Latest Odisha News

ଦଳ ବହୁଳ ରାଜନୀତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… 

ଦଳବହୁଳ ରାଜନୀତି । ଏକଦଳୀୟ, ଦ୍ୱିଦଳୀୟ, ବହୁଦଳୀୟ ଶାସନବ୍ୟବସ୍ଥାରେ ବ୍ୟୂହବଦ୍ଧ ନିର୍ଦଳୀୟ ଜନସମୁଦାୟ । ସେମାନେ ରାଜନୀତି କରନ୍ତି ନାହିଁ, ଦଳ ଗଢନ୍ତି ନାହିଁ  କିନ୍ତୁ ସେମାନଙ୍କ ନାଆଁରେ ରାଜନୀତି କରାଯାଏ, ଦଳ ଗଢାଯାଏ । ଶାସନର ଶିଳରେ ଦେଶର ବେସର ବଟାଯାଏ । ମାଲ୍‌ମସାଲା ମାଗିଅଣାଯାଏ ମୁନାଫାଖୋର୍‌ ମହଜୁଦକାରୀମାନଙ୍କଠୁ । ନିର୍ଦଳୀୟ ଜନସମୁଦାୟ ପ୍ରତି ଅନୁରାଗ ନୁହେଁ, ଅନୁଗ୍ରହ ପ୍ରଦର୍ଶନ କଲା ପରି ମଂଚାସୀନ ହୁଏ ଦଳୀୟ ରାଜନୀତି ।

ଦେଶର ବିପତ୍ତି ତାଲିକା ପରସ୍ତପରସ୍ତ ହୋଇ ଯେତେ ବଢୁଥାଏ, ଦଳର ସମ୍ପତ୍ତି ତାଲିକା ଲମ୍ବରରେ ଚୌଡାରେ ସେତେ ମାଡୁଥାଏ । ବିଧବା ଭତ୍ତାଠୁ ଆରମ୍ଭ କରି ବାର୍ଦ୍ଧକ୍ୟ ଭତ୍ତା ଯାଏଁ, ଗାଆଁ ଗଣ୍ଡାରେ ଗରିବ ମଜୁରିଆଙ୍କୁ ମହାତ୍ମା ଗାନ୍ଧୀ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାର ରୂପାୟନଠାରୁ ବିଦ୍ୟାଳୟୀ ବାଳୁତବର୍ଗଙ୍କୁ ମାହାଳିଆ ମଧ୍ୟାହ୍ନ ଭୋଜନରେ ଆପ୍ୟାୟନ ଯାଏ କେତେକେତେ କରାମତି ମରାମତି ଭିତରେ ବି ଚାଷୀମୂଲିଆର ଫଟାମାଟି ମୁଣ୍ଡ କୋଡୁଥାଏ । ଏଣେ କିନ୍ତୁ ଜଳ ଜମି ଜଙ୍ଗଲର ଜବରଦଖଲକାରୀ ଜଲ୍ଲାଦତନ୍ତ୍ର ବିରୋଧରେ ଗରିବଗୁରୁବାର ଗୌଣଗଣତନ୍ତ୍ର ଲହର ଉଠାଇ ଲଢୁଥାଏ ।

