Latest Odisha News

BREAKING NEWS

ଭାରତ ଗସ୍ତରେ ଆସିବେ ପାକ ବୈଦେଶିକ ମନ୍ତ୍ରୀ ବିଲାବଲ ଭୁଟ୍ଟୋ

ଇସଲାମବାଦ:ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ଏସସିଓ (Shanghai Cooperation Organization) ବୈଠକରେ ଯୋଗ ଦେବା ପାଇଁ ଭାରତ ଆସିବେ । ଗୋଆରେ ମେ’ ୪ ଓ ୫ ଦୁଇ ଦିନ ଧରି ହେବାକୁ ଥିବା ବୈଦିଶିକ ବ୍ୟାପାର ମନ୍ତ୍ରୀଙ୍କର ଏହି ବୈଠକରେ ଜର୍ଦ୍ଦାରୀ ଯୋଗ ଦେବେ ବୋଲି ପାକିସ୍ତା ଫରେନ ଅଫିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ପ୍ରଥମ ଥର ପାଇଁ ପାକିସ୍ତାନର ଜଣେ ପ୍ରମୁଖ ନେତା ଭାରତ ଗସ୍ତରେ ଆସିବେ । ଏହାପୂର୍ବରୁ ୨୦୧୪ରେ ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ଭାରତ ଆସିଥିଲେ । ୨୦୨୨ର SCO ସମ୍ମିଟ ଉଜବେକିସ୍ତାନର ସମରକନ୍ଦରେ ହୋଇଥିଲା ।

ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, SCO ସମ୍ମିଟରେ ସାମିଲ ହେବାକୁ ଥିବା ପ୍ରତିନିଧିମଣ୍ଡଳର ଦାୟିତ୍ୱ ନେବେ ମନ୍ତ୍ରୀ ବିଲାବଲ ଭୁଟ୍ଟୋ । ଏଠି କହିରଖିବୁ, ପୂର୍ବରୁ ବିଲାବଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତ୍ରବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ ।

ତେବେ ଭାରତ-ପାକିସ୍ତାନ ସମ୍ପର୍କ ଏକ ତିକ୍ତ ସ୍ଥାନରେ ପହଞ୍ଚିଥିବବେଳେ ବିଲାବଲ ଭାରତ ଆସୁଛନ୍ତି । ଗତ କିଛି ବର୍ଷ ଧରି ଭାରତ ଏବଂ ପାକିସ୍ତାନର ନେତା କେହି କାହା ଦେଶକୁ ଯିବାଆସିବା ବନ୍ଦ କରି ଦେଇଥିବାବେଳେ ପ୍ରଥମ କରି ବିଲାବଲ ଏହି ଧାରାକୁ ଭାଙ୍ଗିବାକୁ ଯାଉଛନ୍ତି ।

ଏଠି ମନେପକାଇ ଦେବାକୁ ଚାହିଁବୁ, ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦି ନବାଜ ଶରିଫଙ୍କ ନାତୁଣୀ ମେହରୁନ୍ନିସାଙ୍କ ବିବାହରେ ପାକିସ୍ତାନ ପହଞ୍ଚିଥିଲେ । ସେହିଦିନ ନବାଜ ସରିଫଙ୍କର ଜଦ୍ମଦିନ ମଧ୍ୟ ଥିଲା । ମୋଦି ଅଚାନକ ସେଠାରେ ପହଞ୍ଚି ଶୁଭେଚ୍ଛା ଜଣାଇଥିଲେ । ସେ ସମୟରେ ବିଲାବଲ ତାଙ୍କୁ ସ୍ୱାଗତ କରିଥିଲେ । ଏ ନେଇ ସେ ତାଙ୍କ ଟୁଇଟର ହାଣ୍ଡେଲରେ ଲେଖିଛନ୍ତି ‘ନରେନ୍ଦ୍ର ମୋଦି ପାକିସ୍ତାନରେ ଆପଣଙ୍କୁ ସ୍ୱାଗତ ।’

ହେଲେ ଗତ ଡିସେମ୍ବରରେ ନ୍ୟୁୟର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ  ସେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇଥିଲେ । ଭାରତ ବୈଦେଶିକ ମନ୍ତ୍ରୀଙ୍କ ଟିପ୍ପଣୀ  ୯/୧୧ ମାଷ୍ଟରମାଇଣ୍ଡ ଓସାମା ବିନ ଲାଡେନ ପ୍ରସଙ୍ଗରେ ବିଲାବଲ କହିଥିଲେ, ‘ଲାଡେନ ତ ମରିଗଲାଣି । ହେଲେ ଗୁଜରାଟର ହତ୍ୟାକାରୀ ଏବେ ବି ବଞ୍ଚିଛନ୍ତି ଏବଂ ସେ ଭାରତର ପ୍ରଧାନମନ୍ତ୍ରୀ ।’

Leave A Reply

Your email address will not be published.