Latest Odisha News

BREAKING NEWS

Parliament Monsoon Session: ମୌସୁମୀ ଅଧିବେଶନରେ ହଙ୍ଗାମା ଆଶଙ୍କା; ୭ ବିଲ୍, ବିରୋଧୀଙ୍କ ରଣନୀତି ଭିତରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ ବଡ଼ ବାର୍ତ୍ତା…

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ଅଧିବେଶନ ୧୩ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ଏବଂ ମୋଟ ୧୯ଟି ବୈଠକ ଅନୁଷ୍ଠିତ ହେବ। ଅଧିବେଶନ ସମୟରେ କେନ୍ଦ୍ର ସରକାର ୭ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ସଂସଦରେ ଉପସ୍ଥାପନ କରିବେ। ତେବେ ପ୍ରଥମ ଦିନରୁ ହିଁ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ହେବାର ସମ୍ଭାବନା ରହିଛି।

ବିରୋଧୀ ଦଳ NEET ପ୍ରଶ୍ନପତ୍ର ଲିକ୍‌, ରାମ ମନ୍ଦିର ଚଢ଼ାଉ ବିବାଦ, E20 ଇନ୍ଧନ, ବିଦେଶ ନୀତି, ପରିସୀମନ ଏବଂ ମହିଳା ସଂରକ୍ଷଣ ବିଲ୍‌ ଭଳି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହାଛଡ଼ା ସର୍ବଦଳୀୟ ବୈଠକରେ ଟିଏମ୍‌ସିର ବିଦ୍ରୋହୀ ସାଂସଦଙ୍କୁ ଆମନ୍ତ୍ରଣ କରାଯିବାକୁ ନେଇ ବିରୋଧୀ ଦଳ ୱାକ୍‌ଆଉଟ୍‌ କରିଥିବାରୁ ଅଧିବେଶନ ଆରମ୍ଭ ପୂର୍ବରୁ ହିଁ ରାଜନୈତିକ ତାପମାତ୍ରା ବଢ଼ିଯାଇଛି।

ଅଧିବେଶନ ଆରମ୍ଭ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ବାହାରେ କହିଥିଲେ, “ମୌସୁମୀ ବର୍ଷା ଓ ମୌସୁମୀ ଅଧିବେଶନ, ଉଭୟ ସକ୍ରିୟ ଓ ଫଳପ୍ରଦ ହେଲେ ଦେଶର କଲ୍ୟାଣ ହୁଏ। ତେଣୁ ଆମେ ପ୍ରାର୍ଥନା କରୁଛୁ ଯେ, ବର୍ଷା ମଧ୍ୟ ସକ୍ରିୟ ରହୁ ଏବଂ ସଂସଦର କାର୍ଯ୍ୟ ମଧ୍ୟ ସଫଳ ହେଉ।”

ପ୍ରଧାନମନ୍ତ୍ରୀ କହିଥିଲେ, ଗତ ଏକ ମାସ ମଧ୍ୟରେ ଭାରତ ଜାତୀୟ, ଆନ୍ତର୍ଜାତିକ ଏବଂ ମହାକାଶ କ୍ଷେତ୍ରରେ ଅନେକ ଐତିହାସିକ ସଫଳତା ହାସଲ କରିଛି। ପୂର୍ବବର୍ଷ ମୌସୁମୀ ଅଧିବେଶନ ପୂର୍ବରୁ ଜଣେ ଭାରତୀୟ ନାଗରିକ ଆନ୍ତର୍ଜାତିକ ସ୍ପେସ୍ ଷ୍ଟେସନ୍‌କୁ ଯାଇଥିଲେ। ଆଉ ଦୁଇ ଦିନ ପୂର୍ବରୁ ଦେଶର ଜଣେ ଯୁବ ଷ୍ଟାର୍ଟଅପ୍ ମହାକାଶ କ୍ଷେତ୍ରରେ ବଡ଼ ସଫଳତା ହାସଲ କରିଛି। ଏହା ଦେଶର ଯୁବଶକ୍ତିର ଅସୀମ କ୍ଷମତାର ପ୍ରତୀକ ବୋଲି ସେ କହିଥିଲେ।

ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ବିଶ୍ୱସ୍ତରରେ ଅନେକ ବାଧା ସୃଷ୍ଟି ହୋଇଥିଲେ ମଧ୍ୟ ଭାରତ ୭.୭ ପ୍ରତିଶତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିଛି। ଏହା ଭାରତର ସାମର୍ଥ୍ୟ ଓ ଆର୍ଥିକ ସ୍ଥିରତାର ପରିଚୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ରାଜସ୍ଥାନର ନୂଆ ତୈଳ ବିଶୋଧନାଗାର, ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟ ଏବଂ ସମ୍ପ୍ରତି ଉଦ୍‌ଘାଟିତ ଗ୍ରୀନ୍ ହାଇଡ୍ରୋଜେନ୍ ଟ୍ରେନ୍‌ର ଉଲ୍ଲେଖ କରିଥିଲେ। ସେ କହିଥିଲେ, ବିଶ୍ୱର ଅତି କମ୍ ଦେଶ ପାଖରେ ଏଭଳି ସୁବିଧା ରହିଛି। ଭାରତର ଏହି ହାଇଡ୍ରୋଜେନ୍ ଟ୍ରେନ୍ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଇଞ୍ଜିନ୍ ଓ ସବୁଠାରୁ ଲମ୍ବା ଟ୍ରେନ୍ ବୋଲି ସେ ଦାବି କରିଛନ୍ତି।

ତେବେ ଏହି ଅଧିବେଶନରେ ସରକାର ଓ ବିରୋଧୀ ଦଳ ମଧ୍ୟରେ ଏହି ସମସ୍ତ ପ୍ରସଙ୍ଗକୁ ନେଇ ତୀବ୍ର ଚର୍ଚ୍ଚା ଓ ହଙ୍ଗାମା ହେବାର ସମ୍ଭାବନା ରହିଛି।

ମୌସୁମୀ ଅଧିବେଶନରେ ସରକାର ଯେଉଁ ୭ଟି ବିଲ୍ ଆଣିବାର ସମ୍ଭାବନା ରହିଛି, ସେଗୁଡ଼ିକ ହେଲା—

  • ଆୟକର ସଂଶୋଧନ ବିଲ୍
  • ସୁପ୍ରିମକୋର୍ଟ ସଂଶୋଧନ ବିଲ୍
  • ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଲ୍
  • ଜାତୀୟ ସମ୍ମାନ ଅପମାନ ନିବାରଣ ସଂଶୋଧନ ବିଲ୍
  • କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (MSME) ବିକାଶ ସଂଶୋଧନ ବିଲ୍
  • ବିଦେଶୀ ଅଂଶଦାନ ବିନିୟମ (FCRA) ସଂଶୋଧନ ବିଲ୍
  • ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍

ତେବେ ସୋମବାର ଲୋକସଭାରେ ‘ବନ୍ଦେ ମାତରମ୍ ବିଲ୍’ ମଧ୍ୟ ଉପସ୍ଥାପନ କରାଯିବ।

Leave A Reply

Your email address will not be published.