ଭୁବନେଶ୍ବର: ‘ବିଗତ ଏକ ଦଶନ୍ଧି ମଧ୍ୟରେ ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମି ନିର୍ମ।ଣ କ୍ଷେତ୍ରରେ ବହୁ ଆଗକୁ ଯାଇଛି। ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣା ଉପରେ ସରକାର ବିଶେଷ ଦୃଷ୍ଟି ଦେଉଛନ୍ତି। ଓଡ଼ିଶା ସହ ମୋର ସଂପର୍କ ବହୁ ପୁରୁଣା । କଟକରେ ଆୟୋଜିତ ଜୁନିୟର ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ମୋର କ୍ୟାରିୟର ଆଗକୁ ବଢ଼ିଥିଲା ।’ କଳିଙ୍ଗ ଷ୍ଟାଡିୟମ ଟେନିସ କେନ୍ଦ୍ର ସମ୍ମିଳନୀ କକ୍ଷରେ ଆୟୋଜିତ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସଜା)ର ବାର୍ଷିକ ପୁରସ୍କାର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅର୍ଜୁନ ପୁରସ୍କାର ବିଜେତା ପୂର୍ବତନ ଆଥଲେଟ ସିନିମୋଲେ ପାଓଲୋସ ଏ କଥା କହିଥିଲେ ।
୨୦୨୪ ବର୍ଷ ପାଇଁ ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ତଥା ସଫଳ ଫୁଟବଲ କୋଚ ମହମ୍ମଦ ସହିଦ ଜବାରଙ୍କୁ ଜୀବନବ୍ୟାପୀ ସେବା (ଲାଇଫଟାଇମ) ଏବଂ ଓଡ଼ିଶା ସନ୍ତରଣର ସଫଳତମ ଖେଳାଳି ପ୍ରତ୍ୟାଶା ରାୟଙ୍କୁ ବର୍ଷର ଶ୍ରେଷ୍ଠ ଖେଳାଳି ଭାବରେ ନଗଦ ୨୫ ହଜାର ଲେଖାଏଁ ଟଙ୍କା, ପ୍ରଶସ୍ତିପତ୍ର, ଉତ୍ତରୀୟ ଏବଂ ବିଶେଷ ଟ୍ରଫି ପ୍ରଦାନ କରାଯାଇଥିଲା । କାର୍ୟ୍ୟକ୍ରମରେ ଦୀପଙ୍କର ମହାପାତ୍ର (ସିଇଓ, ଏଚପିସିଓ), ଚେସ ଗ୍ରାଣ୍ଡମାଷ୍ଟର ସ୍ବୟଂସ ମିଶ୍ର ଏବଂ ଭେଟେରାନ ହକି କୋଚ ଅମୂଲ୍ୟ ନନ୍ଦ ବିହାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
‘ରାଜ୍ୟରେ କ୍ରୀଡ଼ା ଏବଂ କ୍ରୀଡ଼ା ଭିତ୍ତିଭୂମିର ବିକାଶ ନେଇ ସରକାର ଗୁରୁତ୍ବ ଦେଇ ଆସୁଛନ୍ତି । ସେମିତି ଆମ କ୍ରୀଡ଼ାବିତମାନଙ୍କର ଯେମିତି କୌଣସି ଅସୁବିଧା ନହୁଏ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେଉଛନ୍ତି । ଆଗାମୀ ଜାତୀୟ କ୍ରୀଡ଼ାରେ ଆମ ରାଜ୍ୟ ଦଳ ପୂର୍ବ।ପେକ୍ଷା ଭଲ ପ୍ରଦର୍ଶନ କରିବ ବୋଲି ମହାପାତ୍ର ପ୍ରକାଶ କରିଥିଲେ । ‘କ୍ରୀଡ଼ାର ପ୍ରଚାର ପ୍ରସାର ଓ ବିକାଶରେ ଗଣମାଧ୍ୟମର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ଓଡ଼ିଶା ହକି ଆଜି ଯେଉଠି ବି ପହିଞ୍ଚିଛି ଖେଳାଳିମାନେ ଯେତିକି ପରିଶ୍ରମ କରିଛନ୍ତି। ଖେଳାଳିମାନଙ୍କୁ ଉତ୍ସାହିତ କରିବାରେ ଗଣମାଧ୍ୟମ ପ୍ରମୁଖ ଭୂମିକା ନେଇଥାଏ ବୋଲି କୋଚ ଅମୂଲ୍ୟ ନନ୍ଦ କହିଥିଲେ, ।’
