Drama at All-Party Meet: ସର୍ବଦଳୀୟ ବୈଠକରେ ବିରୋଧୀଙ୍କ ହାଇଡ୍ରାମ, ବିଦ୍ରୋହୀ ସାଂସଦକୁ ଦେଖି ଛାଡିଲେ ବୈଠକ…ପୁଣି ଆସି ବସିଲେ…
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ରବିବାର ଆୟୋଜିତ ସର୍ବଦଳୀୟ ବୈଠକରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ତୃଣମୂଳ କଂଗ୍ରେସ (TMC)ର ୨୦ ଜଣ ବିଦ୍ରୋହୀ ସାଂସଦଙ୍କୁ ବୈଠକକୁ ଆମନ୍ତ୍ରଣ କରାଯିବାକୁ ବିରୋଧ କରି କଂଗ୍ରେସ, ସମାଜବାଦୀ ପାର୍ଟି, DMK, ଆମ୍ ଆଦମୀ ପାର୍ଟି, JMM, ନ୍ୟାସନାଲ କନଫରେନ୍ସ, ବାମ ଦଳ ଓ ଶିବସେନା (UBT) ସମେତ ବିରୋଧୀ ଦଳ ବୈଠକରୁ ୱାକ୍ଆଉଟ୍ କରିଥିଲେ। ତେବେ ଏହାକୁ “ସାଙ୍କେତିକ ପ୍ରତିବାଦ” ବୋଲି କହି କିଛି ସମୟ ପରେ ସମସ୍ତ ବିରୋଧୀ ଦଳ ପୁଣି ବୈଠକରେ ସାମିଲ ହୋଇଥିଲେ।
ତେବେ ବିବାଦର ମୂଳ କାରଣ ହେଉଛି, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ୍ ରିଜିଜୁ TMCର ୨୦ ଜଣ ବିଦ୍ରୋହୀ ସାଂସଦଙ୍କୁ NCPI ନାମକ ଦଳର ପ୍ରତିନିଧି ଭାବେ ବୈଠକରେ ଡାକିବା…ବିରୋଧୀଙ୍କ ଅଭିଯୋଗ, ଏହି ସାଂସଦଙ୍କ ଦଳବଦଳକୁ ଲୋକସଭା ବାଚସ୍ପତି ଏପର୍ଯ୍ୟନ୍ତ ମଞ୍ଜୁରି ଦେଇନାହାନ୍ତି ଏବଂ ସେମାନଙ୍କ ବିରୋଧରେ ଦାଖଲ ୨୦ଟି ଅଯୋଗ୍ୟତା ଆବେଦନ ଏବେ ବି ବିଚାରାଧୀନ ରହିଛି।
TMC ସାଂସଦ ମହୁଆ ମୈତ୍ର କହିଛନ୍ତି, ୯୧ତମ ସମ୍ବିଧାନ ସଂଶୋଧନ ପରେ ଅଲଗା ଗୋଷ୍ଠୀର କୌଣସି ବ୍ୟବସ୍ଥା ନାହିଁ। ଏପରି ସ୍ଥିତିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କେଉଁ ଆଧାରରେ ଏହି ସାଂସଦମାନଙ୍କୁ ଆମନ୍ତ୍ରଣ କଲେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଛନ୍ତି, ସମ୍ବିଧାନର ସୁରକ୍ଷା ପାଇଁ କଂଗ୍ରେସ ୱାକ୍ଆଉଟ୍ କରିଛି। ଚୂଡ଼ାନ୍ତ ନିଷ୍ପତ୍ତି ପୂର୍ବରୁ ଏଭଳି ପଦକ୍ଷେପ ଅସମ୍ବିଧାନିକ। ଶିବସେନା (UBT) ସାଂସଦ ଅରବିନ୍ଦ ସାୱନ୍ତ କହିଛନ୍ତି, ବିଦ୍ରୋହୀ ସାଂସଦଙ୍କୁ ଯେଉଁ ସ୍ୱୀକୃତି ଦିଆଯାଇଛି, ତାହା କେଉଁ ଆଇନରେ ଉଲ୍ଲେଖ ରହିଛି? AAP ସାଂସଦ ଏନ୍.ଡି. ଗୁପ୍ତା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଦଳର ୭ ଜଣ ରାଜ୍ୟସଭା ସାଂସଦଙ୍କୁ ନେଇ ମାମଲା ବିଚାରାଧୀନ ଥିବା ସତ୍ତ୍ୱେ ସେମାନଙ୍କୁ ଅଲଗା ଆସନ ଆବଣ୍ଟନ କରାଯାଇଛି, ଯାହା ଗଣତନ୍ତ୍ର ବିରୋଧୀ।
ଅନ୍ୟପଟେ NCPIରେ ଯୋଗ ଦେଇଥିବା TMCର ବିଦ୍ରୋହୀ ସାଂସଦ କାକୋଲି ଘୋଷ ଦସ୍ତିଦାର କହିଛନ୍ତି, ସେମାନେ ରାଜନୀତି ନୁହେଁ, ବରଂ ନିଜ ରାଜ୍ୟ ଓ ନିର୍ବାଚନମଣ୍ଡଳୀର ବିକାଶ ପାଇଁ କାମ କରିବାକୁ ଚାହୁଁଛନ୍ତି। ଆବଶ୍ୟକ ସମସ୍ତ ଦସ୍ତାବିଜ ସେମାନେ ଦାଖଲ କରିଥିବା ମଧ୍ୟ ସେ କହିଛନ୍ତି।
ତେବେ ଏହି ଟଣାଓଟଣା ପରେ ପ୍ରାରମ୍ଭିକ ୱାକ୍ଆଉଟ୍ ପରେ ବିରୋଧୀ ଦଳ ପୁଣି ସର୍ବଦଳୀୟ ବୈଠକରେ ସାମିଲ ହୋଇଥିଲେ। ସେମାନଙ୍କ କହିବା କଥା, ସରକାରଙ୍କ ମନମୁଖୀ କାର୍ଯ୍ୟକଳାପ ବିରୋଧରେ ଏହା କେବଳ ଏକ ସାଙ୍କେତିକ ପ୍ରତିବାଦ ଥିଲା। ସଂସଦରେ ଜନସାଧାରଣଙ୍କ ସମସ୍ୟା ଉଠାଇବା ଏବଂ ସଦନର କାର୍ଯ୍ୟ ସୁଚାରୁ ଭାବେ ଚାଲିବା ପାଇଁ ସେମାନେ ବୈଠକରେ ଅଂଶଗ୍ରହଣ କରିଥିବା କହିଛନ୍ତି।