ଅକଳିତ ଅବ୍ୟବସ୍ଥା ସତ୍ୱେ ବ୍ୟବସ୍ଥା ବଦଳୁ ନଥାଏ । ରେଡ୍‌କାର୍ପେଟ୍‌ରେ ରାଜନୀତି ଚାଲୁଥିଲାବେଳେ ରେସ୍‌କୋର୍ସ ପଡିଆରେ ଦଳ ଦଉଡୁଥାଏ । ଜନତା ପଲ୍ଲୀରେ ପଡିଥିବାବେଳେ ନେତା ଦରବାର କରୁଥାଏ ଦିଲ୍ଲୀରେ । କାହିଁକିନା ଇଏ ରାଜନୀତିକ କାରବାର । ପତାକା ରାଜଧାନୀରେ ଉଡୁଥିବାବେଳେ ପଟୁଆର ରାଜରାସ୍ତାରେ । କାହିଁକିନା ଇଏ ଦଳୀୟ ବ୍ୟାପାର । ଦଳ ଆଉ ରାଜନୀତି, ରାଜନୀତି ଆଉ ଦଳ ଏଯାଏଁ ଆମେ ଦୁଇଟାକୁ ଗୋଟାଏ ନଜରରେ ନିରେଖି ଆସିଛୁ କେବଳ । ଏବେଠୁ ନିଆରା ଆଖିରେ ନଜରଅନ୍ଦାଜ କରିବାକୁ ପଡିବ ଦଳ ଓ ରାଜନୀତି କାହା ପାଇଁ, କାହାକୁ ନେଇ । ନିର୍ଦଳୀୟ ଜନସମୁଦାୟ ଗୋଟିଏ ରାଜନୀତିର ମଇଦାନରେ ଦେଖିଆସିଛନ୍ତି ହରେକ୍ ରକମର ଦଳ । ଏ ଦଳ – ସେ ଦଳ – ଅନେକ ଦଳର ରାଜନୀତି ପ୍ରକୃତରେ ଦେଶର ମଣିଷ ପାଇଁ କେତେ ଅଟକଳ, କେତେ ଆକଳନ କରିଥାଏ, ସେ ବାବଦରେ ବାବଦୂକବର୍ଗ ଯେତେ ବାଗାଡମ୍ବର କରୁଥିଲେ ହେଁ ଖୋଦ୍ ଦେଶର ମଣିଷ ମୂକ । ତା’ ଭାଷା ରାଜନୀତିର ପରିଭାଷାରେ ପରିଣତ ହୋଇପାରିନି ଏଯାଏଁ । ତା’ ଭାବ ଦଳର ବହୁମତ ସମର୍ଥିତ ବୋଧଗମ୍ୟତାଠାରୁ ଏବେ ବି ଦୂରରେ ।

ଏବେ ସମୟ ଆସିଛି, ଦଳ ଓ ରାଜନୀତିର ଦରବାରକୁ ମଣିଷ ନ ଯାଇ ମଣିଷ ପାଖକୁ ଯିବ ଦଳ ଓ ରାଜନୀତି । ମଣିଷ – ସେ ମଣିଷକୁ କିନ୍ତୁ ଲୋଡାଯିବ କେବେ? ଖୋଜାଯିବ କେଉଁଠି? ସେ କ’ଣ ପାଉଁଶ ପାଟବିଲର ପାଳଭୂତ? ଫାଙ୍କା ଚାଷଜମି ସେପଟେ ତା’ ବାସ ଉଜାଡିଦେଇ ସେ ତ କେବଠୁ ଫେରାର୍ ! ସେ କ’ଣ ପୋଡା ପାହାଡର ପହରାଦାର୍‌? ଆମେ ତ ତା’ ପାହାଡରୁ ପଥର ତାଡିନେଇ ତିଆରି କରିଚାଲିଛେ ଆମ ରାଜପଥ ! ସେ କ’ଣ ତା’ହେଲେ ଜଙ୍ଗଲର ଜଙ୍ଗୀ ଯାଯାବର? ଆମେ ତ ଜଙ୍ଗଲର ଫଳ ଖାଇ ମୂଳକୁ ବ ଚଳୁ କରିଚାଲିଛେ ବରାବର ! କେଉଁଠି ଖୋଜିବା ତାକୁ? ତା’ର ଦେଖା କ’ଣ ମିଳିବ ଆମ ନିର୍ବାଚନୀ ପ୍ରଚାରସଭାରେ, ଆମ ଭୋଟ୍‌କେନ୍ଦ୍ରର ସେଇ ସବାଶେଷ ଧାଡିରେ ନା ରେସନ୍‌କାର୍ଡ୍ ଧରିଥିବା ଭୋକିଲା ଭିଡରେ? ଜନମଞ୍ଚରେ ମିଳେ କି ଖୋଜୁଥିବା ମଣିଷକୁ? ସେ ତ ମନରେ ନାହିଁ, ମିଳିବ କେଉଁଠି?

