Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୨ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ତ୍ରିମୁର୍ତ୍ତୀ ବା ଚତୁର୍ଦ୍ଧା ମୂର୍ତ୍ତି ଏହି ପ୍ରସଙ୍ଗରେ ଆଦିକବି ସାରଳା ଦାସଙ୍କ ତ୍ରିମୁର୍ତ୍ତୀ ବର୍ଣ୍ଣନା ପରି ବା ତାହାରି ଅଵଲମ୍ବନରେ କବି ନୀଳାମ୍ବର ଦାସ ପଞ୍ଚଦଶ ଶତାବ୍ଦୀରେ ରଚନା କଲେ ‘ଦେଉଳ ତୋଳା ‘। ସେଭଳି ଅଷ୍ଟାଦଶ ଶତାବ୍ଦୀରେ କବି ଶିଶୁ କୃଷ୍ଣ ଦାସ ମଧ୍ୟ ରଚନା କଲେ ‘ଦେଉଳ ତୋଳା’ ।
ଉଭୟ କାବ୍ୟରେ ଆଜି ଲୋକ ମୁଖରେ ପ୍ରଚଳିତ କାହାଣୀ ଯଥା ଇନ୍ଦ୍ରଦ୍ୟୁମ୍ନ ମହାରାଜ -ବିଦ୍ୟାପତି ପ୍ରସଙ୍ଗରୁ ଆରମ୍ଭ କରି ବିଶ୍ୱାବସୁ -ଲଳିତା ପ୍ରସଙ୍ଗ ତଥା ନୀଳାଚଳରେ ନୀଳମାଧବଙ୍କ ଉପାସନା ଓ ଅନ୍ତର୍ଧ୍ୟାନ, ଯଜ୍ଞ ଆୟୋଜନ, ସମୁଦ୍ର ରେ ବ୍ରହ୍ମଦାରୁ ଭାସମାନ ଓ ଉକ୍ତ ଦାରୁ ଅଣlଇ ବିଶ୍ୱକର୍ମା (ଅନନ୍ତ ମହାରଣା )ଙ୍କ ଦ୍ୱlରା ରୁଦ୍ଧ କୋଠରୀରେ ବିଗ୍ରହ ନିର୍ମାଣ ତଥା ରାଣୀ ଗୁଣ୍ଡିଚାଙ୍କ ଅନୁରୋଧରେ ଦ୍ୱାର ଉନ୍ମୋଚନ ପରେ ଆଧା ଗଢ଼ା ତ୍ରିମୁର୍ତ୍ତୀ ଦର୍ଶନ ପ୍ରସଙ୍ଗ ବର୍ଣ୍ଣିତ । ଏଠାରେ ସ୍କନ୍ଦ ପୁରାଣଠାରୁ ଟିକିଏ ଭିନ୍ନ ଭାବରେ ସାମାଜିକ ସ୍ଥିତିକୁ ଦୃଷ୍ଟି ଦେଇ ବିଦ୍ୟlପତି ଓ ଲଳିତାଙ୍କ ବିବାହ ଓ ତାଙ୍କ ଔରସ ଜାତ ସନ୍ତାନମାନଙ୍କୁ ଦଇତାପତି ମାନ୍ୟତା ଦେଇ ବିଶେଷ ସେବା ପ୍ରଦାନ ବିଷୟ ଆଲୋଚିତ ହୋଇଛି। ସେଭଳି କବି ଦୀନକୃଷ୍ଣ ଦାସ ମଧ୍ୟ ଲେଖିଲେ :

“ବିଦ୍ୟlପତି ବ୍ରାହ୍ମଣ ଯେ ଦୂତ ପଣେ ଥିଲା,
ଶବର ଝିଅକୁ ସେ ଯେ ପ୍ରଦାନ ହୋଇଲା,
ଶବରୁଣୀ ଠାରୁ ଯେଉଁ ପୁତ୍ର ହେବ ଜାତ
ଶୁଦ୍ଧ ସୁଆର ସେ ହେବ ବୋଲେ ଜଗନ୍ନାଥ
ଶବର ଘରେ ଯେଉଁ ପୁତ୍ର ହେବେ ଜାତ,
ଦଇତା ସେବକ ହେବେ ବୋଲେ ଜଗନ୍ନାଥ
ସେ ବ୍ରାହ୍ମଣ ଘରେ ଯେଉଁ ପୁତ୍ର ହେବେ ଜାତ,
ପ୍ରକୃତ ସେବକ ସେ ବୋଇଲେ ଜଗନ୍ନାଥ। ”

