Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସମ୍ମୁଖରୁ ଆସନ୍ତୁ ପ୍ରବେଶ କରିବା ଓ ଜାଣିବା ପ୍ରଭୁଙ୍କୁ ଘେରି ରହିଥିବା ପାର୍ଶ୍ଵ ଦେବାଦେବୀଙ୍କ ସମ୍ପର୍କରେ । ଖାଲି ଦେବlଦେବୀଙ୍କ ସମ୍ପର୍କରେ ଜାଣିଲେ ହେବନି, ଆରମ୍ଭ ତ ନିଶ୍ଚୟ କରିବା ସିଂହଦ୍ୱାର ନିକଟରୁ, ତେଣୁ କିପରି ଭୁଲି ଯିବା ଅରୁଣ ସ୍ତମ୍ଭଙ୍କୁ. ସିଂହ ଦ୍ୱାର ପ୍ରବେଶ ମାର୍ଗରେ ସୁଉଚ୍ଚ ଓ ଅତ୍ୟନ୍ତ ସୁଦୃଶ୍ୟ ସ୍ତମ୍ଭଟି ହେଉଛି ଅରୁଣ ସ୍ତମ୍ଭ ସ୍ଥାନୀୟ ଭାଷାରେ ଅରୁଣସ୍ତମ୍ଭ ଚକଡା (ସିଂହଦ୍ୱାର ସମ୍ମୁଖ ଭାଗ )ରେ ସ୍ଥାପିତ ଏହି ଅତୀବ କାରୁକାର୍ଯ୍ୟ ପୂର୍ଣ୍ଣ ଓ ଗୋଟିଏ ପ୍ରସ୍ତରରେ ନିର୍ମିତ୍ତ ଏହି ସ୍ତମ୍ଭ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କର ମୂଖ୍ୟ ଆକର୍ଷଣ କେନ୍ଦ୍ର ଅଟେ। କାରଣ ନିଜ ଆରାଧ୍ୟଙ୍କୁ ଦର୍ଶନ ପୂର୍ବରୁ ଏହି ଅରୁଣ ସ୍ତମ୍ଭଙ୍କୁ ଟିକିଏ ସ୍ପର୍ଶ କରି ନିଜ ଆଗମନର ବାର୍ତ୍ତା ଭକ୍ତ ଦେଇଥାଏ ନିଜ ଭଗବାନଙ୍କୁ । କିନ୍ତୁ ଜଣାଯାଏ ଏହି ସ୍ତମ୍ଭ ଟି ସର୍ବପ୍ରଥମେ ଲlଙ୍ଗୁଲା ନରସିଂହ ଦେବଙ୍କ ଦ୍ୱାରା ନିର୍ମିତ୍ତ କୋଣାର୍କ (ସୂର୍ଯ୍ୟ )ମନ୍ଦିରରେ ସ୍ଥାପିତ ହୋଇ ଥିଲା।
ପରବତ୍ତୀ ସମୟରେ ଯେତେବେଳେ କୋଣାର୍କର ମୂଖ୍ୟ ମନ୍ଦିରଟି ଭାଙ୍ଗିଗଲା । ସେତେବେଳେ ଭୋଇ ବଂଶର ରାଜା ଦିବ୍ୟସିଂହ ଦେବ ଏହି ସ୍ତମ୍ଭଟି ସମ୍ପୂର୍ଣ ନିଖୁଣ ଭାବରେ ଅଣlଇ, ଶ୍ରୀମନ୍ଦିର ସମ୍ମୁଖରେ ସ୍ଥାପନା କରିଥିଲେ। ଏହା ଅଷ୍ଟାଦଶ ଶତାବ୍ଦୀ ର ଶେଷ ଭାଗ ଭାରତ ବର୍ଷରେ ସେତେବେଳେ ମରହଟ୍ଟା ଶାସନ, ତେଣୁ ଏହି କାର୍ଯ୍ୟ ପାଇଁ କୌଣସି ବାଧା ଉପୁଜି ନଥିଲା ।

