Latest Odisha News

BREAKING NEWS

ଜାଲ ସାର୍ଟିଫିକେଟ ରାକେଟ: ସୁଶାନ୍ତ ସିଂହଙ୍କ ସହ ଗିରଫ ଅଭିଯୁକ୍ତଙ୍କ ଫଟୋ ଦେଖାଇ ଘେରିଲା ବିରୋଧୀ

ଭୁବନେଶ୍ୱର: ଏବେ ରାଜଧାନୀରେ ତେଜିଲା ଜାଲ୍ ସାର୍ଟିଫିକେଟ ପ୍ରସଙ୍ଗ। ପଶ୍ଚିମଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି ରାକେଟ ଚାଲିଥିବା ନେଇ ଅଭିଯୋଗ ଆସିଥିଲା। ଏବେ ଏହି ପ୍ରସଙ୍ଗ ବିରୋଧୀ ବିଧାନସଭା ଚାଲିଥିବା ବେଳେ ଉଠାଇ ପୁଣି ଶାସକ ଦଳକୁ ଘେରିଛନ୍ତି। ଏହି ମାମଲାରେ ଗିରଫ ହୋଇଛନ୍ତି ମନୋଜ ମିଶ୍ରଙ୍କ ସମେତ ୧୯ ଜଣ। ମନୋଜଙ୍କ ସହିତ ପଶ୍ଚିମ ଓଡ଼ିଶାର ବିଜେଡିର ଟାଣୁଆ ନେତା ସୁଶାନ୍ତ ସିଂହଙ୍କ ସହ ଫଟୋ ଦେଖାଇ ବିରୋଧୀ ଘେରିଛନ୍ତି। ଆଉ ଏହି ଜାଲ୍ ରାକେଟ ପଛରେ ବିଜେଡି ନେତାଙ୍କର ଗୋଟିଏ ବଡ଼ ଭୂମିକା ରହିଛି ବୋଲି ବିରୋଧୀ ଦାବି କରିଛନ୍ତି।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଜାଲ୍ ସାର୍ଟିଫିକେଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କର ଫଟୋ ଦେଖାଇଛନ୍ତି। ଫଟୋରେ ମନୋଜ ମିଶ୍ର ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସହ ରହିଛନ୍ତି। ତେଣୁ ଏହି ରାକେଟ ପଛରେ ବିଜେଡି ନେତାଙ୍କ ସଂପୃକ୍ତି ରହିଛି ବୋଲି ମୋହନ ମାଝୀ ଦାବି କରିଛନ୍ତି। ମନୋଜ ମିଶ୍ର ସରକାରୀ ପୃଷ୍ଠପୋଷକତାରେ ଏହି ରାକେଟ୍ ଚଳାଇ କୋଟି କୋଟି ଟଙ୍କାର ଠକେଇ କରୁଥିଲେ ବୋଲି ବିରୋଧୀ ଦଳର ବିଧାୟକ ଅଭିଯୋଗ କରିଛନ୍ତି। ଏହି ରାକେଟ୍ ଓଡ଼ିଶା ବାହାରେ ମଧ୍ୟ ବିଭିନ୍ନ ଜିଲ୍ଲାକୁ ଚେର ବିସ୍ତାର କରିଛି ବୋଲି ସେ ଦାବି କରିଛନ୍ତି। ରାଜ୍ୟ ସରକାର ଏବେ ମୁଖ୍ୟ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ସେ ଦାବି କରିଛନ୍ତି।

ସେହିଭଳି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ଶାସକ ଦଳର ପୃଷ୍ଠପୋଷକତାରେ ଏହି ରାକେଟ୍ ଚାଲିଛି ବୋଲି ଅଭିଯୋଗ କରି ବାଚସ୍ପତି ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିବାକୁ ଦାବି କରିଥିଲେ। ଜଣେ ପୂର୍ବତନ ମନ୍ତ୍ରୀ ଏହି ରାକେଟରେ ସମ୍ପୃକ୍ତ ଅଛନ୍ତି ଏବଂ ଶାସକ ଦଳର ଛତ୍ରଛାୟା ତଳେ ଏହା ଚାଲିଥିଲା ବୋଲି ନରସିଂହ ମିଶ୍ର ଦାବି କରିଛନ୍ତି।

ତେବେ ଏଭଳି ଅଭିଯୋଗକୁ ବିଜେଡି ଭିତ୍ତିହୀନ ବୋଲି କହିଛି। ଜାଲ୍ ସାର୍ଟିଫିକେଟ୍ ରାକେଟରେ ବିଜେଡିର କୌଣସି ନେତାଙ୍କର କୌଣସି ପ୍ରକାର ଲିଙ୍କ୍ ନାହିଁ। ରାଜ୍ୟରେ ଯାହା ହେଉନା କାହିଁକି ବିଜେଡିର ହାତ ରହିଛି ବୋଲି ସେମାନେ ଅଭିଯୋଗ କରିଆସୁଛନ୍ତି। ଏହା ବିରୋଧୀଙ୍କ ଅଭ୍ୟାସରେ ପରିଣତ ହୋଇଛି ବୋଲି ବିଧାୟକ ଭାଗିରଥୀ ସେଠୀ କହିଛନ୍ତି।

ବଲାଙ୍ଗୀରରେ ରିଲାଏନ୍ସ ଏଜୁକେସନ୍ ଇନଷ୍ଟିଚ୍ୟୁଟ ନାମକ ଏକ କୋଚିଂ ସେଣ୍ଟରରୁ ପ୍ରାୟ ୧ ହଜାରରୁ ୫ ହଜାର ନକଲି ସାର୍ଟିଫିକେଟ୍ ଜବତ ହୋଇଛି। ଏହା ଗିରଫ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ଦ୍ୱାରା ପରିଚାଳିତ ହେଉଥିଲା ବୋଲି ବିରୋଧୀ ଦାବି କରିଛନ୍ତି।

Leave A Reply

Your email address will not be published.