ନକଲି ନେତା : ନିରୀହ ଜନତା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ଭାରତବର୍ଷର ରାଜନୀତିରେ ଆଜି ସତ୍ୟ ନାହିଁ, ସୌନ୍ଦର୍ଯ୍ୟ ନାହିଁ, ସୌରଭ ନାହିଁ – ନାହିଁ ଆଦର୍ଶ, ନାହିଁ ମୂଲ୍ୟବୋଧ । ସ୍ୱାଧୀନତା ପରବର୍ତୀ ପର୍ଯ୍ୟାୟରେ ରାଜନୀତି ହୋଇପଡିଛି ବୈଶ୍ୟ ବୃତି । ଯାହା ଥିଲା ଦିନେ ବ୍ରତ, ତାହା ଏବେ ହୋଇପଡିଛି ବୃତି । ନେତୃତ୍ୱ କହିଲେ ଆମ ଆଖି ଆଗରେ ଯେଉଁ ବ୍ୟକ୍ତିତ୍ୱର ଝଲକ ଝଟକିଉଠେ, ଯେଉଁ ଭାବଭୂର୍ତି ଫୁଟିଉଠେ – ସେ ନେତୃତ୍ୱ ଆଜିର ରାଜନୀତିରେ ଖୋଜି ପାଇବା କାଠିକର ପାଠ । ବରଂ ନକଲି ନେତୃତ୍ୱ ନିୟନ୍ତ୍ରଣାଧୀନ ସାଂପ୍ରତିକ ଭାରତୀୟ ରାଜନୀତି । ଏ ରାଜନୀତି ରକ୍ତପାତର ରାଜନୀତି, ଗୁଣ୍ଡାଗର୍ଦ୍ଦିର ରାଜନୀତି, କଳାଟଙ୍କାର ରାଜନୀତି, ନୀତିନୈତିକତାହୀନ ଶଠ-ଶେଠମାନଙ୍କର ରାଜନୀତି । ଏ ରାଜନୀତି ଜନସାଧାରଣଙ୍କୁ ଭୁଲାଏ, ଭଣ୍ଡାଏ, ଭୂଆଁ ବୁଲାଏ ବରାବର । ଏ ରାଜନୀତି ସ୍ୱବିରୋଧର ରାଜନୀତି – ଯେଉଁଠି ଗରିବକୁ ଭତା ନ ମିଳୁ ପଛେ ଧନୀକୁ ମିଳେ ନିଶ୍ଚିତ ନିରାପତା-ମୂଲିଆକୁ ମଜୁରି ନ ମିଳୁ ପଛେ ମୁନାଫାଖୋର୍ କଳାବଜାରୀକୁ ମିଳେ ନିରଙ୍କୁଶ ମର୍ଯ୍ୟାଦା ! ଭାରତବର୍ଷର ରାଜନୀତି ଆଜି ନକଲି ନେତା ଏବଂ ନିଷ୍ଠୁର ବଣିକବର୍ଗଙ୍କର ଗୋଟାଏ ଅସାଧୁ ମେଂଟ୍ !