ନିର୍ଦଳୀୟ ଜନସମୁଦାୟ ପ୍ରତି ନିର୍ଦ୍ଦୟତା ଅନ୍ତ ହେଉ ଏବେ । ସ୍ୱାଧୀନତା ଯଦି ସେଦିନ ଥିଲା ଜନ୍ମଗତ ଅଧିକାର, ସମାନତା ଆଜି ହେଉ ପ୍ରତ୍ୟେକ ମଣିଷ ପାଇଁ ବଞ୍ଚିବାର ଅଧିକାର । ନୋହିଲେ ରାଜନୀତି କ’ଣ ପାଇଁ? ଲୋକେ ବେଜିତ୍‌ ହେଉଥିବେ ବାଟରେ ଘାଟରେ ଆଉ ଥୋକେ ମାତିଥିବେ ବାଘଘରେ ମିରିଗନାଟରେ ! କ’ଣ ଏଇଥି ପାଇଁ? ଦଳ କ’ଣ ପାଇଁ? କୁହାଳିଆମାନେ ଦୁହାଁଳିଆ ଆଉ ବାକୀମାନେ ସାକ୍ଷୀମାନେ – କ’ଣ ଏଯାଏଁ ଚାଲିଥିବ ଏମିତି ଏ ପାଲା ? ରଥ ଗଢୁଥିବ ରାଜନୀତି ଅଥଚ ପଥ ହୁଡୁଥିବ ପ୍ରଜାପୁଞ୍ଜ – ଏ ଦେଶର ଦଳବଳ କେତେକାଳ ମାନିନେଉଥିବ ଏଇଭଳି ବିରୋଧାଭାସର ବିଡମ୍ବନା ?

ଆମର ଏ ଦେଶ ଯେତେବେଳେ ବିଦେଶୀ ଶାସନ ବିରୋଧରେ ଅହୋରାତ୍ର ଥିଲା ଆନ୍ଦୋଳନପ୍ରବଣ, ସେତେବେଳେ ବିଭିନ୍ନ ଶିବିର ସତ୍ତ୍ୱେ ତଥା ନାନା ନେତୃତ୍ୱାଧୀନ ଧାରା ମଧ୍ୟରେ ଜନସାଧାରଣ ଥିଲେ ଗୋଟିଏ ଲକ୍ଷ୍ୟକୁ ନେଇ ଐକ୍ୟବଦ୍ଧ । ତାହା ସ୍ୱାଧୀନତା । ଅନେକ ଆଶା ଥିଲା ଜନସମୁଦାୟର – ପ୍ରତ୍ୟେକ ଭାରତୀୟ ହେବ ଏକ ନୂତନ ଭାରତବର୍ଷର ଉତରାଧିକାର । ମାତ୍ର ପ୍ରାପ୍ୟ ସ୍ୱରୂପ ପ୍ରଥମରୁ ମିଳିଲା ପ୍ରତାରଣା । ଏକ ଦ୍ୱିଖଣ୍ଡିତ ଦେଶ । ଦଙ୍ଗାଦୁର୍ଗତ ବିଭାଜିତ ଭାରତବର୍ଷ କ’ଣ ଥିଲା ସ୍ୱାଧୀନ ଭାରତବର୍ଷ ? ଭାରତୀୟ ଜନମାନସର ସମୂହ – ଅବଚେତନାରେ ସେତେବେଳଠୁ ଯେଉଁ ଶୂନ୍ୟତା ସୃଷ୍ଟି ହେଲା, ତାହା ଆଜି ବି ଅପୂର୍ଣ୍ଣ ।

