Latest Odisha News

କେପ ବର୍ଡେ ଉପକୂଳରେ ବୁଡିଲା ଜାହାଜ: ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା

କେପ ବର୍ଡେ: ପଶ୍ଚିମ ଆଫ୍ରିକୀୟ ଦେଶ କେପ ବର୍ଡେରେ ବଡ ଅଘଟଣ । କେପ ବର୍ଡେ ଉପକୂଳରେ ଏକ ପ୍ରବାସୀ ଜାହାଜ ସମୁଦ୍ରରେ ବୁଡି ଯିବାରୁ ୬୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଏନେଇ ଅନ୍ତର୍ଜାତୀୟ ପ୍ରବାସୀ ସଂଗଠନ ପକ୍ଷରୁ ସୂଚନା ମିଳିଛି ।

ଅନ୍ତର୍ଜାତୀୟ ପ୍ରବାସୀ ସଂଗଠନ(IOM)ର ସୂଚନା ଅନୁସାରେ, ପ୍ରବାସୀ ଜାହାଜ ଦୁର୍ଘଟଣାରେ ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ସମୁଦ୍ର ଭିତରୁ ୪ ଜଣ ପିଲାଙ୍କ ସମେତ ୩୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏବେ ବି ୫୬ ଜଣ ସମୁଦ୍ରରେ ନିଖୋଜ ଅଛନ୍ତି । ଗତ ଜୁଲାଇ ୧୦ରୁ ଜାହାଜଟି ସେନେଗଲରୁ ବାହାରି ଥିଲା । ଏଥିରେ ୧୦୦ରୁ ଅଧିକ ପ୍ରବାସୀ ଓ ଶରଣାର୍ଥୀ ଥିଲେ । ତେବେ ଜାହାଜ ବୁଡିବାର ସଠିକ ସମୟ ଜଣାନଥିବା ବେଳେ ଗତ ସୋମବାର ଦିନ କେପ ବର୍ଡେ ଦ୍ବୀପ ଠାରୁ ପ୍ରାୟ ୨୭୭ କିଲୋମିଟର ଦୂର ଆଟଲାଣ୍ଟିକ ମହାସାଗରରେ ଏହାକୁ ଠାବ କରାଯାଇଥିଲା । ସ୍ପେନର ଗୋଟିଏ ମାଛଧରା ଜାହାଜ ଉକ୍ତ ଦୁର୍ଘଟଣାଗ୍ରସ୍ତ ଜାହାଜକୁ ଦେଖିବା ପରେ କେପ ବର୍ଡେ ଅଧିକାରୀଙ୍କୁ ଜଣାଇଥିଲା ।

ପ୍ରକାଶ ଥାଉକି, ଦୁଇ ମାସ ତଳେ ଗ୍ରୀସ ଉପକୂଳରେ ଗୋଟିଏ ଜାହାଜ ବୁଡି ଯିବାରୁ ୭୯ ଜଣଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଥିଲେ । ଦୁର୍ଘଟଣାରେ ଆହୁରି ଅନେକ ଲୋକ ନିଖୋଜ ଥିଲେ । ଜାହାଜରେ ୭୫୦ରୁ ଅଧିକ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ମାତ୍ର ୧୦୪ ଜଣଙ୍କୁ ଉଦ୍ଧାର କରାଯାଇ ପାରିଥିଲା ।

Leave A Reply

Your email address will not be published.