ଭାରତୀୟ ରାଜନୀତିରେ ଏକ ସମାନ୍ତରାଳ ଗଣତାନ୍ତ୍ରିକ ବିରୋଧୀ ଧାରାର ପରୀକ୍ଷା ନିରୀକ୍ଷା ବ୍ୟର୍ଥ ସାବ୍ୟସ୍ତ ହୋଇଆସିଛି ବରାବର । ଏଠି ବହୁ ଦଳ, ବହୁ ଧ୍ୱଜା, ବହୁ ଧ୍ୱନି – ଅଜସ୍ର ଚିହ୍ନ ବା ପ୍ରତୀକ – କିନ୍ତୁ ନିରେଖି ଦେଖିଲେ ପରସ୍ପର ସହିତ ଲଢାଲଢି ହେଉଥିବା ଏସବୁ ଦଳର ଚରିତ୍ର ସଂପୂର୍ଣ୍ଣ ସମାନ । ବିଭିନ୍ନ ସାଇନ୍‌-ବୋର୍ଡ ଝୁଲାଇ ରାଜୀନତିର ଗୋଟାଏ ବିରାଟ ବଜାର ବିଛାଇ ବସିଛନ୍ତି କ୍ଷମତା-ଦଲାଲ୍‌ମାନେ-ସମଗ୍ର ଭାରତବର୍ଷରେ ଚାଲିଛି କିଣାବିକାର ରାଜନୀତି, ଦୋକାନଦାରିର ରାଜନୀତି, ଚାନ୍ଦା ଭେଦାର ରାଜନୀତି, ଗୋଲକ ଧନ୍ଦାର ରାଜନୀତି । ଆଜି ଯିଏ ଶାସକ ଦଳରେ, କାଲି ତାକୁ ଦେଖିବାକୁ ମିଳୁଛି ବିରୋଧୀ ଦଳରେ – ଆଜି ଯିଏ ବିରୋଧୀ ଶିବିରରେ ଥାଇ ବଦ୍ଧମୁଷ୍ଟି ଉତୋଳନ କରୁଛି, କାଲି ସିଏ ହାତ ମିଳାଉଛି ଶାସକ ଦଳର କାର୍ପଟ୍‌ଦାରମାନଙ୍କ ସହିତ । ଯେହେତୁ କୌଣସି ନିର୍ଦ୍ଦିଷ୍ଟ ଆଦର୍ଶ ନାହିଁ, ନିର୍ଦ୍ଧାରିତ ଦର୍ଶନ ବା ଦୃଷ୍ଟିଭଙ୍ଗୀ ନାହିଁ – ସେଇଥିପାଇଁ ଭାରତବର୍ଷର ଗଣତନ୍ତ୍ରରେ ବାରମ୍ବାର ପ୍ରତ୍ୟକ୍ଷ କରିବାକୁ ପଡୁଛି ଏ ପ୍ରହସନର ପର୍ବ ! ଦଳବଦଳର ଦୃଷ୍ଟାନ୍ତ ସବୁ ଭାରତୀୟ ରାଜନୀତିରେ ଅତି ମାମୁଲି ଘଟଣା । କାହାକୁ ବିଶ୍ୱାସ କରିବା ? କାହା କଥାକୁ ବେଦର ଗାର ଭଳି ଗ୍ରହଣ କରିନେବା ? ନା, ଆଜିର ଭାରତୀୟ ମୂଳଦୁଆ ଛିଡା ହୋଇଛି ଗୋଟାଏ ବିରାଟ ବିଶ୍ୱାସଭଙ୍ଗ ଉପରେ !ରାଜନେତାମାନେ ବିଶ୍ୱାସଘାତକତା କରୁଛନ୍ତି ଜନଗଣଙ୍କ ପ୍ରତି, ରାଜନୈତିକ ଦଳମାନେ ଆଖିଠାର ମାରୁଛନ୍ତି ତମାମ୍ ଦେଶକୁ । ଯିଏ ଯେତେ ବେଶି ଦୁର୍ନୀତି କରି ଧନ ଠୁଳ କଲା, ସିଏ ବୋଲାଇଲା ସେତେବଡ ଛାମୁନେତା- ଯିଏ ଯେତେ ବେଶି ଗୁଣ୍ଡା ପୋଷି କାରିଲା, ସିଏ ହେଲା ସେତେବଡ କରିତ୍‌କର୍ମୀ । ଏଇ ହେଉଛି ଆଜିର ହାଲ୍‌ଚାଲ୍ ।

ପ୍ରିୟ ବନ୍ଧୁଗଣ, ଆପଣମାନେ ଲକ୍ଷ୍ୟ କରନ୍ତୁ – ଏ ରାଜନୀତି କାହାର ? ଏ ନେତାସବୁ କାହାର ? ଏ ଶାସନ ଓ ପ୍ରଶାସନ କାହାର ? ଆପଣମାନେ ଏ ପ୍ରଶ୍ନ ବାରମ୍ବାର ପଚାରନ୍ତୁ ସେମାନଙ୍କୁ – ଯେଉଁମାନେ କେବଳ ନିର୍ବାଚନ ବେଳେ ଆସି ମୁହଁ ଦେଖାନ୍ତି ଆପଣମାନଙ୍କୁ ଦୁଆରେ – ବଡ ବଡ କଥା କହନ୍ତି, ଭାଷଣବାଜି କରନ୍ତି, ମିଥ୍ୟ ଶପଥପାଠ କରନ୍ତି ବିନା ସଂକୋଚରେ । ଆମେ କ’ଣ ସେମାନଙ୍କ ବରଦାସ୍ତ କରିଚାଲିଥିବା ଏମିତି ସବୁଦିନେ ? ନିଜେ ଭୁଖା ରହି ମାନି ନେଉଥିବା ସେମାନଙ୍କ କପଟପସାକୁ ? ମୁଖା ଖସାଇବା ନାହିଁ ସେମାନଙ୍କ ମୁହଁରୁ ?

