Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୪  

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

 

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ମନ ରୂପୀ ଗଜ ଭକ୍ତିର ସହ ଆକୁଳ ନିବେଦନ କରିବାରୁ, ଇନ୍ଦ୍ରିୟ ଲାଳସା ରୂପୀ କୁମ୍ଭୀର କବଳରୁ ରକ୍ଷା ପାଇଥିଲା। ଏହି ସାରତତ୍ତ୍ୱର ଆଲୋଚନା ଭିତରେ ଆମେ ଭକ୍ତିର ବିଭିନ୍ନ ସ୍ୱରୂପ କଥା ଚିନ୍ତନ କରୁଛେ। ଏହି ମର୍ମରେ “ଶ୍ରୀମଦଭାଗବତ “ରେ ବର୍ଣ୍ଣିତ ସର୍ବଜନ ବିଦିତ ନବଧା ଭକ୍ତି ଯଥା : “ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦସେବନମ, ଅର୍ଚ୍ଚନଂ ବନ୍ଦନଂ ଦାସ୍ୟଂ ସଖ୍ୟମାତ୍ମନିବେଦନମ୍ ।” ଅର୍ଥାତ ଶ୍ରବଣ, କୀର୍ତ୍ତନଂ, ସ୍ମରଣ, ପାଦସେବା, ଅର୍ଚ୍ଚନା, ବନ୍ଦନା, ଦାସ୍ୟଭାବ, ସଖାଭାବ ପ୍ରଦର୍ଶନ ତଥା ଆତ୍ମନିବେଦନ ଏହି ନଅ ଗୋଟି ସ୍ୱରୂପରେ ନିଜର ଅଟଳ ଭକ୍ତିକୁ ଅର୍ପଣ କରାଯାଇ ଥାଏ। ଏଥିରେ ବର୍ଣ୍ଣିତ ସ୍ମରଣର ଚତୃ ସ୍ୱରୂପ ମଧ୍ୟ ଆମେ ଆଲୋଚନା କରିଛେ। “ଗୀତା” କହେ “ମଚ୍ଚ୍ଛିତ୍ତା, ମଦଗତପ୍ରାଣା ବୋଧୟନ୍ତଃ ପରସ୍ପରମ୍, କଥୟନ୍ତଶ୍ଚ ମାନିତ୍ୟଂ ତୁଷ୍ୟନ୍ତି ଚ ରମନ୍ତି ଚ। ତେଷlମେବାନୁକମ୍ପାର୍ଥ ମହମଜ୍ଞାନଜଂ ତମଃ, ନାଶୟାମ୍ୟାତ୍ମଭାବସ୍ମ ଜ୍ଞାନଦୀପେନ ଭାସ୍ଵତା। “ ଅର୍ଥାତ ଭଗବତପ୍ରାଣ ହୋଇ, ଚିତ୍ତକୁ ତାଙ୍କଠାରେ ଅର୍ପଣ କରି, ଭଗବାନଙ୍କୁ ନିତ୍ୟ ନବଧା ଭକ୍ତିର ଆଧାରରେ ଆରାଧନା କଲେ ଅଜ୍ଞାନ ଅନ୍ଧକାର ନାଶ ହୋଇ ଜ୍ଞାନ (ଆତ୍ମ ଜ୍ଞାନ )ର ପରିପ୍ରକାଶ ଘଟେ। ଯେପରି କୁମ୍ଭୀର କବଳରୁ ରକ୍ଷା ପାଇବା ପାଇଁ ଗଜ ଭଗବାନଙ୍କୁ ସ୍ମରଣ ମାତ୍ରେ ଆତ୍ମ ଜ୍ଞାନ ଲାଭ କରି ନିଜର ପୂର୍ବ ଜନ୍ମର ଆଭାସ ପାଇଥିଲେ, ଯାହା ଓଡ଼ିଆ ଭାଗବତରେ ବର୍ଣ୍ଣିତ ହୋଇଛି । ଯଥା :-

ଏମନ୍ତ ବୁଦ୍ଧି ସେ ବିଚାରି,
ଚଞ୍ଚଳ ମନ ସ୍ଥିର କରି,
ପରମ ଜପ ସେ ଜପିଲା
ସେ ପୂର୍ବଜନ୍ମେ ଶିକ୍ଷା ଥିଲା ।”

ତେବେ ପୂର୍ବ ଜନ୍ମର ଉପାଖ୍ୟାନ ଆରମ୍ଭ କରିବା ଆଗାମୀ ଅଧ୍ୟାୟରେ ବର୍ତ୍ତମାନ ଆରାଧନାର ସମୟ —

“ବାଗୀଶl ଯସ୍ୟ ବଦନେ ଲଷ୍ମୀଜର୍ସ୍ୟ ଚ ବକ୍ଷସି, ଯସ୍ୟlସ୍ତେ ହୃଦୟେ ସମ୍ବିତ ତଂ ନୃସିଂହମହଂ ଭଜେ ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.