Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦେବୀ (୩୪)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୪

ସମୟ ସହିତ ଗତିଶୀଳ ମଣିଷର ଜୀବନ। ନିଜ ଭିତରେ ନିଜକୁ ଖୋଜିବାରେ କେତେ ସମୟ ଚାଲିଯାଏ ଜଣା ପଡେନା।ବୟସର ବାରବାଙ୍କରେ କେତେ ଘଟଣା ଘଟେ,କେତେ ଭାଙ୍ଗେ,କେତେ ଗଢାହୁଏ। କେତେ ଅବିଶ୍ବାସ ପାହାଡ଼ ଭିତରୁ ଶୁଣାଯାଏ ବିଶ୍ଵାସର କୁଆଁ କୁଆଁ ।

ପୌଷ ମାସର କୁହୁଡି ଭିତରେ ରାସ୍ତା ଚିହ୍ନିଚିହ୍ନି ଫେରିବା ବେଳେ ଭାବୁଥିଲା ଦେବ। ଆଖି ଆଗରେ ତାର ବିସ୍ତୀର୍ଣ୍ଣ ନଈ ପାଟ।ପାଟ ଭିତରେ ଧାରେ ସୁଖି ଆସୁଥିବା ଲୁହ ପରି ସୁନାମୁହିଁ ନଈ।ନଈର ଧାରେଧାରେ ହରକଞ୍ଚ ବଣ। ବଣ ଭିତରେ ଠା ଠା ଚାତରା। ଚାତରାରେ ବିଭିନ୍ନ ରଙ୍ଗର ବିଦେଶୀ ଚଢେଇ।

ଚଢେଇ କଥା ମନେ ପଡିଲେ ମନେ ପଡେ ଏକ କାହାଣୀ କଥା। ସେ କାହାଣୀରେ ଥାଏ ଜଣେ ଅଝଟ ରାଜାପୁଅ , ଜଣେ କାନ୍ଦୁରୀ ଜେମାଦେଇ। କେଜାଣି କେମିତି ସେ ଦୁହେଁ ପହଞ୍ଚି ଗଲେ ସୁନାମୁହିଁ କୂଳର ହରକଞ୍ଚ ବଣ ଭିତରେ।

ଦୁଇଟି କୁନି ଚଢେଇ ସେ ଦୁହିଁଙ୍କୁ ଡାକିନେଲେ ସୁନା ଫୁଲଗଛ ପାଖକୁ। ତା ମୂଳରେ ଥିଲା ଏକ ରୂପା କଇଁଚ। କେତୋଟି ନାଲି ରଙ୍ଗର ମାଛ ପହଁରୁଥିଲେ ଚତରା ଭିତରେ। ସେମାନେ ପିନ୍ଧିଥିଲେ ରଙ୍ଗୀନ ଡେଣା ହଳେ ହଳେ।

ହଠାତ୍ ମାଡିଆସିଲା ନଈ ଭିତରୁ ଲହରୀ।ଲହରୀରେ ଫୁଟିଥିଲା ହୀରାର ପ୍ରବାଳ ଫୁଲ।ସେ ଫୁଲ ପାଇଁ ଜିଦ୍ଦି ଧରିଲା
ରାଜଜେମା।ସେ ପାଦ କଚାଡି କାନ୍ଦିକାନ୍ଦି ରାଜାପୁଅକୁ କହିଲା ମତେ ସେ ହୀରା ଫୁଲ ଲୋଡା ।

ରାଜାପୁଅ ବୁଝେଇଲା “ଦେଖ ଜେମା , ପାଣିରେ ହୀରା ଫୁଲ ସର୍ବଦା ଭୟଙ୍କର। ତୁମେ ଏ ରଙ୍ଗରେ ଭଳି ଯାଅନା। ଚାଲ ଆମେ ନୀଳ କଇଁ ତୋଳିବା। ପାଣି ଚିରୁଡ଼ିର ଘଞ୍ଚ ବଣ ଭିତରେ ଅଛି ଗୋଟେ କଥାକୁହା ଚଢେଇ। ତା ଡେଣାରେ ସନ୍ନିବିଷ୍ଟ ସଂସାରର ସବୁ ରଙ୍ଗ। ସେ ରଙ୍ଗରେ ଫୁଟି ଉଠେ କୁନି ଓଠର ହସ। ତା କଣ୍ଠରେ ବାଜିଉଠେ ଆଦିମ ସପ୍ତସ୍ୱର।

ତଥାପି ବୁଝିଲା ନାହିଁ କାନ୍ଦୂରୀ ରାଜଜେମା। ତା’ ପାଦ କଚଡାରେ ଥରି ଉଠିଲା ସୁନାମୁହିଁ ନଈର ଛାତି। ହାବୁକାଏ ପାଣିରେ ଭାସିଗଲେ ସେ ଦୁହେଁ।ପାଣିର ପହଲ ବୋହିନେଲା ସେ ଦୁହିଁଙ୍କୁ ସମୁଦ୍ରର ଉନ୍ମାଦ ଛାତି ଭିତରକୁ। ଅଥଳ ପାଣିରେ ବୁଡ଼ି ଯାଉଯାଉ ସେମାନଙ୍କୁ ଧରିନେଲେ ଯୋଡିଏ ସମୁଦ୍ର କାଉ। କାଉ ପଞ୍ଝାରୁ ଖୁବ୍ ସୁନ୍ଦର ଲାଗୁଥିଲା ଆକାଶ ଓ ସମୁଦ୍ରର ଛାତି।ସତରେ ଆକାଶରେ ଉଡିବାର ମହିମାମୟ ଅନୁଭବ ଥିଲା ବାସ୍ତବରେ ଖୁବ୍ ରୋମାଞ୍ଚକର।

ପିଲାଟି ଦିନରୁ ଏମିତି ଏକ କାହାଣୀ ଶୁଣିଶୁଣି ଖୁବ୍ ଖୁସି ହେଉଥିଲା ଦେବ। କଳ୍ପନାପ୍ରବଣତା ଭିତରେ ଦେବର କୈଶୋର ଖୁବ୍ ରୋମାଞ୍ଚକର ଥିଲା।

କ୍ରମଶଃ…..

Leave A Reply

Your email address will not be published.