ସ୍ୱାଧୀନତା ପରେ ଶାସନର ଆସନ ଅଳଙ୍କୃତ କଲେ ତଥାକଥିତ ଦେଶୀମାନେ, କିନ୍ତୁ ଆତ୍ମାରେ ବିଦେଶୀ ଛଡା ସେମାନେ ଆଉ କ’ଣ ଥିଲେ? ଦେଶର ମଣିଷକୁ ଏମାନେ ଭଲପାଇ ପାରିଲେ କି? ଶାସନର ଢାଞ୍ଚା ବି ପ୍ରସ୍ତୁତ ହେଲା ସେଇ ବିଦେଶୀ କାଇଦାରେ । ଶାସକପକ୍ଷ ଓ ଜନପକ୍ଷ ମଧ୍ୟରେ ଗୋଟିଏ ମଲାଙ୍ଗ ଗୋଷ୍ଠୀ ପରି ବର୍ତିରହିଲେ ପ୍ରଶାସନ ପକ୍ଷ ମଧ୍ୟସ୍ଥ ଭୂମିକାରେ । ଅର୍ଥାତ୍ ନେତୃତ୍ୱ ଓ ଜନଶକ୍ତି ମଧ୍ୟରେ ସମ୍ପର୍କ ପ୍ରତ୍ୟକ୍ଷ ନୁହେଁ, ପରୋକ୍ଷ ହେବାକୁ ହିଁ ବାଧ୍ୟ ହେଲା । ଜନସ୍ୱାର୍ଥ, ଜନମତ, ଜନଭାଷା, ଜନଜୀବନ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଲା ପ୍ରଶାସକୀୟ ଫାଇଲ୍‌ଚାଷ ! ବିଦେଶୀ ଭାଷାରେ ଦସ୍ତଖତ ଦେଇଆସୁଥିବା ଦେଶୀ ପ୍ରଶାସକବର୍ଗ ଭୁଲିଗଲେ ସ୍ୱଦେଶୀର ସମସ୍ୟା । ଦାବୀନାମା, ଦରଖାସ୍ତର ଦୀର୍ଘ ଧାରାବାହିକତା ଶେଷରେ ପରିଣତ ହେଲା ଦୁର୍ନୀତିଗ୍ରସ୍ତ ପ୍ରଶାସକୀୟତା ଆନୁକୂଲ୍ୟରେ ଡଷ୍ଟବିନ୍‌ର ତୁଚ୍ଛ ତୁକୁଡାରେ ! ଜନଅସନ୍ତୋଷଜନିତ ଆନ୍ଦୋଳନରୁ ଆରମ୍ଭ କରି ଗଣ ସଙ୍ଗଠନର ଅଭ୍ୟୁତ୍‌ଥାନକୁ ଅଘଟନ ଘୋଷଣା କରି ଯେଉଁମାନେ ଲାଠି ବୁଲାଇଲେ, ଗୁଳି ଫୁଟାଇଲେ, ଦମନଲୀଳା ଚଳାଇଗଲେ, ସେମାନେ କୌଣସି ବିଦେଶୀ ସେନା କି ବ୍ରିଟିଶ୍ ବାହିନୀ ନୁହଁନ୍ତି – ସେମାନେ ହେଉଛନ୍ତି ଆମ ଭାରତୀୟ ପୁଲିସ୍ ସେବାଧୀନ ପାରାମିଲିଟାରୀ ଫୋର୍ସ୍ । ଅର୍ଥାତ୍ ସ୍ୱଦେଶୀର ଶତ୍ରୁ ବିଦେଶୀ ନୁହେଁ, ଦେଶୀ !

ଦେଶର ସ୍ୱାଧୀନତା ଦେଶବାସୀଙ୍କ ପାଇଁ ମଧ୍ୟରାତ୍ରର ମରୀଚିକା ମାତ୍ର । ପ୍ରଶାସକ ଭୂମିକାରେ କିଛି ଉଚ୍ଚବେତନଭୋଗୀ ବୃତିଜୀବୀ ଶାସନବ୍ୟବସ୍ଥାର ବିଭିନ୍ନ ବିଭାଗୀୟ ମନ୍ତ୍ରାଳୟଠୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସବୁଠି ସଂକ୍ରମିତ ଏବଂ ଏଇ କତିପୟ କୂର୍ମଙ୍କ ପିଠିରେ ଲଦା ଚାଲିଥିବା ବିରାଟ ଭାରତର ଭାଗ୍ୟ, ଭବିଷ୍ୟତର ଯୋଜନା ଓ ପ୍ରକଳ୍ପଗୁଡିକୁ ଜନସାଧାରଣଙ୍କ ପ୍ରତି ଶାସକପକ୍ଷର ଶ୍ଳେଷ ଛଡା ଆଉକଣ କୁହାଯାଇପାରେ? ଶାସନବ୍ୟବସ୍ଥାରେ ଶାସକଦଳ ଓ ବିରୋଧୀଦଳଙ୍କ ଉପସ୍ଥିତି ଆଜି ତେଣୁ ଗୋଟିଏ ଗଣତାନ୍ତ୍ରିକ ଗ୍ରୀକ୍‌ଟ୍ରାଜେଡିର ଅଧୁରା ଅଧ୍ୟାୟ ପରି ମନେହେବାରେ ବା ବିଚିତ୍ରତା କ’ଣ ଅଛି ? ଆମ ରାଜନୈତିକ ନାୟକ / ଅପନାୟକବର୍ଗ ପ୍ରଶାସକ ପକ୍ଷକୁ ପାରିଷଦ କରି ଜନତାକୁ କେବଳ ଜୋକର ବନାଇବାରେ ବ୍ୟସ୍ତ ! ହଁ, ସେଇ ଜୋକର୍ – ଯିଏ କାନ୍ଦୁଥିଲେ ବି ତାଳିମାରି ତା’ ଲୁହକୁ କୁହାଯାଏ ନିଗିଡି ପଡୁଥିବା ଟୋପାଟୋପା ହାସ୍ୟରସ । ଦେଶର ରାଜନୀତି ସ୍ୱାଧୀନତା ପରେ ପାଲଟିଛି ଦଳର ରାଜନୀତି ।

