ୍ଗିଥିଲେ ବାବ୍ରି ମସଜିଦ୍ । ଏଠି ଆମେ ହରିୟାଣା ବାସିନ୍ଦା ବଲବୀର ସିଂଙ୍କ କଥା ଉଲ୍ଲେଖ କରିଛୁ । ହେଲେ ଆଜି ବଲବୀର ସାଜିଛନ୍ତି ଇସଲାମ ଧର୍ମର ପ୍ରଚାରକ ତଥା ସମର୍ଥକ । ନୂଆ ପରିଚୟ ମହମ୍ମଦ ଆମିର ଭାବେ ସେ ନିର୍ମାଣ କରିଚାଲିଛନ୍ତି ଗୋଟିଏ ପରେ ଗୋଟିଏ ମସଜିଦ୍ ।

ପାନିପଥ୍‌ରେ ଜନ୍ମିଥିବା ବଲବୀର ସିଂ ବାଲା ସାହେବ ଠାକ୍‌ରେଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଶିବସେନାରେ ଯୋଗଦେଇଥିଲେ । ଡିସେମ୍ବର ୬, ୧୯୯୨ରେ ବଲୀବର ନିଜ ବନ୍ଧୁ ଯୋଗେନ୍ଦ୍ର ପାଲ ସହ ମିଶି ରାମ ମନ୍ଦିର ନିର୍ମାଣ କରିବା ପାଇଁ ବାବ୍ରି ମସଜିଦ୍ ଭାଙ୍ଗିଥିଲେ । ବଲବୀରଙ୍କ ଅନୁଯାୟୀ ପ୍ରଥମ ବ୍ୟକ୍ତି ଭାବେ ସେ ମସଜିଦର ଗମ୍ବୁଜ ନିକଟରେ ପହଂଚିଥିଲେ । ମସଜିଦ୍ ଭଙ୍ଗା ଘଟଣା ପରେ ସେ ନିଜ ଘରକୁ ଫେରିଥିଲେ । ସେଠାରେ ତାଙ୍କୁ ମିଳିଥିଲା ଭବ୍ୟ ସମ୍ଭର୍ଦ୍ଧନା । ହେଲେ ବଲବୀରଙ୍କ ପରିବାର ଲୋକେ କିନ୍ତୁ ମସଜିଦ ଭଙ୍ଗା ଘଟଣାକୁ ନିନ୍ଦା କରିଥିଲେ ।

ପରିବାର ଲୋକଙ୍କ ନିନ୍ଦା, ଇସଲାମକୁ ଅପମାନ ଓ ନିଜେ ଭୁଲ କରିଥିବା ଭାବି ବଲବୀର ଇସଲାମ ଧର୍ମର ଆଶ୍ରୟ ନେଇଥିଲେ । କେବଳ ବଲବୀର ନୁହେଁ ବରଂ ତାଙ୍କ ବନ୍ଧୁ ଯୋଗେନ୍ଦ୍ର ପାଲ୍ ବି ଇସଲାମ ଧର୍ମ ଗ୍ରହଣ କରି ନିଜକୁ ମହମ୍ମଦ ଉମର୍ ଭାବେ ନାମିତ କରିଥିଲେ ।

ସେବେଠୁ ପଶ୍ଚାତାପ ସ୍ୱରୂପ ଉଭୟ ମହମ୍ମଦ ଆମିର ଓ ମହମ୍ମଦ ଉମର୍ ୧୦୦ଟି ମସଜିଦ୍ ନିର୍ମାଣ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ । ଜାଣି ଆଶ୍ଚର୍ଯ୍ୟ ହେବେ ଏ ପର୍ଯ୍ୟନ୍ତ ଦୁହେଁ ମିଳିତ ଭାବେ ୯୦ଟି ମସଜିଦ ନିର୍ମାଣ କରିସାରିଲେba । ମୁସଲମାନ ବିରୋଧୀ ମାନସିକତାରେ ବଶବର୍ତ୍ତୀ ହୋଇ ବଲବୀର ଓରଫ ଆମିର ପ୍ରଥମ ବ୍ୟକ୍ତି ଭାବେ ଏକ ହାତୁଡିରେ ବାବ୍ରି ମସଜିଦର ଗମ୍ବୁଜ ଉପରେ ପ୍ରହାର କରିଥିଲେ । ଅନ୍ୟପଟେ ପଶ୍ଚାତାପ ସ୍ୱରୂପ ତାଙ୍କ ମସଜିଦ ନିର୍ମାଣ କର୍ମକୁ ବିଭିନ୍ନ ମହଲରୁ ମିଳିଛି ମିଶ୍ରିତ ପ୍ରତିକ୍ରିୟା ।

Leave A Reply

Your email address will not be published.