Latest Odisha News

BREAKING NEWS

ପରଲୋକରେ ଗାୟକ ସମ୍ରାଟ୍ ପ୍ରହ୍ଲାଦ ସାହୁ

ଖୋର୍ଦ୍ଧା: ପରଲୋକରେ ବର୍ଷୀୟାନ ପାଲା ଗାୟକ ଗାୟକ ସମ୍ରାଟ୍ ପ୍ରହ୍ଲାଦ ସାହୁ । ଆଜି ଖୋର୍ଦ୍ଧା ସାରୁଅ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । କୋଭିଡ୍ ଗାଇଡ୍ ଲାଇନ ଭିତରେ ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

୧୯୩୫ ମସିହା ରାମ ନବମୀ ତିଥିରେ ଖୋର୍ଦ୍ଧା ଜିଲ୍ଲା ସାରୁଅ ଗାଁରେ ଜନ୍ମ ଗ୍ରହଣ କରିଥିଲେ ପ୍ରହଲ୍ଲାଦ ସାହୁ । ବାପା ଲୋକନାଥ ସାହୁ ଓ ମାଆ ଧୋବଲି ସାହୁଙ୍କ ପୁଅ ପ୍ରହ୍ଲାଦ ଦିନେ ଜଣେ ବିଶିଷ୍ଟ କଳାକାର ହେବେ ତାହା ପିଲାଟି ଦିନରୁ ଜଣା ପଡ଼ିଥିଲା । ସେ ଥିଲେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ, ତାଙ୍କ ଜ୍ଞାନକୁ ରୁଦ୍ଧିମନ୍ତ କରିଥିଲା ପାଠପଢ଼ିବାର ପ୍ରଚଣ୍ଡ ଆଗ୍ରହ । ସେ ଗୋଟିଏ ଗୋଟିଏ କାବ୍ୟ ସଂପୂର୍ଣ୍ଣ ମୁଖସ୍ତ କରିଦେଉଥିଲେ ।

ପ୍ରଖ୍ୟାତ ପାଲା ଗାୟକ ବିଶ୍ୱନାଥ ପଟ୍ଟଯୋଶୀଙ୍କ ଶିଷ୍ୟ ଥିଲେ ପ୍ରହଲ୍ଲାଦ । ପାଲା ଜଗତରେ ସେ ସବୁଠାରୁ ଅଧିକ କାବ୍ୟ, ନାଟକ ମୁଖସ୍ତ କରିଥିଲେ । ରଘୁବଂଶ, କୁମାର ସମ୍ଭବମ୍, ଅଭିଜ୍ଞାନ ଶାକୁନ୍ତଳମ୍ଆଦି ତାଙ୍କ ମୁହଁରେ ରହିଥିଲା । ମାଘ, ଶ୍ରୀହର୍ଷ, ଭାରବୀ, ତୁଳସୀ ଦାସ, ଅନନ୍ତ ଭଟ୍ଟ, ବିଶ୍ୱନାଥ ବର୍ମା, ଶେଷକୃଷ୍ଣ, କୁମାର ଦାଶ, ଦୁର୍ଗାପ୍ରସନ୍ନ ଦ୍ୱିବେଦୀ ପ୍ରମୁଖ ସଂସ୍କୃତ ଓ ହିନ୍ଦି କବିଙ୍କ କାବ୍ୟରୁ ବିଭିନ୍ନ ପଦ୍ୟ ସେ ପାଲାରେ ପରିବେଷଣ କରୁଥିଲେ । ଓଡ଼ିଆ ସାହିତ୍ୟରେ ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ, ଯଦୁମଣି, ଗଙ୍ଗାଧର, ରାଧାନାଥଙ୍କଠାରୁ ପଞ୍ଚସଖାଯୁଗୀୟ ସାହିତ୍ୟରେ ବି ତାଙ୍କର ବେଶ୍ ଦଖଲ ରହିଥିଲା ।

କୌଣସି ଶ୍ଳୋକ, ପଦ୍ୟ ଦ୍ୱିତୀୟ ଥର ବ୍ୟବହାର ନକରି ୫୦ ରାତିରୁ ଅଧିକ ପାଲା ପରିବେଷଣ କରିବାର କ୍ଷମତା ରହିଥିଲା ପ୍ରହ୍ଲାଦ ସାହୁଙ୍କ ପାଖରେ । ରାଜ୍ୟର କୋଣ ଅନୁକୋଣରେ ପାଲା ପରିବେଷଣ କରି ସେ ଅନେକ ପୁରସ୍କାର, ମାନପତ୍ର ଏବଂ ଉପାଧି ପାଇଥିଲେ ।
ତାଙ୍କ ପରଲୋକରେ ପାଲା ଜଗତରେ ଏକ ଯୁଗର ଅବସାନ ଘଟିଛି ।

Leave A Reply

Your email address will not be published.