Latest Odisha News

BREAKING NEWS

NEET UG 2026 ପରୀକ୍ଷା ବାତିଲକୁ ନେଇ ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ ନେତା

ଭୁବନେଶ୍ବର: ଜାତୀୟ ପରୀକ୍ଷା ସଂସ୍ଥା (NTA) ଗତ ମେ’ ୩ ତାରିଖରେ ଅନୁଷ୍ଠିତ ହୋଇଥିବା NEET UG 2026 ପରୀକ୍ଷାକୁ ବାତିଲ କରିଛି । ପରୀକ୍ଷାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଭାରତ ସରକାରଙ୍କ ଅନୁମୋଦନ କ୍ରମେ ଏହି ପଦକ୍ଷେପ ନିଆଯାଇଛି । ଏହି ନିଷ୍ପତ୍ତିକୁ ସମଗ୍ର ଦେଶରେ ବିରୋଧ କରାଯାଉଛି । ଏହି ଅବସରରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।

ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, NEET ପ୍ରଶ୍ନପତ୍ର ଲିକ୍ ପ୍ରଥମ ଥର ନୁହେଁ, ପୂର୍ବରୁ ବି ହୋଇଛି । ଏପରି କରିବା ଦ୍ବାରା ଏହା ପରୀକ୍ଷା ବ୍ୟବସ୍ଥାର ସ୍ବଚ୍ଛତା ନେଇ ପିଲାମାନଙ୍କ ବିଶ୍ବାସକୁ କମ୍‌ କରୁଛି । କେବଳ ଅବହେଳା ନୁହେଁ, ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ପ୍ରତି ବିଶ୍ୱାସଘାତକତା ମଧ୍ୟ । ଏହି ଲିକ୍ ପରିଶ୍ରମୀ ପରୀକ୍ଷାର୍ଥୀ ଯେଉଁମାନ ରାତାରାତି ଅନିଦ୍ରା ରହି ପାଠ ପଢୁଥିଲେ ସେମାନଙ୍କ ଭବିଷ୍ୟତକୁ ବିପଦରେ ପକାଉଛି । ଛାତ୍ରୀଛାତ୍ରଙ୍କ ବିଶ୍ୱାସ ଫେରାଇ ଆଣିବା ପାଇଁ ଉତ୍ତରଦାୟିତ୍ୱ ସ୍ଥିର କରାଯାଉ । ବ୍ୟବସ୍ଥା ପ୍ରତ୍ୟେକ ଛାତ୍ରଙ୍କୁ ଆଶ୍ୱସ୍ତ କରିବା ଉଚିତ ଯେ ସେମାନଙ୍କର ପରିଶ୍ରମ ଓ ଦୃଢ଼ତାକୁ କେବେ ବି ଭୁଲ ଦ୍ୱାରା ଦୁର୍ବଳ କରାଯିବ ନାହିଁ ।

ସୂଚନାଯୋଗ୍ୟ, ରାଜସ୍ଥାନ ସମେତ ବିଭିନ୍ନ ସ୍ଥାନରୁ ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ବିଭିନ୍ନ ତଦନ୍ତକାରୀ ସଂସ୍ଥାର ତଥ୍ୟକୁ ଆଧାର କରି ଏହି ପରୀକ୍ଷା ପ୍ରକ୍ରିୟାକୁ ରଦ୍ଦ କରାଯାଇଥିବା ସୂଚନା ରହିଛି । ଏହି ସମ୍ପୂର୍ଣ୍ଣ ମାମଲାର ଗଭୀର ତଦନ୍ତ ପାଇଁ କେନ୍ଦ୍ର ସରକାର ସିବିଆଇକୁ ଦାୟିତ୍ୱ ଦେଇଛନ୍ତି । ବାତିଲ ହୋଇଥିବା ପରୀକ୍ଷା ପୁଣିଥରେ ଅନୁଷ୍ଠିତ ହେବ । ଏଥିପାଇଁ ନୂଆ ତାରିଖ ଓ ନୂଆ ଆଡମିଟ୍ କାର୍ଡ ଖୁବଶୀଘ୍ର NTA ର ଅଫିସିଆଲ୍ ୱେବସାଇଟରେ ଘୋଷଣା କରାଯିବ ।

Leave A Reply

Your email address will not be published.