ଯେଉଁମାନେ ଶୀତତାପ ନିୟନ୍ତ୍ରିତ କକ୍ଷରେ ବସି ଯୋଜନାର ଜାଲ ବୁଣନ୍ତି, ଯେଉଁମାନେ ସୌଖିନ ଡ୍ରଇଂରୁମ୍‌ର ରେଶମୀ ପର୍ଦ୍ଦା ଅନ୍ତରାଳରେ ଥାଇ ବୌଦ୍ଧିକ ସଂଳାପ ଶୁଣାନ୍ତି, ଯେଉଁମାନେ ମାର୍ବଲ ମହଲର କାଠ-କୋଠରୀରେ ଶୋଇ ହିସାବଫର୍ଦ୍ଦ ପଢନ୍ତି, ଯେଉଁମାନେ ନିଭୃତ ମନ୍ତ୍ରଣାକକ୍ଷରେ ରାଜନୀତିର ରୂପରେଖ ବଦଳାଇବାର ମସୁଧା କରନ୍ତି – ସେମାନେ ଲିଭାଇବେ ନାହିଁ ଏ ନିଆଁ । ଏ ନିଆଁ ଲିଭାଇବେ ଆପଣମାନେ । ଜନଜାଗରଣର ଏକ ନୂତନ ଅଧ୍ୟାୟ ଉନ୍ମୋଚିତ ହେଲେ ହିଁ ଭାରତବର୍ଷର ଭାଗ୍ୟ ବଦଳିବ – ଭବିଷ୍ୟତ ବଦଳିବ – ବ୍ୟବସ୍ଥା ବଦଳିବ – ବଦଳିବ ଏ ଉତପ୍ତ ଅବସ୍ଥା ।

ଆଜି ଭାରତବର୍ଷର ଦିଗନ୍ତରେ ଘନୀଭୂତ ଅନ୍ଧକାର ରାତ୍ରି । ଯେଉଁଠି ଚାହିଁଲେ ବି କେବଳ ଗଦାଗଦା ନୈରାଶ୍ୟ, ଆତଙ୍କର ଅପଚ୍ଛାୟା, ସ୍ୱପ୍ନଭଙ୍ଗର କରୁଣ କ୍ରନ୍ଦନ ! ଅସୁସ୍ଥ ରାଜନୀତି, ଦୁଃସ୍ଥ ଅର୍ଥନୀତି ପଙ୍ଗୁ କରିଦେଇଛି ଭାରତୀୟ ସମାଜ ବ୍ୟବସ୍ଥାକୁ । ଆମେ ସୀମାନ୍ତର ଶତ୍ରୁମାନଙ୍କୁ ସାମ୍ନା କରିପାରିଛୁ, ମାତ୍ର ଅନ୍ତରାଳର ଅରାତିମାନଙ୍କୁ ଚିହ୍ନି ବି ପାରିଲୁନାହିଁ ଏଯାବତ୍ – ଅସତ୍ ରାଜନେତା ଏବଂ ଅସାଧୁ ପୁଞ୍ଜିପତିମାନଙ୍କର ଅଶୁଭ ମୈତ୍ରୀ ଅଣନିଃଶ୍ୱାସୀ କରିସାରିଛି ଭାରତବର୍ଷକୁ – ଜନପ୍ରତିନିଧି ଭାବରେ ଆମେ ଯେଉଁମାନଙ୍କୁ ପଠାଉଛି ପାର୍ଲାମେଂଟକୁ, ସେମାନଙ୍କ ମଧ୍ୟରୁ ଅଧିକାଠଶ ଏଇ ପୁଞ୍ଜିପତିମାନଙ୍କର ପୁତଳିକା ପାଲଟୁଛନ୍ତି ସେଠି । ପ୍ରତିବାଦର ପରମ୍ପରାରେ ଘୁଣ ଧରୁଛି, ରାଜନୀତି ପାଲଟୁଛି ବଚସ୍ମର ଓ ବଶମ୍ବଦମାନଙ୍କର ସୁବିଧାବାଦୀ ରଣନୀତି !

ଆମ ଶାସନର ଆସନରେ ଏଯାବତ୍ କେବଳ ଜାରୀ ରହିଛି ନକଲି ନେତୃତ୍ୱର ନବାବୀରାଜ । ନୀରୀହ ଜନଗଣଙ୍କ ନିଷ୍ଠା ଓ ପତିଆରାକୁ ପୃଷ୍ଠଦେଶରୁ ଯେଉଁ ଚତୁର ଛୁରିକାଘାତର ପର୍ବ ଆରମ୍ଭ ହୋଇଛି, ତାର ଅନ୍ତ ପାଇଁ ଯେଉଁମାନେ ସ୍ୱର ଉତୋଳନ କରୁଛନ୍ତି, ସେମାନଙ୍କୁ ଆଖିପିଛୁଳାକେ ଖତମ କରିଦେବାର ଜଘନ୍ୟ ଉଦ୍ୟମ ଆଜି ବି ପରିଲକ୍ଷିତ ହେଉଛି । ଆଜି ବି ଅସଲ ନେତୃତ୍ୱ ଅସହାୟ ଅଭିମନ୍ୟୁ ପରି ରାଜନୀତିର ରଣାଙ୍ଗନରେ ଏଇ ତଥାକଥିତ ରଥୀ ମହାରଥୀମାନଙ୍କ ରଚିତ ଚଂଚକତାପୂର୍ଣ୍ଣ ଚକ୍ରବ୍ୟୁହର ଚକ୍ରାନ୍ତ ମଧ୍ୟରେ ବାଟ ଖୋଜି ପାଉନି ।

