ଲାହୋର: ଆଗାମୀ ଅକ୍ଟୋବର ମାସରେ ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ ବା FATFର ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ପାକିସ୍ତାନ ନିଜକୁ ଗ୍ରେ-ଲିଷ୍ଟରୁ ବଞ୍ଚାଇବା ପାଇଁ ପୁଣି ଏକ ନୂଆ ନାଟକ ଆରମ୍ଭ କରିଛି। ପାକିସ୍ତାନର ସଂଘୀୟ ତଦନ୍ତକାରୀ ସଂସ୍ଥା (FIA) କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ର ମୁଖ୍ୟ ମାସୁଦ୍ ଅଜହରକୁ ନିଜର ନୂତନ ‘ରେଡ୍ ବୁକ୍’ରେ ଜଣେ ଫେରାର ଅପରାଧୀ ଭାବରେ ତାଲିକାଭୁକ୍ତ କରିଛି।ଏଥିସହିତ ତାକୁ ଧରାଇଦେବା ପାଇଁ ପୁରସ୍କାର ରାଶିକୁ ୨୦ ଲକ୍ଷ ବୃଦ୍ଧି କରି ସମୁଦାୟ ୭୦ ଲକ୍ଷ ପାକିସ୍ତାନୀ ଟଙ୍କାରେ ପହଞ୍ଚାଇଛି।
FIA ପୂର୍ବରୁ ୨୦୨୧ ମସିହାରେ ତା’ ଉପରେ ୫୦ ଲକ୍ଷ ଟଙ୍କା ଘୋଷଣା କରିଥିଲା। ପାକିସ୍ତାନ ସରକାର ଓ ଏଫ୍ଆଇଏ ଦାବି କରିଆସୁଛନ୍ତି ଯେ ମାସୁଦ୍ ଅଜହର ୨୦୨୧ରୁ ପାକିସ୍ତାନରେ ନାହିଁ ଏବଂ ସେ ଆଫଗାନିସ୍ତାନକୁ ପଳାୟନ କରିଛି। ତେବେ ଭାରତୀୟ ଗୁପ୍ତଚର ସଂସ୍ଥାଗୁଡ଼ିକର କହିବା ଅନୁଯାୟୀ, ଏହା କେବଳ ଆନ୍ତର୍ଜାତୀୟ ସମୁଦାୟକୁ ବିଭ୍ରାନ୍ତ କରିବାର ଏକ ଚାଲାକି। ବାସ୍ତବରେ ମାସୁଦ୍ ଅଜହର ପାକିସ୍ତାନର ସିନ୍ଧ ପ୍ରଦେଶସ୍ଥିତ ନବାବଶାହ ସହରରେ ସୁରକ୍ଷିତ ଭାବେ ଲୁଚି ରହିଛି।
ଭାରତରେ ୨୦୦୧ ସଂସଦ ଆକ୍ରମଣ, ୨୦୧୬ ପଠାନକୋଟ୍ ଏବଂ ୨୦୧୯ ପୁଲୱାମା ଆକ୍ରମଣ ଭଳି ଭୟଙ୍କର କାଣ୍ଡ ପଛରେ ମାସୁଦ୍ ଅଜହରର ମୁଖ୍ୟ ହାତ ରହିଥିଲା। ସେ ମିଳିତ ଜାତିସଂଘ ଦ୍ୱାରା ଜଣେ ବିଶ୍ୱସ୍ତରୀୟ ଆତଙ୍କବାଦୀ ଭାବେ ଘୋଷିତ ହୋଇସାରିଛି। ଆଗାମୀ ଏଫ୍ଏଟିଏଫ୍ ସମୀକ୍ଷାରେ କଠୋର ଆର୍ଥିକ କଟକଣାରୁ ବର୍ତ୍ତିବା ଏବଂ ବିଶ୍ୱ ଦରବାରରେ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନର ମିଛ ନାଟକ ଦେଖାଇବା ପାଇଁ ପାକିସ୍ତାନ ଏହି ପଦକ୍ଷେପ ନେଇଥିବା ବିଶ୍ଲେଷକମାନେ ମତପୋଷଣ କରିଛନ୍ତି।

