Latest Odisha News

BREAKING NEWS

ବିରୋଧୀଙ୍କ ୨୪ ଫର୍ମୁଲା, ପ୍ରତ୍ୟେକ ବିଜେପି ପ୍ରାର୍ଥୀ ବିରୋଧରେ ଜଣେ ବିରୋଧୀ ପ୍ରାର୍ଥୀ !

ଭୁବନେଶ୍ୱର: ଆଉ ଦୁଇ ଦିନ ପରେ ବିହାରର ପାଟନାରେ ଏକାଠି ହେବେ ବିରୋଧୀ। ଆଗାମୀ ନିର୍ବାଚନ ପୂର୍ବରୁ ଏହା ବିରୋଧୀଙ୍କ ପାଇଁ ଏକ ବଡ଼ ଦିନ ବୋଲି ବିଚାର କରାଯାଉଛି।

ବିଜେପିକୁ ସତ୍ତାରୁ ବାହାର କରିବା ପାଇଁ ବିରୋଧୀ ପାଟନା ବୈଠକରେ ରଣନୀତି ପ୍ରସ୍ତୁତ କରିବେ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସେଥିପାଇଁ ବିରୋଧୀଙ୍କୁ ଏକାଠି କରିବାରେ ଲାଗି ପଡ଼ିଛନ୍ତି। ପାଟନା ବୈଠକକୁ ସଫଳ କରିବା ପାଇଁ ଲାଗିପଡିଛନ୍ତି ନୀତିଶ।

ବ୍ୟକ୍ତିଗତ ଭାବେ ୨୩ ତାରିଖ ବୈଠକକୁ ସଫଳ କରିବା ପାଇଁ ନିଜେ ପ୍ରସ୍ତୁତିର ତଦାରଖ କରୁଛନ୍ତି। ବୈଠକରେ ଦେଶର ୧୭ ଟି ରାଜନୈତିକ ଦଳର ମୁଖିଆ ଓ ପ୍ରତିନିଧି ମାନେ ଯୋଗ ଦେବେ।

ସେଥିପାଇଁ ନୀତିଶ ବିରୋଧୀ ଦଳର ନେତାମାନଙ୍କ ରହିବା ସ୍ଥାନ ସମେତ ଅନ୍ୟାନ୍ୟ ଜାଗାର ପ୍ରସ୍ତୁତିକୁ ଦେଖିଛନ୍ତି। ଏହି ବୈଠକକୁ ସଫଳ କରିବା ପାଇଁ ଲାଗିପଡିଛି ପ୍ରଶାସନ।

ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଅଖିଲେଶ ଯାଦବ, ଶରଦ ପାୱାର, ଉଦ୍ଧବ ଠାକରେ, ଫାରୁକ ଅବଦୁଲ୍ଲା, ମେହବୁବା ମୁଫତି, ସୀତାରାମ ୟେଚୁରୀ ଓ ଡି ରାଜା ପ୍ରମୁଖ ଯୋଗ ଦେବେ।

୨୦୨୪ ନିର୍ବାଚନରେ ବିଜେପି ବିରୋଧରେ ଲଢ଼ିବା ସମ୍ପର୍କରେ ରଣନୀତି ପ୍ରସ୍ତୁତ ହେବ। ଏପରିକି ପ୍ରତ୍ୟେକ ଏନଡିଏ ପ୍ରାର୍ଥୀ ବିରୋଧରେ ଜଣେ ଲେଖାଏଁ ବିରୋଧୀ ଦଳ ପ୍ରାର୍ଥୀ ଦେବା ଫର୍ମୁଲା ସମ୍ପର୍କରେ ନୀତିଶ କହିଛନ୍ତି।

ବିରୋଧୀ ବୈଠକରେ ସିଟ ଭାଗବଣ୍ଟାର ଫର୍ମୁଲା ମଧ୍ୟ ପ୍ରସ୍ତୁତ ହୋଇପାରେ ବୋଲି କୁହାଯାଉଛି। ଦେଶର ବିଭିନ୍ନ ରାଜ୍ୟର ଲୋକସଭା ଆସନ ଏବଂ ତାର ସ୍ଥିତି ସଂପର୍କରେ ମଧ୍ୟ ବିରୋଧୀ ଆକଳନ କରୁଛନ୍ତି । ରାଜସ୍ଥାନରେ ୨୦, ଛତିଶଗଡ଼ରେ ୧୧, ହିମାଚଳ ପ୍ରଦେଶରେ ୪, କର୍ଣ୍ଣାଟକରେ ୨୮ ଲୋକସଭା ସିଟ ରହିଥିବା ବେଳେ ସେଠାରେ କଂଗ୍ରେସ ଶାସନରେ ରହିଛି।

