Latest Odisha News

BREAKING NEWS

ପୁଣି ‘ମୋ ବସ୍’ରେ ଯାତ୍ରୀଙ୍କ ଠାରୁ ଚୋରି, କ୍ୟାନସର ପୀଡି଼ତଙ୍କ ଠାରୁ ଲୁଟିନେଲେ ୧୫ ହଜାର ଟଙ୍କା

ଭୁବନେଶ୍ୱର: ସିସିଟିଭି ଲାଗିଛି, ତଥାପି ଚୋରି ହେଉଛି । ଆମେ କହୁଛୁ ‘ମୋ ବସ୍’ କଥା । ଭୁବନେଶ୍ୱର ସହ କଟକ, ପୁରୀ ଓ ଖୋର୍ଦ୍ଧା ସହରକୁ ଗଡ଼ୁଥିବା ‘ମୋ ବସ୍’ ଲୁଟେରାଙ୍କ ପାଇଁ ସ୍ୱର୍ଗ ପାଲଟିଛି । ବୁଧବାର ‘ମୋ ବସ୍’ରେ ଯାତ୍ରା କରୁଥିବା ଜଣେ କ୍ୟାନସର ପୀଡ଼ିତଙ୍କ ଠାରୁ ଲୁଟ୍ ହୋଇଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳର ଯାତ୍ରୀ ଜଣଙ୍କ ଠାରୁ ଦୁର୍ବୃତ୍ତ ୧୫ ହଜାର ୪୦୦ ଟଙ୍କା ଲୁଟି ନେଇଛନ୍ତି ।

କ୍ରୁଟ୍ ପରିଚାଳିତ ‘ମୋ ବସ୍’ ଭିତରୁ ୧୫ ହଜାରରୁ ଅଧିକ ଟଙ୍କା ଲୁଟ୍ ହୋଇଛି । ସୂଚନା ଅନୁସାରେ, ଗଞ୍ଜାମର ବୟସ୍କ ବ୍ୟକ୍ତି ଜଣଙ୍କ ଚିକିତ୍ସା ପାଇଁ ମେଡିକାଲ୍ ଯିବା ଲାଗି ବରମୁଣ୍ଡାରୁ ‘ମୋ ବସ୍’ରେ ଚଢ଼ିଥିଲେ । ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ପକେଟରେ ଟଙ୍କା ଥିଲା । କିନ୍ତୁ ବାଣୀ ବିହାର ଛକ ନିକଟରେ ତାଙ୍କ ପକେଟରେ ଟଙ୍କା ନଥିଲା ।

ବୃଦ୍ଧଙ୍କ କହିବା ଅନୁସାରେ, ସେ ପଣ୍ଡା କ୍ୟାନସର ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଉଥିଲେ । ତାଙ୍କ ପକେଟରେ ଟଙ୍କା ଥିଲା । ସବୁ ଟଙ୍କା ଚୋରି ପରେ ଏବେ ତାଙ୍କ ପାଖେ ମେଡିକା ଯିବା ପାଇଁ ଟଙ୍କା ନାହିଁ । ଏପରିକି ଖାଇବାକୁ ଟଙ୍କା ନଥିବା ସେ କହିଛନ୍ତି । ଏନେଇ ସେ ‘ମୋ ବସ୍’ କଣ୍ଡକ୍ଟରଙ୍କୁ ଜଣାଇବା ପରେ ବସକୁ ଅଟକାଇ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରିବା ସହ ସହିଦନଗର ଥାନାରେ ଏକ ଲୁଟ୍ ମାମଲା ରୁଜୁ ହୋଇଛି । ସେପ୍ଟେମ୍ବର ୧୬ ତାରିଖରେ ଏହିଭଳି ‘ମୋ ବସ୍’ରେ ୨ ଜଣ ଯାତ୍ରୀଙ୍କ ମୋବାଇଲ୍ ଚୋରି ହୋଇଥିଲା । ଆଉ ଚୋରିରେ ‘ମୋ ବସ୍’ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଥିଲେ ଯାତ୍ରୀ ଜଣଙ୍କ । ଅଭିଯୋଗ ପରେ ବସ୍ ତତକ୍ଷଣାତ୍ ନ ରଖିବାରୁ ଚୋର ଖସି ପଳାଇବାରେ ସକ୍ଷମ ହୋଇଥିବା ଯାତ୍ରା କହିଥିଲେ । ଏବେ ପୁଣି ‘ମୋ ବସ୍’ରେ ଯାତ୍ରୀଙ୍କ ଠାରୁ ଟଙ୍କା ଚୋରି ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Leave A Reply

Your email address will not be published.