ଦୁର୍ନୀତିକୁ ବର୍ତମାନ କରିଦିଆଗଲାଣି ଜାତୀୟକରଣ । ଦୁର୍ନୀତିର ଦୁର୍ଦ୍ଦାନ୍ତ ଦୁର୍ଗନାୟକମାନେ ଆଉ କେତେ କାଳ ଭାରତକୁ ନିଜର ଜାଗିର ବା ଜମିଦାରୀ କରି ରଖିବେ ? ଯେଉଁ ଭୂଇଁରେ ନିର୍ଭୟରେ ନାରୀ ଆଜି ବାଟ ବି ଚାଲିପାରେ ନାହିଁ – ମେହେନତୀ ମଣିଷ ତା ‘ନ୍ୟାଯ୍ୟ ମର୍ଯ୍ୟାଦା’ ପାଇପାରେ ନାହିଁ – ବଂଚିତ ଓ ପ୍ରବଚିଂତ ବର୍ଗ ପ୍ରାଣପଣ କରି ସୁଦ୍ଧା ସଠିକ ନ୍ୟାୟ ହାସଲ କରିପାରେ ନାହିଁ, ସେ ଭୂଇଁରେ ବିପ୍ଲବର ବିହନ ବୁଣିବା ପାଇଁ ଅସଲ ମଣିଷମାନେ ଜୀବନକୁ ବାଜି ଲଗାଇ ମିଳିତ ହେବା ଦରକାର । ଯାହା ଚାଲିଛି ସେଇ ସ୍ରୋତରେ ସୁବିଧାରେ ଭାସିବା ପାଇଁ କିଛି ଦଳ ଲୋକ ପ୍ରତିଯୋଗିତା କରୁଛନ୍ତି । ଦଳେ ଅନେଇଛନ୍ତି ତାଙ୍କ ଭାଗ୍ୟରେ କେବେ ଶିକା ଛିଣ୍ଡିବ ? ସଂଗ୍ରାମୀ ସଚ୍ଚାଦଳ ବୋଲି ନିଜ ଡେଙ୍ଗୁରାକୁ ନିଜେ ପିଟୁଥିବା ଲୋକ କେତେଜଣ ହାଲିଆ ହୋଇଗଲେଣି । ତାଙ୍କ ଡେଙ୍ଗୁରା ବି ଫୁଟିଗଲାଣି । ସେ ଡେଙ୍ଗୁରାର ଶଦ୍ଦ ବିକଟାଳ ହୋଇଗଲାଣି । ଏମାନେ ପରସ୍ପରକୁ ଟାହିଟାପରା କରିବାରେ, କାଦୁଅ ଫୋପାଡିବାରେ ସମୟ ନଷ୍ଟ କରୁଛନ୍ତି ।

ଏହିସବୁ ଦଳମାନଙ୍କର ତାମସା ଓ ତାଣ୍ଡବ ନୃତ୍ୟ ଦେଖି ଗାଁ ଗଣ୍ଡା ସହର ବଜାରରେ ଥିବା ସଂଖ୍ୟାଧିକ ଲୋକଙ୍କ ମନରେ ପ୍ରବଳ ବିତୃଷ୍ଣା, ଘୃଣା ଓ ହତାଶାଭାବ । ସେମାନେ କୌଣସି ଦଳ ବା ନେତାଙ୍କୁ ବିଶ୍ୱାସ କରୁନାହାଁନ୍ତି । ସେମାନେ ବିକଳ୍ପ ଖୋଜୁଛନ୍ତି । ଯୁଆଡକୁ ଅନଉଛନ୍ତି – ଯାହାକୁ ଦେଖୁଛନ୍ତି – ସବୁ ଏକାଭାଡିର ପାରା ଭଳି ଦେଖା ଯାଉଛନ୍ତି । ସେମାନେ ବିକଳ ହୋଇ ଖୋଜୁଛନ୍ତି, କିଏ ବାହାରନ୍ତା କି ? ପାପୀ ଭଣ୍ଡ ପ୍ରତାରକମାନଙ୍କୁ ସାବାଡ କରନ୍ତା, ମଣିଷ ଶାନ୍ତିରେ ଟିକେ ନିଃଶ୍ୱାସ ମାରନ୍ତେ ।