ସେହିଭଳି ପଶ୍ଚିମବଙ୍ଗରେ ୪୨ ଟି ଲୋକସଭା ସିଟ ଥିବାବେଳେ ସେଠାରେ ତୃଣମୂଳ କଂଗ୍ରେସର ବିଜେପି ସହ ଲଢେଇ ହେବ। ଝାଡ଼ଖଣ୍ଡରେ ୧୪ ଲୋକସଭା ସିଟରେଜେଏମଏମର ବିଜେପି ସହ, ବିହାରରେ ମହାଗଠବନ୍ଧନର ବିଜେପି ସହ, ଉତ୍ତରପ୍ରଦେଶର ୮୦ ସିଟ ପାଇଁ ସମାଜବାଦୀ ପାର୍ଟିର ବିଜେପି ସହ, ମହାରାଷ୍ଟ୍ରରେ ୪୮ ସିଟରେ ଏମଭିଏର ବିଜେପି ସିନ୍ଦେ ଗୋଷ୍ଠି ସହ, ପଞ୍ଜାବରେ ୧୩ ଟି ସିଟ ଓ ଦିଲ୍ଲୀରେ ୭ ଟି ସିଟରେ ଆମ ଆଦମୀ ପାର୍ଟିର ବିଜେପି ସହ ଲଢେ଼ଇ ହେବ।

ଏଭଳି ୨୪୪ ସିଟରେ ବିଜେପି ସହ ବିରୋଧୀ ଆଞ୍ଚଳିକ ଦଳର ସିଧା ଲଢ଼େଇର ସ୍ଥିତି ରହିଛି। ସେହିଭଳି ତାମିଲନାଡୁର ୩୯ ଟି ସିଟରେ ଡିଏମକେ ଓ ଏଆଇଏଡିଏମକେ ମଧ୍ୟରେ ଓ କେରଳର ୨୦ ଟି ସିଟରେ କଂଗ୍ରେସ ବାମପନ୍ଥୀ ଲଢେଇ ହେବ। ସେହିପରି ତେଲେଙ୍ଗାନାରେ ୧୭ ଟି ସିଟ ପାଇଁ ବିଆରଏସ, କଂଗ୍ରେସ ଓ ବିଜେପି ମଧ୍ୟରେ ତ୍ରିକୋଣୀୟ ଲଢେଇ ହେବା ନେଇ ଆକଳନ କରାଯାଉଛି।

ବିରୋଧୀ ବୈଠକରେ ରାଜ୍ୟସ୍ତରର ସଂସଦୀୟ ସିଟ ଓ ରାଜନୈତିକ ସ୍ଥିତିକୁ ଆକଳନ କରି ବିରୋଧୀ ରଣନୀତି ସମ୍ପର୍କରେ ଆଲୋଚନା କରିବେ। ଯାହାକୁ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

ଯଦି ଏହି ରଣନୀତି ଅନୁଯାୟୀ ବିରୋଧୀ ମାନେ ରାଜି ହୁଅନ୍ତି ତାହେଲେ ବିଜେପି ପାଇଁ ବଡ଼ ଅଡୁଆ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ସେପଟେ ସିଟ ଭାଗବଣ୍ଟାକୁ ବିରୋଧୀ କିଭଳି ଗ୍ରହଣ କରିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଏପରିକି ଆଗକୁ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟ ରହିଛି। ପ୍ରତି ରାଜ୍ୟରେ ସମୀକରଣ ଭିନ୍ନ। ତେଣୁ ଲୋକସଭା ସିଟ କ୍ଷେତ୍ରରେ ଭାଗବଣ୍ଟା ହେଲେ ମଧ୍ୟ ରାଜ୍ୟସ୍ତରର ସମୀକରଣକୁ କଣ ସବୁ ବିରୋଧୀ ଗ୍ରହଣ କରିବେ କି ବୋଲି ପ୍ରଶ୍ନ ଉଠିଛି।

ତେଣୁ ବିରୋଧୀ ଯଦି ନିଜର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସମୂହ ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତି ତାହେଲେ ବିଜେପି ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।

Leave A Reply

Your email address will not be published.