Latest Odisha News

ବିଦ୍ୟାଳୟର ବାସ୍ତବ ଚିତ୍ର ନେଇ ବିଧାୟକଙ୍କ ଉଦବେଗ, ସମୀର କହିଲେ; ରାଜ୍ୟରେ ରହିବନି ଶିକ୍ଷକ ଅଭାବ

ଭୁବନେଶ୍ୱର : ବିଧାନସଭାରେ ବୁଧବାର ଉଠିଥିଲା ରାଜ୍ୟବ୍ୟାପୀ ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ସ୍କୁଲ ରୂପାନ୍ତରୀକରଣରେ ଦେଖାଦେଉଥିବା ଅବ୍ୟବସ୍ଥା ପ୍ରସଙ୍ଗ। ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଗୃହରେ ଉଭୟ ବିରୋଧୀ ଓ ଶାସକ ଦଳ ଉଦବେଗ ପ୍ରକାଶ କରିଥିଲେ । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଅଭିଯୋଗ ଆଣି କହିଥିଲେ, ସ୍କୁଲ ରୂପାନ୍ତରିତ ହେଉଛି କିନ୍ତୁ ଶିକ୍ଷକ ନାହାନ୍ତି। ସମାନ ଅଭିଯୋଗ ଆଣିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ତାରା, ନିଜ ନିର୍ବାଚନମଣ୍ଡଳୀର ଉଦାହରଣ ଦେଇ କହିଛନ୍ତି, ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ଡିଗ୍ରୀ କଲେଜ ଯାଏଁ ସବୁଠି ଅବ୍ୟବସ୍ଥା । ଏତେ ବର୍ଷଧରି ଶାସନରେ ଥିବା ବିଜେଡି ସରକାର ଶିକ୍ଷାର ବିକାଶ ଓ ଏହାର ଭିତ୍ତିଭୂମୀ ମଜଭୂତ କରିବାରେ ବିଫଳ ବୋଲି କହି ସମାଲୋଚନା କରିଥିଲେ। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜ ଅଞ୍ଚଳର ସ୍କୁଲର ଉଦାହରଣ ଦେଇ କହିଥିଲେ ଗୋଟିଏ ସ୍କୁଲରେ ୯ ଜଣ ଶିକ୍ଷକ ନାହାନ୍ତି। ତାହେଲେ କେମିତିକା ରୂପାନ୍ତରୀକରଣ କରୁଛନ୍ତି ସରକାର । ସେପଟେ ୫-ଟି ମାଧ୍ୟମରେ ରୂପାନ୍ତରୀତ ସ୍କୁଲଗୁଡିକରେ ପେମେଣ୍ଟ ହୋଇ ପାରୁନାହିଁ ବୋଲି କହିଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ, ବିଜେଡି ବିଧାୟକ ନୃସିଂହ ସାହୁ ଓ ସୁଧାଂଶୁ ପରିଡ଼ା । ବିଜେଡି ବିଧାୟକ ସଞ୍ଜୀବ ମଲିକ ଓ ଅମର ପ୍ରସାଦ ଶତପଥୀ ମଧ୍ୟ ବିଧାନସଭାରେ ଶିକ୍ଷକ ଅଭାବ କଥା ଉଠାଇଥିଲେ।

ଉଭୟ ଶାସକ ଓ ବିରୋଧୀ ଦଳ ବିଧାୟକଙ୍କ ଗୃହରେ ଶିକ୍ଷକ ଅଭାବ ନେଇ ଉଦବେଗ ପ୍ରକାଶ ପରେ ଉତ୍ତର ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ, ରାଜ୍ୟରେ ଶିକ୍ଷକ ଅଭାବ ରହିବ ନାହିଁ । ସମୁଦାୟ ୫୩ ହଜାର ଶିକ୍ଷକ ନିଯୁକ୍ତି ହେବେ ଓ ଏଥିପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ।  ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି। ସେହିପରି ବକେୟା ପେମେଣ୍ଟ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ବୋଲି ସମୀର ରଞ୍ଜନ ଦାଶ କହିଥିଲେ ।

‘୫-ଟି ଜରିଆରେ ରୂପାନ୍ତରିତ ବିଦ୍ୟାଳୟ ସମ୍ପର୍କରେ ସୂଚନା ଦେଇ ସମୀର କହିଛନ୍ତି, ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୦୭୫, ଦ୍ଵିତୀୟ ପର୍ଯ୍ୟାୟରେ ୩୪୬୧ ଓ ତୃତୀୟ ପର୍ଯ୍ୟାୟରେ ୨୩୩୬ ଉଚ୍ଚ ବିଦ୍ୟାଳୟ ରୂପାନ୍ତରିତ ହୋଇଛି । ସେହିପରି “ମୋ ସ୍କୁଲ” ଜରିଆରେ ୯୬୩, ସ୍କୁଲ ରୂପାନ୍ତର ଜରିଆରେ ୨୮୧୦ ଓ ସମଗ୍ର ଶିକ୍ଷା ଅଭିଯାନରେ ୨୦୦ ଶ୍ରେଣୀ ଗୃହ ବଢ଼ାଯାଇଛି । ଏଥିସହ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ  କହିଛନ୍ତି, ରାଜ୍ୟର ମୋଟ ୫୦ ହଜାର ୨୬୩ ସ୍କୁଲ ମଧ୍ୟରୁ ୮ ହଜାର ୨୪ ହାଇସ୍କୁଲ ଓ ୪୨ ହଜାର ୨୩୯ ପ୍ରାଥମିକ ସ୍କୁଲ ରହିଛି । ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବଢ଼ୁଥିବାରୁ ଶ୍ରେଣୀ ଗୃହ ବୃଦ୍ଧି କରାଯାଉଛି ।

 

Leave A Reply

Your email address will not be published.