କୋଟି କୋଟି ଲୋକ ଭାବୁଛନ୍ତି କିଏ ଜଣେ ବାହାରି ଉପକଥାର ଯାଦୁକର ପରି ତାଙ୍କ ପାଇଁ ସବୁକିଛି କରିଦିଅନ୍ତା । ଅନେକ ଲୋକ ବାହାରିଥିଲେ । ଲୋକମାନେ ତାଙ୍କୁ ବିଶ୍ୱାସ କରି ପଛରେ ଗୋଡାଇଲେ । ତାଙ୍କ ପାଇଁ ସବୁକିଛି କରିଛନ୍ତି, କିନ୍ତୁ ଫଳ ଓଲଟା ପାଇଁ ହତାଶା ପଙ୍କରେ ପଡିଛନ୍ତି । ଯେଉଁ ପ୍ରକାର ଧାରା ଚାଲିଛି, ପ୍ରକ୍ରିୟା ଚାଲିଛି – ସେଥିରୁ ମନେହେଉଛି ଆଜି ଭାରତ ଯେମିତି ଗୋଟାଏ ଅନ୍ଧାରୀ ମୁଲକ । ଏଠି ସମସ୍ତଙ୍କ ଓଠରେ ଥୁକୁଲ୍ । ଆଖିରେ ପଟି, କାନରେ ପାପୁଲି । ନକଲି ନେତୃତ୍ୱ କେବେ ଚାହୁଁନି- ବ୍ୟବସ୍ଥା ବଦଳୁ । କାରଣ ବ୍ୟବସ୍ଥା ବଦଳିଲେ ନକଲି ନେତୃତ୍ୱ ବଦଳିବାକୁ ବାଧ୍ୟ ।

ବର୍ତମାନ ସାରା ଦେଶରେ ଗାଁ ଗଣ୍ଡା ସହର ବଜାର ସବୁଆଡେ ଚାଷୀ, ଶ୍ରମିକ, ଛାତ୍ର ଯୁବକ, ମିଳିଳା, କୃଷି ଶ୍ରମିକ ପ୍ରବଳ ଅଶାନ୍ତି, ଅସନ୍ତୋଷର ବହ୍ନିରେ ପ୍ରଜ୍ଜ୍ୱଳିତ । ସେମାନେ ଥରେ ଏକାଠି ହେଲେ, ସଠିକ୍ ନେତୃତ୍ୱ ମିଳିଲେ ସମସ୍ତଙ୍କୁ ସାବାଡ କରିଦେବେ ।

ହେଲେ ନେତା କାହିଁ ? ଯେଉଁ ନେତାମାନେ ଠାଏ ଠାଏ ସେମାନଙ୍କୁ ମତଉଛନ୍ତି, ତତଉଛନ୍ତି, ବାଟ ଜଣାନଥିବାରୁ ଅବାଟରେ ନେଇ ହତାଶିଆ କରି ପକାଉଛନ୍ତି । ବାରମ୍ବାର ଲୋକେ ପ୍ରତିଶ୍ରୁତିର ପଦ୍ମତୋଳା ଶୁଣି ପ୍ରତାରିତ ହୋଇ ଭାଗ୍ୟକୁ ନିନ୍ଦୁଛନ୍ତି । ପରିବର୍ତନ ପାଇଁ ନୂଆ କିଛି କଥା କହିଲେ, ଏକଦମ୍ ଠିକ୍ ବୋଲି କହୁଛନ୍ତି; କିନ୍ତୁ ହଠାତ୍ ବାହାରି ପାରୁନାହାଁନ୍ତି । କିନ୍ତୁ ଦୁର୍ନୀତି ଚଂଚକତାରେ କୋଟି କୋଟି ଟଙ୍କା ମହଜୁଦ୍ ରଖୁଥିବା ମତଲବୀ ନେତୃବର୍ଗଙ୍କ ନିଜସ୍ୱ ଭଡାଟିଆ ଗୁଣ୍ଡାବାହିନୀ ଏବଂ ସରକାରୀ କଳର ଦମନ ଅତ୍ୟାଚାରକୁ ମୁକାବିଲା କରିବା ଅସମ୍ଭବ ବୋଲି ଲୋକେ ଭାବୁଛନ୍ତି ।