ଦଳ ଏଠି ଦଳ, ସେଠି ଦଳ, ସବୁଠି ଦଳ – କେତେ ଦଳ ! ଗୋଟିଏ ତ ଦେଶ, ଗୋଟିଏ ତ ଗଣତନ୍ତ୍ର ; ଅଥଚ ଏତେ ଦଳ ! ତା’ହେଲେ ଏ ଦଳମାନଙ୍କର ଦେଶ କ’ଣ ଶହେ ଫୁଲ ଫୁଟୁଥିବା ଗୋଟିଏ ବଗିଚା ନୁହେଁ ? ପ୍ରତ୍ୟେକ ଦଳର କ’ଣ ଅଲଗା ଅଲଗା ଅଭିଧାନ, ସମ୍ବିଧାନ ? ଲକ୍ଷ ଲକ୍ଷ ଲକ୍ଷ୍ୟ ? ସେ ଲକ୍ଷଲକ୍ଷ ଲକ୍ଷ୍ୟ କ’ଣ କୋଟିକୋଟି ଭାରତୀୟର ଗୋଟିଏ ସୁନ୍ଦର ଭବିଷ୍ୟତ ନିର୍ମାଣ ସପକ୍ଷରେ ନିଷ୍ପତିଟିଏ ନେଇପାରେନା ? ଦେଶର ମଣିଷକୁ ଗୋଟିଏ ନ୍ୟାୟ ସଙ୍ଗତ ଜୀବନ ଭୋଗିବାର ସ୍ୱୀକୃତିଟିଏ ଦେଇପାରେନା ? ବହୁବାର ବହୁ ସାକ୍ଷାତକାରରେ ଆମର ଅନେକ ନେତା କହିଥାନ୍ତି –‘ମୁଁ ରାଜନୀତି କଲି ଦେଶସେବା କରିବାକୁ’ । କିନ୍ତୁ ବିନା ସାକ୍ଷାତକାରରେ କେଉଁଦିନ ଦେଶର ମଣିଷ ଆଗକୁ ଆସି କହିବ – ‘ମୁଁ ରାଜନୀତି କରିବି ଏ ଦୁର୍ଭାଗା ଦେଶର ବ୍ୟବସ୍ଥା ବଦଳାଇବାକୁ’?

ନିର୍ବାଚନ ପରେ ନିର୍ବାଚନ । ରାଜୀନତିର ମଇଦାନ ଯେପରି ପାଲଟିଯାଇଛି ରଣାଙ୍ଗନ । ଏ ଭୂମି ଭୋଗିଛି କେତେକେତେ କର୍ମର କଷଣ, ଧର୍ମର ଧର୍ଷଣ, ମର୍ମବିଦାରକ ଆତ୍ମବିଭାଜନ – ଶୁଣିଛି ଭାଗ୍ୟ ବଦଳାଇଦେବାର ଭୂରିଭୂରି ଭାଙ୍ଗଖିଆ ଭାଷ୍ୟ ଓ ଭାଷଣ – ଭବ୍ୟ ଭବିତବ୍ୟଟିଏ ଭେଟାଇଦେବାର ଅପର୍ଯ୍ୟାପ୍ତ ଆସ୍ଫାଳନ । ଏ ବୃହତମ ଗଣତନ୍ତ୍ର ଦେଖିଆସିଛି କେତେକେତେ କ୍ଷୁଦ୍ରତାର କ୍ଷୁରଚିହ୍ନ – ପୀଢ଼ି ପରେ ପୀଢ଼ି ପୀଡିତ ପୌରୁଷର କ୍ଷତଚିହ୍ନ । ବସ୍ତ୍ରହରଣଠୁ ଭୂମିହରଣ ପର୍ଯ୍ୟନ୍ତ ବହୁ ଅଘଟଣ ଅଙ୍ଗେ ନିଭାଇଆସିଛି ଏ ଜନଜୀବନ ।

Multicolored vector illustration.

