ଗ୍ଲାସଗୋ:ଗ୍ଲାସଗୋରେ ଶେଷ ହୋଇଥିବା କମନୱେଲଥ୍ ଗେମ୍ସ ପରେ ପାକିସ୍ତାନ କ୍ରୀଡ଼ା ଜଗତରେ ପୁଣି ଥରେ ବଡ଼ ବିବାଦ ଦେଖାଦେଇଛି । ପାକିସ୍ତାନୀ ବକ୍ସର କୁଦରତୁଲ୍ଲା ଟିମ୍ ହୋଟେଲରୁ ହଠାତ୍ ଗାଏବ ହୋଇଯିବା ପରେ ପାକିସ୍ତାନ ବକ୍ସିଂ ଫେଡେରେସନ୍ ପୁଣି ଥରେ ଗମ୍ଭୀର ସମାଲୋଚନାର ଶିକାର ହୋଇଛି । କୌଣସି ବଡ଼ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟ ପରେ ପାକିସ୍ତାନୀ ଆଥଲେଟ୍ ବିଦେଶ ମାଟିରେ ନିଖୋଜ ହେବା କିମ୍ବା ଫେରାର୍ ହୋଇଯିବା ଏହା ପ୍ରଥମ ଘଟଣା ନୁହେଁ । ପାକିସ୍ତାନ ଅଲିମ୍ପିକ୍ ଆସୋସିଏସନ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୁଦରତୁଲ୍ଲା ନିଜ ୱେଟ୍ କାଟେଗୋରୀ ମ୍ୟାଚ୍ ଶେଷ ହେବା ପରେ ହୋଟେଲରୁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି । ସବୁଠାରୁ ଆଶ୍ଚର୍ୟ୍ୟର କଥା ହେଉଛି, ତାଙ୍କ ପାସପୋର୍ଟ ଟିମ୍ ମ୍ୟାନେଜରଙ୍କ ପାଖରେ ଜମା ଥିଲା । ଏହା ସତ୍ତ୍ୱେ ସେ ସୁରକ୍ଷା ବ୍ୟବସ୍ଥାକୁ ଚକମା ଦେଇ ଖସିଯିବାରେ ସଫଳ ହୋଇଛନ୍ତି ।
ସ୍କଟଲ୍ୟାଣ୍ଡରୁ ଦଳ ପ୍ରତ୍ୟାବର୍ତ୍ତନ କରିବାର ମାତ୍ର ୬ ଘଣ୍ଟା ପୂର୍ବରୁ ସେ ଗାଏବ ହୋଇଯାଇଥିଲେ । ଗତ ଅଗଷ୍ଟ ୨ ତାରିଖ ରାତି ୨ଟାରେ ତାଙ୍କୁ ଶେଷ ଥର ପାଇଁ ହୋଟେଲ ରୁମ୍ରେ ଦେଖିବାକୁ ମିଳିଥିଲା । ସକାଳେ ସେ ଟିମ୍ ସହ ଲବିରେ ନପହଞ୍ଚିବାରୁ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଥିଲା। ବର୍ମିଂହାମରେ ୨୦୨୨ରେ ଦୁଇ ବକ୍ସର ସୁଲେମାନ ବଲୋଚ୍ ଏବଂ ନଜୀରୁଲ୍ଲା ଖାନ୍ ପାସପୋର୍ଟ ଜମା ଥିବା ସତ୍ତ୍ୱେ ଫେରାର୍ ହୋଇଯାଇଥିଲେ । ଇଟାଲୀ ଓଲିମ୍ପିକ୍ କ୍ୱାଲିଫାୟର୍ସ ୨୦୨୪ରେ ଏସିଆନ୍ ଗୋଲ୍ଡ ମେଡାଲିଷ୍ଟ ବକ୍ସର ଜୋହୈବ ରଶିଦ୍ ନିଜ ରୁମ୍ମେଟଙ୍କ ବୈଦେଶିକ ମୁଦ୍ରା ଓ ଦାମୀ ସାମଗ୍ରୀ ଚୋରି କରି ରାତିାରାତି ଗାଏବ ହୋଇଯାଇଥିଲେ । ଏହି କମନୱେଲଥ୍ ଗେମ୍ସରେ ପାକିସ୍ତାନର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଛି । ୩୬ ଜଣିଆ ଖେଳାଳି ଓ ଅଫିସିଆଲଙ୍କ ସହ ଯାଇଥିବା ଦଳ ମାତ୍ର ଗୋଟିଏ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛି, ଯାହା ମହିଳା ବକ୍ସର ଫାତିମା ଜୋହରା ହାସଲ କରିଛନ୍ତି ।