ଏ ଦୁନିଆରେ ଅସମ୍ଭବ ବୋଲି ଚିନ୍ତା କରିବା ହିଁ ପରାଜୟର ପ୍ରଥମ ଲକ୍ଷଣ । ଯାହା ବାସ୍ତବ ସତ୍ୟ, ତାହା ନିଶ୍ଚିତ ସମ୍ଭବ । ଗଣ ଜାଗରଣର ନୂତନ ଅଧ୍ୟାୟ ସୃଷ୍ଟି ନ ହେଲେ ଦୃଷ୍ଟିଭଙ୍ଗୀ ବଦଳି ପାରିବନାହିଁ । ରାଜନୀତିର ନୂଆ ରାସ୍ତା ଫିଟି ପାରିବ ନାହିଁ । ଆସନ୍ତୁ, ଗୋଟିଏ ମଂଚରେ ଏକାଠି ହେବା । ବଦ୍ଧ ମୁଷ୍ଟି ଉତୋଳନ କରିବା । କ୍ଷମତାନ୍ଧ, କ୍ଷୁଧିତ ନେତୃତ୍ୱର କାଚଘର ସାମ୍ନାରେ ନିର୍ମାଣ କରିବା ନିର୍ଭୀକ ପ୍ରତିବାଦର ବିଶାଳ ଶିବିର । ସଂଗ୍ରାମ ଆରମ୍ଭ ହେବ ନୂତନ ଶୈଳୀରେ, ଯେଉଁ ସଂଗ୍ରାମର ଶାଣିତ ଶସ୍ତ୍ର ହେବ : ନୂଆ ଦୃଷ୍ଟି, ନୂଆ ଦର୍ଶନ, ନୂଆ ନେତୃତ୍ୱ, ନୂଆ ବିକଳ୍ପ ।

ହିଟ୍‌ଲର ଓ ମୁସୋଲିନୀ ଭଳି ନୃଶଂସ, ଦୁର୍ଦ୍ଦାନ୍ତ ଚରିତ୍ରସବୁ ଜନ ବିସ୍ଫୋରଣର ସ୍ଫୁଲିଙ୍ଗରେ ପାଉଁଶ ହୋଇଯାଇଛନ୍ତି । ଆଜି ଏ କୁଚକ୍ରୀ ଖଳନାୟକମାନଙ୍କୁ ଆମେ ଏବେ ଡରିବା କାହିଁକି । ଆମେ ସମସ୍ତେ ଏକାଠି ହେଲେ ଚିତ୍କାର ନ କରି ଫୁତ୍‌କାର ତୋଳିଲେ ପ୍ରତାରଣାର ଏ ପର୍ଯ୍ୟାୟ ମୁହୂର୍ତକ ମଧ୍ୟରେ ଧୂଳିସାତ୍ ହେବ ।

ବର୍ତମାନର ଭସ୍ମୀଭୂତ ଭାରତବର୍ଷ ଓ ସଂତ୍ରସ୍ତ ସମାଜ ବ୍ୟବସ୍ଥା ପାଇଁ ପରିତ୍ରାଣର ପନ୍ଥା ଖୋଜା ଚାଲିଛି ବିଭିନ୍ନ ସ୍ତରରେ । ଭସ୍ମରୂପ ମଧ୍ୟରୁ ଭବିଷ୍ୟତକୁ ଉଦ୍ଧାର କରିବା ଏବଂ ଧ୍ୱଂସ ମୁଖରୁ ଜନଜୀବନକୁ ରକ୍ଷା କରିବା ନିମନ୍ତେ ଆଜି ଯେଉଁ ଅଙ୍ଗୀକାରବଦ୍ଧ ଆନ୍ଦୋଳନ ଓ ଗଣସଂଗ୍ରାମର ଏକାନ୍ତ ପ୍ରୟୋଜନ, ସେଥି ନିମନ୍ତେ ଆମ ସମସ୍ତଙ୍କର ସମ୍ମିଳିତ ସଂକଳ୍ପ ଅପରିହାର୍ଯ୍ୟ ।

