Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୪୮

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଅବତାରୀ ଶ୍ରୀଜଗନ୍ନାଥଙ୍କ ପୂର୍ଣ୍ଣ ଅବତାର ଶ୍ରୀକୃଷ୍ଣଙ୍କୁ ସାକ୍ଷାତ ଶ୍ରୀଜଗନ୍ନାଥ ରୂପେ ପ୍ରତିପାଦନ କରିବାରେ ମୁଖ୍ୟ ହେଉଛନ୍ତି, ଚୈତନ୍ୟ ଓ ଗୌଡିୟ ବୈଷ୍ଣବମାନେ
ତେଣୁ ବର୍ଣ୍ଣନା ଅଛି :
“ମହାଭାବ ରସରାଜ ନିତ୍ୟ ଖେଲେ ଧୂଲେ,
ବୃନ୍ଦାବନେ ଛିଲେନ କୃଷ୍ଣ, ଆଛେ ନୀଳାଚଳେ ।”

କେବଳ ବୈଷ୍ଣବମାନେ ନୁହଁନ୍ତି ଶୂନ୍ୟବାଦୀ ଓ ନିରାକାର ତତ୍ୱବାଦୀ, ତଥା ଉତ୍କଳର ପଞ୍ଚସଖାମାନେ ଶ୍ରୀକୃଷ୍ଣଙ୍କୁ ଶ୍ରୀଜଗନ୍ନାଥ ଭାବରେ ଗ୍ରହଣ କରିନେଇଥିଲେ । କବି ବଳରାମଦାସଙ୍କ “ବେଦାନ୍ତ ସାର ଗୁପ୍ତ ଗୀତା “ବର୍ଣ୍ଣନା କରେ “ଏଣୁ ଏ ଜଗନ୍ନାଥ କୃଷ୍ଣ, ଅଭିନ୍ନ ଅଟନ୍ତି ଅର୍ଜୁନ “

* * * * * *

ଦୀପରୁ ଦୀପ ଲଗାଇଲେ,
ତେଜ ଯେସନେ ସମତୁଲେ,
କାର୍ଯ୍ୟକାରଣ ଭିନ୍ନ ନୋହି,
ଶ୍ରୀକୃଷ୍ଣ ଜଗନ୍ନାଥ ସେହି

କବି ଅଚ୍ୟୁତାନନ୍ଦ ଦାସ ତାଙ୍କ “ଛାୟାଳିଶ ପଟଳ “ରେ କହିଲେ : ଶ୍ରୀକୃଷ୍ଣ ଜଗନ୍ନାଥ ସେହି, ପରମାନନ୍ଦ ସେ ବୋଲଇ ।

ଏ ସବୁ ଉକ୍ତି ର ସତ୍ୟତା ଶ୍ରୀଜଗନ୍ନାଥଙ୍କ ରୀତିନୀତିରେ ପ୍ରତିଫଳିତ ହୁଏ । ଭାଦ୍ରବ ମାସ କୃଷ୍ଣ ପକ୍ଷ ସପ୍ତମୀ ଦିନ ଶ୍ରୀଜଗନ୍ନାଥଙ୍କ ଶ୍ରୀକୃଷ୍ଣ ବନ୍ଦାପନା ବା ଗର୍ଭଉଦକ ବନ୍ଦାପନା କରାଯାଏ । ଗର୍ଭ ବେଦନା ଉପଶମ ପାଇଁ ଜେଉଟଭୋଗ ଲାଗି ହୁଏ । ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣ ଜନ୍ମ, ନବମୀ ତିଥିରେ ନନ୍ଦଉତ୍ସବ, ଦଶମୀ ତିଥିରେ ବଣଭୋଜୀ ବେଶ, କୋଳି ବିକା, ବାକସୁର ଓ଼ ଅଘାସୁର ବଧ, ଏକାଦଶୀ ତିଥିରେ କାଳୀୟ ଦଳନ, ଧେନୁକାସୁର ବଧ, ଦ୍ୱାଦଶୀ ତିଥିରେ ପ୍ରଳମ୍ବlସୁର ବଧ, ତ୍ରୟୋଦଶୀରେ କୃଷ୍ଣ ବଳରାମ ବେଶ, ଅମାବାସ୍ୟାରେ ବସ୍ତ୍ର ହରଣ ଲୀଳା, ପ୍ରତିପଦାରେ ଦାବlଗ୍ନି ଲୀଳା, ଦ୍ଵିତୀୟାରେ ନିକୁଞ୍ଜ ଲୀଳା, ତୃତୀୟା ରେ ଅନ୍ଧ ମନ୍ଦିର ହାତୀ ଲୀଳା, ଏହିପରି ଭାବରେ ଭାଦ୍ରବ କୃଷ୍ଣ ସପ୍ତମୀ ଠାରୁ ଶୁକ୍ଳ ପକ୍ଷ ଦଶମୀ ପର୍ଯ୍ୟନ୍ତ ନୀଳାଚଳ ରେ ଶ୍ରୀକୃଷ୍ଣ ଙ୍କ ଲୀଳା ପାରିବେଷିତ ହୁଏ. ଏହା ମଧ୍ୟରେ କଂସବଦ୍ଧ ଲୀଳା ଶେଷ ଲୀଳା ଭାବେ ପାରିବେଷିତ ହୋଇଥାଏ.ଏହି ସବୁ ଲୀଳା ସମୟରେ ନୀଳାଚଳ ଧାମ ନିତ୍ୟ ରାସ ସ୍ଥଳୀ ବୃନ୍ଦାବନ, ଭାର୍ଗବୀ ନଦୀ ଯମୁନା, କଳ୍ପ ବୃକ୍ଷ ଶ୍ୟାମକୁଞ୍ଜ, ସୁନା କୂପ ରାଧାକୁଣ୍ଡ ଭାବରେ ବିବେଚିତ ହେବାର ପ୍ରମାଣ ଶ୍ରୀ ଜଗନ୍ନାଥ ଦାସ କୃତ “ପରିଚୟ ବୋଧିନୀ “ରେ ମିଳେ ।

ଆଦି କବି ସାରଳା ଦାସ ମଧ୍ୟ କହିଛନ୍ତି :

” ଦ୍ୱାଦଶ ଯୋଜନ ଏହି ବିଷ୍ଣୁ ଦେବସ୍ଥଳୀ
ବେଳେ ବେଳେ କ୍ରୀଡା ଏଥିକରେ ବନମାଳୀ । “

ଭଗବାନ ଶ୍ରୀକୃଷ୍ଣ ଓ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଉଭୟ ଆମର ଆରାଧ୍ୟ, ଏହି ଭବlର୍ଣ୍ଣବରୁ ପାରି ହେବା ପାଇଁ ନାମ କୀର୍ତ୍ତନ ହିଁ ଶ୍ରେଷ୍ଠ । ଆସନ୍ତୁ ଭଜିବା “ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୂରାରେ, ହେନାଥ ନାରାୟଣ ବାସୁଦେବ। “

ଜୟ ଶ୍ରୀକୃଷ୍ଣ, ଜୟ ଜଗନ୍ନାଥ.

Leave A Reply

Your email address will not be published.