ମୁମ୍ବାଇ: ବିବାଦ ଭିତରେ ଯୁଝି ହେଉଛନ୍ତି ରଣବୀର ଆହ୍ଲାବାଦିଆ। ଏହାରି ଭିତରେ ୟୁଟ୍ୟୁବର ତଥା ପୋଡକାଷ୍ଟର ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟ ଗିରଫ ଆଶଙ୍କାରୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ବାଧୀନ ସୁପ୍ରିମକୋର୍ଟଙ୍କ ପୀଠ ଏହିସବୁ ମାମଲାରେ ଆହ୍ଲାବାଦିଆଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି।
ଅଶ୍ଳୀଳ ମନ୍ତବ୍ୟ ପାଇଁ ଆହ୍ଳାବାଦିଆଙ୍କ ବିରୋଧରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଏକାଧିକ ମାମଲା ରୁଜୁ ହୋଇଥିବାବେଳେ ଏଥିରେ ତାଙ୍କୁ ଗିରଫ କରାଯିବାର ଆଶଙ୍କା ରହିଥିଲା। ଏପରି ଆଶଙ୍କାକୁ ନେଇ ସେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିବାବେଳେ ତାଙ୍କୁ ଆଶ୍ବସ୍ତି ମିଳିଛି। ସୁପ୍ରିମକୋର୍ଟ କହିଛନ୍ତି ଯେ ସ୍ବାଧୀନ ମତବ୍ୟକ୍ତ ଅଧିକାର ନାମରେ ଜଣେ ସମାଜର ନୀତି ଆଦର୍ଶ ବିରୋଧରେ ନିଜ ଇଚ୍ଛାରେ ଯାହା କିଛି କହିପାରିବେ ନାହିଁ।
ସୂଚନା ଥାଉକି ୟୁଟ୍ୟୁବ୍ରେ ପ୍ରସାରିତ କେମଡି ଧାରାବାହିକ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ରେ ଅତିଥି ଭାବେ ଉପସ୍ଥିତ ରହି ଆହ୍ଲାବାଦିଆ ଦର୍ଶକଙ୍କୁ କେତେକ ଅଶ୍ଳୀଳ ପ୍ରଶ୍ନ କରିଥିଲେ। ଯାହା ସାଧାରଣ ସମାଜରେ ଅତ୍ୟନ୍ତ ନିନ୍ଦନୀୟ। ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟ ଆଶ୍ବସ୍ତି ପ୍ରଦାନ କରିଥିବାବେଳେ ତାଙ୍କର ମନ୍ତବ୍ୟ ପାଇଁ ଭର୍ତ୍ସନା କରିଛନ୍ତି। ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟ ଗିରଫରୁ ଆଶ୍ବସ୍ତି ଦେଇଥିବାବେଳେ ନିଜର ପାସପୋର୍ଟ ମହାରାଷ୍ଟ୍ରର ଥାଣେ ପୁଲିସ ନିକଟରେ ଜମା ଦେବାକୁ କହିଛନ୍ତି। ଏହା ସହିତ ତାଙ୍କୁ ଅଦାଲତଙ୍କ ବିନା ଅନୁମତିରେ ଦେଶ ବାହାରକୁ ନ ଯିବାକୁ କହିଛନ୍ତି। ଅଶ୍ଳୀଳ ମନ୍ତବ୍ୟ ପରେ ଆହ୍ଲାବାଦିଆଙ୍କ ପରିବାରକୁ ବିଭିନ୍ନ ମହଲରୁ ହତ୍ୟା ଧମକ ମିଳୁଥିବାବେଳେ ଏଥିପାଇଁ ସେ ପୁଲିସ ଠାରୁ ସୁରକ୍ଷା ଲୋଡି ପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
Comments are closed.