ତିନୋଟି ଯାକ “ଦେଉଳ ତୋଳା “ଗ୍ରନ୍ଥର ରଚନା କାଳ ସମାନ ନଥିବାରୁ କିଛି କିଛି ପରିବର୍ତ୍ତନ ଦୃଷ୍ଟି ଗୋଚର ହେଲେ ମଧ୍ୟ, ଗୋଟିଏ କଥା ସମାନ ଲାଗେ ଯାହାକି ଦୁଇଟି ସଂସ୍କୃତିର ମହାମିଳନ ଯଥା ଆଦିମ ଶବର ସଂସ୍କୃତି ଓ ଆଧୁନିକ ଆର୍ଯ୍ୟ ସଂସ୍କୃତି।

ସେଥିପାଇଁ ଶବର ସଂସ୍କୃତିର ପ୍ରଭାବ ମୁଖ୍ୟତଃ ଦାରୁଦେବତା ପୂଜନର ପରମ୍ପରା “ଶବରୀ ନାରାୟଣ “ପୂଜା ଆଧାରିତ। ଏଥିରେ ବେଦ ଉପନିଷଦ ବର୍ଣ୍ଣିତ ତ୍ରୟୀଧାରା ମିଶ୍ରିତ ହୋଇଛି। ସେ ତ୍ରିମୁର୍ତ୍ତୀ ହୁଅନ୍ତୁ ଅବା ଚତୃଦ୍ଧା ମୂର୍ତ୍ତି ହୁଅନ୍ତୁ। ପ୍ରତ୍ୟେକ ଯୁକ୍ତି ପଛରେ ସୁନ୍ଦର ତଥ୍ୟ ଓ ତତ୍ତ୍ୱର ଉପସ୍ଥାପନା ଅଛି । ଯେପରି କବି ଯଶୋବନ୍ତ ଦାସଙ୍କ ରଚିତ “ପ୍ରେମ ଭକ୍ତି ଦାରୁଗୀତା “ଶ୍ରୀଜଗନ୍ନାଥଙ୍କୁ ପ୍ରଣବ ଓଁ କାର ସ୍ୱରୂପ ତଥା ବୀଜ ମନ୍ତ୍ର ହ୍ଲିଂ, ସ୍ଲିଂ, କ୍ଲିଂ ରୂପୀ ତ୍ରିମୁର୍ତ୍ତୀ ବୋଲି ବର୍ଣ୍ଣନା କରନ୍ତି। ଏହି ତତ୍ତ୍ୱକୁ କବି ଦିବାକର ଦାସ ନିଜ ରଚିତ “ଜଗନ୍ନାଥ ଚରିତlମୃତ “ରେ ଗ୍ରହଣ କରି ଲେଖିଛନ୍ତି : “ଶ୍ରୀବିଜ ବଲଭଦ୍ର ହୋନ୍ତି, ହ୍ଲିଂ ବୀଜ ସୁଭଦ୍ରା ମୂରତି କ୍ଲିଂ । ”

ବୀଜ ଜଗନ୍ନାଥ ଭାବ ପୁନଶ୍ଚ ସେ ଚତୃଦ୍ଧା ମୂର୍ତ୍ତି ପ୍ରଣାମ ଆଧାରରେ ଉଲ୍ଲେଖ କରିଛନ୍ତି “ଶ୍ରୀ ବାଲଭଦ୍ର ସୁଭଦ୍ରେଣ, ଜଗନ୍ନାଥ ଯେ ସୁଦର୍ଶନ
ଯେକ୍ଷେତ୍ରେ ଚତୃଦ୍ଧା ମୂରତି, ପ୍ରକାଶ ହୋଇଣ ଅଛନ୍ତି ।”

ତଥାପି ଆମେ ପ୍ରଭୁଙ୍କ ଉତ୍ପତିର ଏହି ଗୂଢ଼ ତଥ୍ୟ ଓ ତତ୍ତ୍ୱକୁ ଧୀରେ ଧୀରେ ଉନ୍ମୋଚିତ କରିବା। ବର୍ତ୍ତମାନ କିନ୍ତୁ ଆରାଧନାର ସମୟ “ଚଳ ଲ୍ଲୋଳ -କଲ୍ଲୋଳ -କଲ୍ଲୋଳିନୀନ, ସ୍ପୁନକ୍ର ଚକ୍ରା ତିଵିକତ୍ରା ମ୍ଭୁଲୀନଃ,ହତୋ ଯେନ -ମୀନ ବିତାରେଣ ଶଙ୍ଖ
ସପାୟାଦ୍ଧପାୟା ଜ୍ଜଗଦ ବାସୁଦେବ “(ଶ୍ରୀଶଙ୍କରାଚାର୍ଯ୍ୟ )।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.