Latest Odisha News

ରଥଯାତ୍ରା ଉପଲକ୍ଷେ ‘ଓଟିଡ଼ିସି’ ର ସ୍ପେସାଲ୍ ଟୁର୍ ପ୍ୟାକେଜ୍

ଭୁବନେଶ୍ୱର: ଆସନ୍ତା ଜୁଲାଇ ୧୪ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଓଡ଼ିଶା ଟୁରିଜିମ୍ ଡ଼େଭଲପମେଣ୍ଟ କର୍ପୋରେସନ (ଓଟିଡ଼ିସି) ପକ୍ଷରୁ ଏକ ସ୍ପେସାଲ୍ ଟୁର୍ ପ୍ୟାକେଜ ଘୋଷିତ ହୋଇଛି ।

ଗ୍ରାଣ୍ଡ ସେଣ୍ଟ୍ରାଲ୍ ହୋଟେଲ୍ ରୁଫଟପ୍ ପ୍ୟାକେଜ ନିମନ୍ତେ ଦାମ ରହିଛି ଜଣକ ପିଛା ୪,୧୯୯ ଟଙ୍କା ଭୁବନେଶ୍ୱର-କଟକରୁ ପରିଦର୍ଶନ ପାଇଁ । ଯେଉଁ ପର୍ଯ୍ୟଟକମାନେ ସମ୍ବଲପୁରରୁ ଯାତ୍ରାରମ୍ଭ କରିବେ ତେବେ ସେମାନଙ୍କୁ ୫,୨୪୯ଟଙ୍କା ପୈଠ କରିବାକୁ ପଡ଼ିବ ।

ଜୁଲାଇ ୧୩ ତାରିଖ ସନ୍ଧ୍ୟାରେ ପର୍ଯ୍ୟଟକମାନେ ଯାତ୍ରାଆରମ୍ଭ କରିବେ ଏବଂ ଭୁବନେଶ୍ୱର ଦେଇ ପୁରୀରେ ପହଞ୍ଚିବେ । ସେହିପରି ରଥଯାତ୍ରା ସରିବା ପରେ ସେଦିନ ସନ୍ଧ୍ୟାବେଳେ ଅର୍ଥାତ ଜୁଲାଇ ୧୪ ତାରିଖ ଦିନ ଭୁବନେଶ୍ୱରକୁ ଫେରିବେ । ଭୁବନେଶ୍ୱର ପାନ୍ଥନିବାସରେ ରାତ୍ରିଭୋଜନ କରିବାର ବନ୍ଦୋବସ୍ତ କରାଯାଇଛି । ସେହିପରି ଇକୋନୋମିକ ରୁଫଟପ ପ୍ୟାକେଜ ଅନୁଯାୟୀ ଯାତ୍ରୀ ପିଛା ୨,୦୯୯ ଟଙ୍କା ପୈଠ କରିବାକୁ ଥିଲାବେଳେ ଯାତ୍ରୀମାନେ ଜଗନ୍ନାଥବଲ୍ଲଭ ମଠରେ ରାତ୍ରୀ ଭୋଜନ କରିପାରିବେ ।

ଏହି ଦୁଇଟି ପ୍ୟାକେଜ ଟୁର୍ ଲାଗି ଭୁବନେଶ୍ୱରରୁ ସକାଳ ୬ଟାରେ ଏସି ବସର ସୁବ୍ୟବସ୍ଥା କରିଛି ଓଟିଡ଼ିସି । କେବଳ ଭୁବନେଶ୍ୱର ଓ କଟକରୁ ଆରମ୍ଭ କରୁଥିବା ପରିଦର୍ଶକଙ୍କ ଲାଗି ଜଗନ୍ନାଥବଲ୍ଲଭ ମଠରେ ଭୋଜନ କରିବାର ବ୍ୟବସ୍ଥା କରାଯାଇଛି ।

ଏହି ଟୁର ପ୍ୟାକେଜରେ ରହିଛି ଏସି ବସ ବ୍ୟବସ୍ଥା, ବ୍ରେକଫାଷ୍ଟ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରୀଭୋଜନ, ଅପରାହ୍ନ ଚା’ ଜଳଖିଆ ସାଙ୍ଗକୁ ଗାଇଡ଼ ସେବା ମଧ୍ୟ ଉପଲବ୍ଧ ରହିବ ବୋଲି ଓଟିଡ଼ିସି କର୍ତ୍ତୃପକ୍ଷ କହିଛନ୍ତି ।

ଅଗ୍ରୀମ ବୁକିଂ କରିବାକୁ ହେଲେ ଓଟିଡ଼ିସିର ୱେବସାଇଟ ଯାଇ ଲଗଅନ କରିବାକୁ ପଡ଼ିବ । http://www.panthanivas.com/rathyatra/ and https://visitodisha.org/

Leave A Reply

Your email address will not be published.