ଶ୍ରୀଜଗନ୍ନାଥଙ୍କ ସତ୍ତ୍ୱଲିପି ଅନୁସାରେ ପ୍ଲଟ ନମ୍ବର ୧୬୧ ରେ ଏହି ସ୍ତମ୍ଭଟି ଅବସ୍ଥିତ ପୀଠ ପତନଠାରୁ ଅରୁଣଙ୍କ ଶିଖ ପର୍ଯ୍ୟନ୍ତ ଉଚ୍ଚତା ୩୩ ଫୁଟ ୮ ଇଞ୍ଚ। ଏହାର ପୀଠଟି ୭ ଫୁଟ ୯ ଇଞ୍ଚ ଲମ୍ବ ଓସାର ଓ 6ଫୁଟ ଉଚ୍ଚତା ବିଶିଷ୍ଠ ଅଟେ । ତା’ ଉପରେ ୨୫ ଫୁଟ ୨ ଇଞ୍ଚ ଉଚ୍ଚତାର ସ୍ତମ୍ଭ ବିରାଜମାନ କରିଛି। ଏହା ଗୋଟିଏ ମୁଗୁନି ପଥରରେ ନିର୍ମିତ୍ତ ଓ ଷୋହଳ କୋଣ ବିଶିଷ୍ଟ ଅଟେ। ଏହି ସ୍ତମ୍ଭର ପୀଠଟି ସୁଦୃଶ୍ୟ କାରୁକାର୍ଯ୍ୟରେ ମଣ୍ଡିତ ହୋଇଛି। ଏହି ବିଶାଳ ସ୍ତମ୍ଭ ଉପରି ଭାଗରେ ଅରୁଣ ଯୋଡ ହସ୍ତରେ ବିଦ୍ୟମାନ ଅଟନ୍ତି। ସୂର୍ଯ୍ୟ ଦେବଙ୍କ ସାରଥି ଅରୁଣ ଏଠାରେ ସର୍ବଦା ନୀଳଚକ୍ରଙ୍କୁ ଚାହିଁ ଥିବାର ଅନୁମେୟ ହୁଏ। ଶ୍ରୀମନ୍ଦିର ମାଦଳା କର୍ମାଙ୍ଗୀ ଓ ସତ୍ତ୍ୱଲିପି ପ୍ରକାରେ ଶ୍ରୀମନ୍ଦିରର ଚୂନରା ସେବକ ବା ଗରୁଡ଼ ସେବକ ଏହି ସ୍ତମ୍ଭର ସେବା କାର୍ଯ୍ୟ କରିଥାନ୍ତି। ଏଠାରୁ ପ୍ରାପ୍ତ ଦକ୍ଷିଣା ମଧ୍ୟ ସେମାନେ ଗ୍ରହଣ କରିବା ସହ ଏହାର ସମସ୍ତ ଦାୟିତ୍ୱ ତୁଲାଇ ଥାନ୍ତି। ଅନେକ ବର୍ଷ ତଳୁ ଏହି ସ୍ତମ୍ବର ଚାରି ପାଖରେ ଲୁହା ଗ୍ରିଲ ସ୍ଥାପନା ହୋଇଛି। ପରମ୍ପରା ଅନୁଯାୟୀ ରଥଯାତ୍ରା ସମୟରେ ପୂଜାପଣ୍ଡା ସେବକମାନେ ରଥରୁଢ ଶ୍ରୀଜୀଉମାନଙ୍କୁ ଏହିଠାରୁ ଭକ୍ତ ପ୍ରଦତ୍ତ ଭୋଗ ପ୍ରଦାନ କରିଥାନ୍ତି। ଏହି ଅରୁଣ ସ୍ତମ୍ଭ ପାର୍ଶ୍ଵରେ ଶ୍ରୀଜୀଉମାନେ ପହଣ୍ଡିରେ ଆସନ୍ତି ଓ ମନ୍ଦିର ଭିତରକୁ ଯାଆନ୍ତି। ଅହରହ ଯୋଡ ହସ୍ତରେ ରହି ପ୍ରଭୁଙ୍କର ଲିଳାକୁ ଅବଲୋକନ କରୁଥିବା ଅରୁଣଙ୍କୁ ନମସ୍କାର ଜଣାଇ ଆସନ୍ତୁ। ଆଗାମୀ ଅଧ୍ୟାୟ ରେ ପ୍ରବେଶ କରିବା ସିଂହ ଦ୍ୱାର ଗୁମୁଟ ମଧ୍ୟରେ, କିନ୍ତୁ ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ।

“ଜଗତ କାରଣ ସମସ୍ତେ
ଶାସ୍ତ୍ରେ କହନ୍ତି ନାନା ମତେ ।
ଯେ ସର୍ବ ତତ୍ୱେ ଦେଖେ ମୋତେ
ବିଚାରି ଜାଣିବା ସାକ୍ଷାତେ ।
ସେ ତତ୍ତ୍ୱ ଜ୍ଞାନ ମୋର ମତ
ତା ବିନୁ କିଛି ନୋହେ ସତ୍ୟ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.