Latest Odisha News

BREAKING NEWS

ହୃଦୟ ଜିତିଲା ଶତ୍ରୁ ପକ୍ଷ: ସମୁଦ୍ର ଭିତରେ ଭାରତୀୟଙ୍କୁ ଉଦ୍ଧାର କଲେ ପାକିସ୍ତାନୀ ନୌସେନା ଅଧିକାରୀ

ନୂଆଦିଲ୍ଲୀ: ସମସ୍ତ ବାଦ ବିବାଦ ସତ୍ତ୍ୱେ ହୃଦୟ ଜିତିଛି ଶତ୍ରୁ ପକ୍ଷ ପାକିସ୍ତାନ । ପାକିସ୍ତାନ ନୌସେନା ଗୁରୁବାର ଦିନ କହିଛି ଯେ ଏକ ଜାହାଜ ଆରବ ସାଗରରେ ଓଲଟି ପଡିଥିଲା । ଏହି ସମୟରେ ଜାହାଜର ଚାଳକ ସମେତ ୯ ଜଣ କ୍ରିଉ ସଦସ୍ୟଙ୍କୁ ପାକିସ୍ତାନୀ ନୌସେନା ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ଲୋକ ସମସ୍ତେ ଭାରତୀୟ । ପାକିସ୍ତାନୀ ନୌସେନାର ଜନସମ୍ପର୍କ ବିଭାଗର ମହାନିର୍ଦ୍ଦେଶକ ଏକ ବିବୃତ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି । ଅଗଷ୍ଟ ୯ରେ ବେଲୁଚିସ୍ତାନ ଉପକୂଳବର୍ତ୍ତୀ ସହର ଗ୍ୱାଦର ନିକଟରେ ଭାରତୀୟ ଜାହାଜ ‘ଜମ୍ନା ସାଗର’ ବୁଡ଼ିଯିବା ପରେ ଏହି ଘଟଣା ଘଟିଥିଲା । ଏଥିରେ ୧୦ ଜଣକ୍ରୁ ସଦସ୍ୟ ଥିଲେ ।

ବିବୃତ୍ତି ଅନୁଯାୟୀ, ପାକିସ୍ତାନ ନୌସେନା ଜାହାଜ ଓଲଟି ପଡିବା ବାବଦରେ ସୂଚନା ପାଇଥିଲା । ଏହା ପରେ ପାକିସ୍ତାନ ସାମୁଦ୍ରିକ ସୂଚନା କେନ୍ଦ୍ର ନିକଟସ୍ଥ ବାଣିଜ୍ୟିକ ଜାହାଜ ଏମ.ଟି କ୍ରୁଏବେକେଙ୍କୁ ଭାରତୀୟ ଜାହାଜ କର୍ମଚାରୀଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଥିଲା । ଜାହାଜ ଶେଷରେ ନଅ ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରିଛି ବୋଲି ବିବୃତ୍ତିରେ କୁହାଯାଇଛି । ପାକିସ୍ତାନୀ ନୌସେନା ଜାହାଜ ନିଖୋଜ କ୍ରିଉ ସଦସ୍ୟଙ୍କ ମୃତଦେହକୁ ପାକିସ୍ତାନ ସାମୁଦ୍ରିକ ସୁରକ୍ଷା ଏଜେନ୍ସିକୁ ହସ୍ତାନ୍ତର କରିଥିଲା ।

ଉଲ୍ଲେଖଯୋଗ୍ୟ, ଭାରତ ପାକିସ୍ତାନ ସୀମାରେ ଉତ୍ତେଜନା ଜାରି ରହିଛି । ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ଜମ୍ମୁ କଶ୍ମୀରରେ ରହୁଥିବା ଭାରତୀୟ ବିଭିନ୍ନ ସମୟରେ ଅଡୁଆ ପରିସ୍ଥିତି ସାମ୍ନା କରୁଛନ୍ତି । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ ନାହିଁ । ଆତଙ୍କବାଦୀକୁ କଡା ଜବାବ ଦେବାକୁ ଯାଇ ସର୍ଜିକାଲ ଷ୍ଟ୍ରାଇକ, ଏୟାର ଷ୍ଟ୍ରାଇକ ଭଳି ରଣନୀତି ଭାରତୀୟ ସେନା ଆପଣାଇସାରିଛନ୍ତି ।

Leave A Reply

Your email address will not be published.