Latest Odisha News

BREAKING NEWS

ଅଲଗା ହେବେ ବର୍ଷା-ଅନୁଭବ, ବିବାହ ବିଚ୍ଛେଦ ପାଇଁ ଅନୁଭବଙ୍କୁ ମିଳିଲା ଅନୁମତି

କଟକ: ସାଂସଦ ଅନୁଭବ ମହାନ୍ତି-ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାରେ ଆସିଛି ବଡ଼ ଖବର । ତାରକା-ଦମ୍ପତି ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ। ଏଥି ସହିତ ଦୀର୍ଘ ଦିନ ଧରି ଲାଗିରହିଥିବା ବିବାଦୀୟ ଛାଡ଼ପତ୍ରର ଖୁବ୍ ଶୀଘ୍ର ଅନ୍ତ ଘଟିବାକୁ ଯାଉଛି।

ମିଳିଥିବା ସୂଚନା ମୁତାବକ, ପରିବାର ଅଦାଲତ ପୂର୍ବରୁ ଏହି ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିଲେ | ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଅନୁଭବ | କୋର୍ଟ ଏହି ଆବେଦନକୁ ଗ୍ରହଣ କରି ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି |ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପରିବାର ଅଦାଲତଙ୍କ ରାୟକୁ ମଧ୍ୟ ହାଇକୋର୍ଟଙ୍କ ଖାରଜ କରିଛନ୍ତି ।

ହାଇକୋର୍ଟରେ ଜାରି ହୋଇଥିବା ପିଟିଶନ୍‌ରେ ଅନୁଭବ ଦର୍ଶାଇଥିଲେ ଯେ, ୨୦୧୪ରେ ଉଭୟଙ୍କ ବିବାହ ହୋଇଥିଲେ ମଧ୍ୟ ବିଭିନ୍ନ ସମୟରେ ବର୍ଷା ଶାରୀରିକ ସମ୍ପର୍କ ରଖିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ। ବର୍ଷା ଅନୁଭବଙ୍କୁ ତାଙ୍କ ବୈବାହିକ ଜୀବନରେ କେବେ ବି ଖୁସି ଦେଇନାହାନ୍ତି। ଓଲଟା ସେ ସର୍ବଦା ଅନୁଭବଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିଲେ। ପାରିବାରିକ ଜୀବନରେ ବର୍ଷା କେବେହେଲେ ତାଙ୍କୁ ସହଯୋଗ କରୁ ନ ଥିଲେ। ଦୁହିଁଙ୍କ ଭିତରେ ମତ ପାର୍ଥକ୍ୟ ଥିବା କାରଣରୁ ଉଭୟ ଦୀର୍ଘଦିନ ହେବ ଅଲଗା ରହୁଛନ୍ତି। ଆଜି ଏହି ମାମଲାରେ ହାଇକୋର୍ଟ ଶୁଣାଣି ଶେଷ କରିବା ସହିତ ବିଛେଦ ପାଇଁ ଅନୁମତି ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ,ଗତ ୨୦୧୪, ଫେବୃଆରି ୮ରେ ଅନୁଭବ ବର୍ଷାଙ୍କୁ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ବିବାଦ ଦେଖା ଦେବାରୁ ୨୦୨୦ରେ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ଅନୁଭବ। କିନ୍ତୁ ଛାଡ଼ପତ୍ର ପିଟିସନକୁ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୧, ମାର୍ଚ୍ଚ ୫ରେ ସୁପ୍ରିମକୋର୍ଟ ବର୍ଷାଙ୍କ ଟ୍ରାନ୍ସଫର ପିଟିସନକୁ ଅନୁମତି ଦେଇଥିଲେ। ସେବେଠାରୁ କଟକ ପରିବାର ଅଦାଲତରେ ଏହି କେସ୍  ଜାରି ରହିଥିଲା । କିନ୍ତୁ ପରିବାର ଅଦାଲତ ଏହି ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିଲେ | ଆଉ ଏବେ ହାଇକୋର୍ଟ ବିବାହ ବିଛେଦ ପାଇଁ ଅନୁମତି ଦେଇଛନ୍ତି |

Leave A Reply

Your email address will not be published.