ହାଣ ମୁହଁକୁ ମୁହାଇଁ ଚାଲିଥିବା ଆମର ଏ ଯୁଗ ଯୁଗର ପ୍ରାଚୀନ ପ୍ରବୃଦ୍ଧ ଦେଶ ଓ ବହୁ ଐତିହାସିକ ଘୂର୍ଣ୍ଣିଝଡରୁ ବର୍ତି ଯାଇଥିବା ସମାଜ ଜୀବନକୁ କ’ଣ ଧ୍ୱଂସ ହେବା ପାଇଁ ଆମେ ଛାଡି ଦେବା ? ଗୋଟାଏ କୁରୁକ୍ଷେତ୍ରରେ ଦିନେ ନିଶ୍ଚିହ୍ନ ହୋଇଯାଇଥିଲା ମହାଭାରତ ! ଆଜି ଆମ ସାମ୍ନାରେ ଶହ ଶହ କୁରୁକ୍ଷେତ୍ର… ଆମର ଏ ମହାନ୍ ଭାରତକୁ କ’ଣ ଆମେ ଆଜି ବଳି ପକାଇ ଦେବା ତା’ ଭିତରେ ? ନା, ପରିତ୍ରାଣ ପାଇଁ ଆମକୁ ଆଜି ଶିରସ୍ତ୍ରାଣ ପିନ୍ଧି ହାତରେ ଧରିବାକୁ ପଡିବ ଗଣସଂଗ୍ରାମର ଅମୋଘ ଅସ୍ତ୍ର । ସତ୍ ମନର ସ୍ୱପ୍ନ ଯଦି ସଂକଳ୍ପରେ ପରିଣତ ହୁଏ, ତେବେ ନିଶ୍ଚିତ ଭାବରେ ସାର୍ଥକ ହେବ ଆମର ଆଗାମୀ ସମାଜର ସର୍ଜନା ଓ ସଂରଚନା ।

ଏଣୁ ବଂଧୁଗଣ ! ସୌଖିନ ବୈଠକଖାନାରେ ବୌଦ୍ଧିକ ବିତର୍କର ବାତାବରଣ ସୃଷ୍ଟି ନ କରି ଆସନ୍ତୁ ସମ୍ମୁଖ ଭାଗରେ ଅବତୀର୍ଣ୍ଣ ହେବା, କିତାବୀ ଦର୍ଶନକୁ ଘୋଷି ଉକାଳିବା ନିଶା ଛାଡି ଗାଁଗଣ୍ଡା, ବିଲବାଡି, ଖଣିଖାଦାନ, କଳକାରଖାନା, ସହର ବଜାରରେ ମେହନତି କରୁଥିବା ମଣିଷଙ୍କ ପାଖରେ ପହଂଚାଇ ଦେବା କର୍ମତତ୍ୱର ସମ୍ମିଶ୍ରିତ ଦର୍ଶନ । ଆମେ ନିକାଲି ଦେବା ଏ ନକଲି ରାତିର ଜରିଗୁଡା ଜହ୍ନ ଆଉ କାଗଜଫୁଲର କାରୁକାର୍ଯ୍ୟକୁ । ଆମେ ଚିରିଦେବା ନାହିଁ ନାହିଁର ନକ୍ସା । ଆମେ ଭରିଦେବା କୋଟି କୋଟି କଙ୍କାଳ ପ୍ରାଣରେ ନୂଆ ଆଶା, ନିଆରା ଭରସା ।

ନୀତି ନୈତିକତାର ନିର୍ଲଜ୍ଜ କଂସେଇମାନଙ୍କୁ ଆଜି ରାସ୍ତାକଡର ବତିଖୁଂଟରେ ଝୁଲାଇ ଦେବାର ବେଳ ଆସିଛି । ନିଷ୍ଠୁର ଜହ୍ଲାଦମାନଙ୍କ ଜଘନ୍ୟ ହିଂସାର ସାମ୍ରାଜ୍ୟରୁ ନିରୀହ ପ୍ରହ୍ଲାଦମାନଙ୍କୁ ପରିତ୍ରାଣ କରିବା ପାଇଁ ଜନ-ଜନାର୍ଦ୍ଦନଙ୍କୁ ନୃସିଂହ ଅବତାର ଧାରଣ କରିବାର ଆହ୍ୱାନ ଉପଗତ ହୋଇଛି । ଯେଉଁମାନେ ଏ ଭୂମିର ମଣିଷମାନଙ୍କୁ କଙ୍କାଳରେ ପରିଣତ କରିଛନ୍ତି, ସେମାନଙ୍କୁ କଠୋର ଶାସ୍ତି ଦେବାର ସମୟ ଆସି ପହଂଚିଯାଇଛି । ପରିବର୍ତନର ପର୍ଯ୍ୟାୟ ଜନଗଣଙ୍କର ବିନା ଯୋଗଦାନରେ ସମ୍ଭବପର ନୁହେଁ ।

