Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ବୁଲୁ ବୁଲୁ ଆମେ ଆସି ପହଞ୍ଚି ଯାଇଛେ “ମା ଭୁବନେଶ୍ୱରୀ “ଙ୍କ ପାଖରେ। ପ୍ରଭୁ କାଞ୍ଚି ଗଣେଶଙ୍କ ପରେ ଭିତର ବେଢା ରେ ଜଣେ ଚର୍ଚ୍ଚିତ ଓ ପ୍ରତିଷ୍ଠିତ ପାର୍ଶ୍ଵ ଦେବୀ ହିସାବରେ “ଶ୍ରୀ ଭୁବନେଶ୍ୱରୀ’ ପୂଜା ପାଉଛନ୍ତି। କାରଣ ଏହାଙ୍କୁ ଶ୍ରୀମନ୍ଦିରର ପଞ୍ଚଶକ୍ତି ମନ୍ଦିର ନାମରେ ମଧ୍ୟ ଅଭିହିତ କରାଯାଏ। ଶ୍ରୀମନ୍ଦିର କୂର୍ମ ବେଢାର ପଶ୍ଚିମ ପାର୍ଶ୍ଵରେ ଟିକିଏ ଉତ୍ତରକୁ ଏହି ମନ୍ଦିର ଅବସ୍ଥିତ। ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଏହା ପ୍ଲଟ ନମ୍ବର ୫୮ କ ଓ ୫୮ ଖରେ ଅବସ୍ଥିତ।ଏହି ମନ୍ଦିରଟିରେ ମା ଭୁବନେଶ୍ୱରୀ, ମା ସରସ୍ବତୀ, ମା ଷଷ୍ଠୀ, ମା ସାବିତ୍ରୀ ଓ ମା ଗାୟତ୍ରୀ ପଞ୍ଚଶକ୍ତି ହିସାବରେ ବିରାଜମାନ କରିଛନ୍ତି। ମନ୍ଦିରର ଭିତର ବଖରାରେ ମା ଭୁବନେଶ୍ୱରୀ ବାହାର ବଖରାରେ ବାମ ପାର୍ଶ୍ଵରେ ସରସ୍ବତୀ ଓ ନୃସିଂହ, ତଥା ଡାହାଣ ପାର୍ଶ୍ଵ ରେ ଷଷ୍ଠୀ, ସାବିତ୍ରୀ ଓ ଗାୟତ୍ରୀ ପୂଜିତ ହୁଅନ୍ତି। ସମସ୍ତେ (ପଞ୍ଚ ଶକ୍ତି )ପୂର୍ବ କୁ ମୁଖ କରି ବିରାଜିତ। ସ୍ଥାନୀୟ ଶ୍ରଦ୍ଧାଳୁ ଓ ଭକ୍ତମାନେ ଭୁବନେଶ୍ୱରୀଙ୍କୁ ମା କମଳା ହିସାବରେ ସମ୍ବୋଧନ କରିଥାନ୍ତି । ପଣ୍ଡିତ ଓ ଗବେଷକଙ୍କ ତଥ୍ୟ ଅନୁସାରେ ଏହି ମନ୍ଦିର ପ୍ରାୟ ୧୭୦୦ ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠିତ ହୋଇଥିଲା। ଦଶ ମହାବିଦ୍ୟାଙ୍କ ମଧ୍ୟରେ ଅନ୍ୟତମା ମା ଭୁବନେଶ୍ୱରୀ ରଜୋଗୁଣ ସମ୍ପନ୍ନା ଅଟନ୍ତି। ଅବଶ୍ୟ ଦଶମହାବିଦ୍ୟାଙ୍କ ଉପାସନା ଶାକ୍ତମାନଙ୍କ ମଧ୍ୟରେ ବିଶେଷ ରୂପରେ ପ୍ରଚଳିତ ଅଟେ। ସେମାନେ ଦଶମହାବିଦ୍ୟାଙ୍କୁ ବିଭିନ୍ନ ନାମରେ ନାମିତ କରିଥାନ୍ତି କାରଣ ଏମାନେ (ଦଶମହାବିଦ୍ୟା )ସତ୍ୱ, ରଜ ଓ ତମୋ ଗୁଣ ଅଧିକାରୀ ଅଟନ୍ତି। ଗୁଣ ଅନୁସାରେ ନାମର ବିଶେଷତ୍ୱ ଅନୁଭୂତ ହୁଏ। ପ୍ରକୃତି ସ୍ୱରୂପିଣୀ ମା ଭୁବନେଶ୍ୱରୀ, ଚତୃଭୁଜା, ତ୍ରିନୟନା ଓ ପଦ୍ମଆସନା। ଉଦ୍ୟତ ଭାନୁ ସମ ତାଙ୍କ ଶରୀରର କାନ୍ତି, ତଥା ମସ୍ତିକରେ ସେ ଚନ୍ଦ୍ର ଧାରଣ କରିଛନ୍ତି। ତାଙ୍କର ଦକ୍ଷିଣ ଉପର ହସ୍ତରେ ଅଙ୍କୁଶ, ତଳ ହସ୍ତରେ ଅଭୟ ମୁଦ୍ରା, ବାମ ଉପର ହସ୍ତରେ ପାଶ ଓ ବାମ ତଳ ହସ୍ତରେ ବରଦ ମୁଦ୍ରା ପ୍ରଦର୍ଶିତ ହୁଏ। ଆଗାମୀ ଅଧ୍ୟୟରେ ମାଙ୍କ ଉତ୍ପତ୍ତି ବିଷୟରେ ଜାଣିବା ବର୍ତ୍ତମାନ ଏହି ପ୍ରଣବ ରୂପିଣୀ ତଥା ବ୍ରହ୍ମ ସ୍ୱରୂପିଣୀ ମା ଭୁବନେଶ୍ୱରୀଙ୍କ ଆରାଧନା କରିବା। ଦେବୀ ଭାଗବତ କହେ “ନମୋ ଓଁକାର ରୂପlୟେ, ନମୋ ହ୍ର1ଙ୍କାର ମୂର୍ତୟେ ନାନା ମନ୍ତ୍ରାତ୍ମିକାୟେତେ କରୁଣାୟେ ନମୋ ନମଃ ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.