ରାଜନୀତିର ଋତୁ ବସନ୍ତ ନୁହେଁ, ହନ୍ତସନ୍ତ ! ଏ ହନ୍ତସନ୍ତ ଋତୁରେ ଆମ ରାଜନୈତିକ ମଣିମାଏ ମଣିଥାନ୍ତି; ଜନ ଜରଦ୍‌ଗବ, ଗଣ ଗର୍ଦ୍ଦଭ, ମନ ମାଦଳ । ଏ ମଣିଷକୁ ପଥର କଲା କିଏ – ପାଠ୍ୟପୁସ୍ତକର ପୁଷ୍ଠାରୁ ପୃଥିବୀସାରା ପ୍ରଶ୍ନଟି ପରି ପ୍ରସରିଯାଉଛି ଯେମିତି ଗତସମୟର ଏହି ଗଳ୍ପଶୀର୍ଷକ । ରାଜ୍ୟଟିଏ ଅଛି, ରାଷ୍ଟ୍ରଟିଏ ଅଛି, ରାଜନୀତି ଚାଲିଛି ; ହେଲେ ଗୁରୁଣ୍ଡିପାରୁନି ଗଣତନ୍ତ୍ର । ଯଦିଚ ଏବେ ମଧ୍ୟ ବଞ୍ଚିଚି ! ବଞ୍ଚିଛି ଯେ – ମାତ୍ର ସଞ୍ଚିଛି କି ସେଇ ସ୍ୱାଧୀନତାର ସ୍ୱପ୍ନ, ସ୍ୱାଧିକାରର ସ୍ୱାକ୍ଷର, ସ୍ୱାଭିମାନର ସଂକଳ୍ପ?

ଏ ମଣିଷ ଗଢିଛି ଈଶ୍ୱରଠୁ ଇତିହାସ ସଭ୍ୟତା ସଂସ୍କୃତି । ତାକୁ କିନ୍ତୁ ଭାଙ୍ଗିଛି, ଭାଙ୍ଗୁଚି ରାଜନୀତି । କେବେ ସେ ସିପାହୀ ତ ଆଉକେବେ ସହିଦ୍ । କେବେ କରୁଣାପ୍ରାର୍ଥୀ ତ ଆଉକେବେ ଶରଣାର୍ଥୀ । କେବେ ସତୀର୍ଥ ତ ଆଉକେବେ ଅତୀର୍ଥ ! କୌଣସି ଗୋଟିଏ ସ୍ଥିରବିନ୍ଦୁରେ ରହିପାରିନି ସେ । ନିଜକୁ ବିଶେଷ ଭାବରେ ସ୍ଥାପିତ କରିବାର ଅଭିଯାନରେ ସ୍ଥବିରତନ୍ତ୍ରୀ ରାଜନୀତି ଯେପରି ମଣିଷକୁ କେବଠୁ କରିସାରିଛି ବିସ୍ଥାପିତ ! ସଂସ୍ଥାପିତ ରାଜନୀତି ଓ ବିସ୍ଥାପିତ ମଣିଷ ମଝିରେ ଅବସ୍ଥାପିତ ଏ ଗଣତନ୍ତ୍ର ଗୋବର ଗଣେଶ ! ନୀତି ବଦଳୁଛି, ସ୍ଥିତି ବଦଳୁନି । ଯୋଜନା ସୁରୁ ହେଲା ପରେ ବି ଆଲୋଚନା ସରୁନି । ମାଟିକୁ ମାନଚିତ୍ର ମନେକରୁଥିବା ରାଜନୀତିର ମୁଣ୍ଡିଆଳ ମହାମହିମବର୍ଗ ମଣିଷକୁ ମୂଲ୍ୟସୂଚୀର ଖୁଚୁରାଦରରେ ହିଁ ଖର୍ଦି କରିବାର ମତଲବୀ ଧାରା ବଜାୟ ରଖିଛନ୍ତି । ଏପଟେ ଜେଟ୍ ପାଇଁ ବଜେଟ୍ ଅଛି, ସେପଟେ ସ୍ଲେଟ୍ ପାଇଁ ଆଦିବାସୀ ପିଲାଟି ପକେଟ୍‌ରେ ଫଟା ପାହୁଲାଟେ ନାହିଁ ।

ତାରତମ୍ୟ ଭିତରେ ଭୁଶୁଡିପଡିଛି ଭାରସାମ୍ୟ । ଅର୍ଦ୍ଧବିକଶିତ ଅର୍ଥନୀତିର ପ୍ରକ୍ରିୟାକୁ ଅକ୍ତିୟାର କରିଚାଲିଛି ଅପଚୟ ଓ ଅପବ୍ୟୟର ଅବକ୍ଷୟୀ ରାଜନୀତି । ହୁକୁମ୍ ଆଗରେ ହକ୍‌ର ହାଲ୍ଲା ଶୁଣାଗଲେ ହାଉଳି ଖାଉଛି ହାକିମହୁକୁମାଙ୍କ ହାୱାମହଲ ।

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Comments are closed.