ଏହି ସମସ୍ୟା ଜର୍ଜରିତ ସମାଜକୁ ବଦଳାଇବାକୁ ହେଲେ ନୂଆ ଦୃଷ୍ଟିକୋଣ, ନୂଆ ଉତ୍ସାହର ସହ ସଂଘର୍ଷପଥରେ ଆଗେଇ ଯିବାକୁ ହେବ । ବେଇମାନୀ ଲୋକମାନେ ଆଜି ପର୍ଯ୍ୟନ୍ତ ଧୋକ୍କା ଦେଇ ଆସିଲେ । ଏଥିପାଇଁ ମନଖରାପ କରି ବସିରହିଲେ ହେବନାହିଁ । ଅତୀତରେ ଆପଣମାନେ ବହୁ କଷ୍ଟ ତ୍ୟାଗ ଆତ୍ମବଳୀଦାନ ଦେଇ ଯାହାସବୁ ସୃଷ୍ଟି କରିଥିଲେ, ସେ ସବୁ ଆଜି ଧ୍ୱଂସ ଆଡକୁ ପାଦ ବଢାଉଛି । ରୋକିବାକୁ ହେବ ଏ ରୁଗ୍‌ଣ ଧାରାକୁ । ପୁଣି ଆଉଥରେ ପ୍ରସ୍ତୁତ ହୋଇଯାଆନ୍ତୁ । ପଛକୁ ଫେରିଲେ ଅନ୍ଧାର । ଆଗକୁ ଚାହିଁଲେ ମୁକ୍ତିର ସକାଳ । ଶତାଦ୍ଦୀର ସଂକଳ୍ପ ଓ ସଂଘର୍ଷ ମଧ୍ୟରେ ଶତସହସ୍ର ସଂଗ୍ରାମୀଙ୍କ ଶହୀଦତ୍ୱ ବିନିମୟରେ ଯେଉଁ ଗଣତାନ୍ତ୍ରିକ ଅଧିକାର ହାସଲ କରି ଜନଗଣ ନୂତନ ସମାଜର ମୂଳଦୁଆ ପକାଇବାକୁ ଆଗେଇ ଯିବାର ଥିଲା – ତାହା ଆଜି ମୁକ୍ତ ପୁଞ୍ଜିବାଦର ପୁଚ୍ଛବାହକ ମୁନାଫାଖୋର୍ ମାଲିକ ଶ୍ରେଣୀର ଷଡଯନ୍ତ୍ରରେ ପଣ୍ଡ ହୋଇଯାଇଛି । ମାଲିକ ଶ୍ରେଣୀ କବଳିତ କରିଛି ରାଷ୍ଟ୍ରଯନ୍ତ୍ର; ଧାରଣ କରିଛି ଦମନର ନୂଆ ନୂଆ ଶକ୍ତିଶାଳୀ ହତିଆର । ସେହି ତୁଳନାରେ ଜନଗଣଙ୍କ ପ୍ରତିରୋଧର ଅସ୍ତ୍ର ପୁରୁଣା ହୋଇଯାଇଛି, କଳଙ୍କି ଧରିଯାଇଛି ସେଥିରେ । ସଂଗ୍ରାମର ନୂତନ ପର୍ଯ୍ୟାରେ ସେ ଆସ୍ତ୍ର ଆଜି ଅଚଳ, ଅକାମୀ । ସେଥିପାଇଁ ଆଜିର ଚତୁର ମାଲିକଶ୍ରେଣୀର ମୁକାବିଲା କରିବାରେ ପଛେଇ ଯାଇଛି ଜନବିପ୍ଲବର ଧାରା, ଶ୍ରମଜୀବୀ ବର୍ଗର ବିକ୍ଷୁବ୍ଧ ଆନ୍ଦୋଳନ । ପରାଜୟର ଗ୍ଲାନିରେ ଜର୍ଜରିତ ହୋଇ ପଡିଛି ମେହନତୀ ମଣିଷ ସମାଜ । ଏହି ଦୃଷ୍ଟିରୁ ଗତ ବର୍ଷ ବର୍ଷର ପରାଜୟର ପ୍ରକୃତ କାରଣ ଖୋଜି, ପଶ୍ଚାତ୍‌ଗତିର ବ୍ୟର୍ଥତା ଓ ବିଡମ୍ବନାରୁ ନୂତନ ଅଭିଜ୍ଞତାର ଶିକ୍ଷା ହାସଲ କରି ଜନଗଣଙ୍କ ହାତରେ ନୂତନ ଅସ୍ତ୍ର ଗଣଆନ୍ଦୋଳନର ନୂତନ ଆଭିମୁଖ୍ୟ ଜାତି-ବର୍ଣ୍ଣ-ଧର୍ମ-ଦଳ ନିର୍ବିଶେଷରେ ଯେକୌଣସି ସମାଜବିରୋଧୀ ଅପକର୍ମ ଓ ଅନ୍ୟାୟର ସମ୍ମିଳିତ ପ୍ରତିରୋଧ କରିବାର ବେଳ ଆସିଯାଇଛି । ଏହା ହିଁ ସମୟର ଆହ୍ୱାନ ।

ଯାଜପୁର ରୋଡ, ଯାଜପୁର , ମୋ : ୯୮୬୧୦୩୪୧୬୩