‘କ୍ରୀଡ଼ା ସାମ୍ବାଦିକମାନେ କେବଳ କ୍ରୀଡ଼ାର ପ୍ରଚାର ପ୍ରସାର କରନ୍ତି ନାହିଁ ବରଂ ଜଣେ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରନ୍ତି। ମୋ କ୍ଷେତ୍ରରେ ମଧ୍ୟ ଏହା ଘଟିଥିଲା । ସମସ୍ତ କ୍ରୀଡ଼ାବିତଙ୍କୁ ମୋର ପରାଶର୍ମ କଠିନ ପରିଶ୍ରମ କରନ୍ତୁ ସଫଳତା ନିଶ୍ଚିତ ମିଳିବ ବୋଲି କହିଥିଲେ ଜିଏମ ସ୍ବୟଂସ।ଓସଜା ସଭାପତି ସନ୍ଦୀପ ମିଶ୍ର କାର୍ୟ୍ୟକ୍ରମରେ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ସମ୍ପାଦକ ସୁରେଶ କୁମାର ସ୍ବାଇଁ ସଂଘର ଯାତ୍ରା ଓ ଆଗାମୀ ଲକ୍ଷ୍ୟ ସଂପର୍କରେ ଅବଗତ କରାଇଥିଲେ । କାର୍ୟ୍ୟକାରୀ ସଭାପତି ସମ୍ବିତ ମହାପାତ୍ର ମଞ୍ଚ ପରିଚାଳନା ଏବଂ କୋଷାଧ୍ୟକ୍ଷ ଦେବାଶିଷ ସୁନ୍ଦରାୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ ସହ ଅନୁବନ୍ଧିତ ଓସଜା ବା ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ୨୦୧୮ରୁ ବାର୍ଷିକ ପୁରସ୍କାର ପ୍ରଦାନ କରି ଆସୁଛି । ପ୍ରଥମ ବର୍ଷର ବିଜେତା ଥିଲେ ଆଥଲେଟ ପୂର୍ଣ୍ଣିମା ହେମ୍ବ୍ରମ ଓ ଫୁଟବଲର ଦେବ ସିଂ । ୨୦୧୯ରେ ହକି ତାରକା ଅମିତ ରୋହିଦାସ ଓ ଦ୍ରୋଣାଚାର୍ୟ୍ୟ ବିଜେତା ବକ୍ସିଂ କୋଚ ବ୍ରଜଭୂଷଣ ମହାନ୍ତି, ୨୦୨୦ରେ ପାରା-ଆଥଲେଟ ପ୍ରମୋଦ ଭଗତ ଓ ବିଶିଷ୍ଟ ଆଥଲେଟିକ୍ସ କୋଚ ପଞ୍ଚାନନ ଗନ୍ତାୟତ, ୨୦୨୧ରେ ଚେସ ଗ୍ରାଣ୍ଡ ମାଷ୍ଟର ସ୍ବୟଂସ ମିଶ୍ର ଓ ଆଥଲେଟିକ୍ସ କୋଚ ଅରୁଣ ଦାସ, ୨୦୨୨ରେ ବିଶିଷ୍ଟ ବାସ୍କେଟବଲ ଖେଳାଳି ଅରୂପାନନ୍ଦ ରାଉତରାୟ ଓ ହକି ଅଲିମ୍ପିଆନ ବିରେନ୍ଦ୍ର ଲାକ୍ରା, ୨୦୨୩ରେ ସାଇକ୍ଲିଷ୍ଟି ସ୍ବସ୍ତି ସିଂ ଓ ଓଡ଼ିଶାର ପ୍ରଥମ ଆନ୍ତର୍ଜ।ତିକ ହକି ଖେଳାଳି ପିଟର ତିର୍କୀ ତଥା ୨୦୨୪ରେ ଜାଭେଲିନ ଷ୍ଟାର କିଶୋର କୁମାର ଜେନା ଏବଂ ଅର୍ଜୁନ ପୁରସ୍କାର ବିଜେତା ଭାରୋଉତ୍ତଳକ ବିଜୟ ଶତପଥିଙ୍କୁ ପ୍ରଦାନ କରାଯାଇଥିଲା ।
Comments are closed.