ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ପୂଜିତ ଶ୍ରୀଜୀଉମାନଙ୍କ ପୂଜା ବିଧିର ଆଲୋଚନା ଭିତରେ ଗୋଟିଏ ମୂଖ୍ୟ ଓ ଅତି ଦରକାରୀ ବିଷୟ ସମସ୍ତେ ଜାଣିବା ଆବଶ୍ୟକତା ଅଛି। କାରଣ ପୂଜକ ସାଧାରଣରେ ଉପାସନା ମାଧ୍ୟମରେ ମହାପ୍ରଭୁଙ୍କୁ ସୁକ୍ଷ୍ମରୁ ସ୍ଥୁଳ ସ୍ଥିତିକୁ ରୂପାନ୍ତରିତ କରି ବିଭିନ୍ନ ମାନବୋଚିତ ବିଧି ବିଧାନରେ ପୂଜନ କରିଥାନ୍ତି।।ପୂର୍ବରୁ ଆଲୋଚିତ ଷୋଡଶ ଉପଚାର ମାଧ୍ୟମରେ ଆମେ ଏହାର ପରିଚୟ ପାଇଛେ। କିନ୍ତୁ ସବୁଠାରୁ ଦରକାରି ବିଷୟଟି ହେଲା, ଏହି ସେବା ପୂଜାରେ ନିଜକୁ ନିୟୋଜିତ କରୁଥିବା ପୂଜଜ /ସେବକ ପ୍ରଥମେ ନିଜକୁ ଶୁଦ୍ଧି କରିବା ଆବଶ୍ୟକ। ସ୍ନାନ ଶୌଚ ହୋଇ ବହିଶୁଦ୍ଧି ସହ ବିଭିନ୍ନ ମନ୍ତ୍ର ଓ କ୍ରିୟା ଦ୍ୱାରା ଅନ୍ତଶୁଦ୍ଧି ନିତ୍ୟାନ୍ତ ଆବଶ୍ୟକ। କେବଳ ସେତିକି ନୁହେଁ ନିଜ ଇଷ୍ଟଙ୍କୁ ପୂଜା କରିବା ପୂର୍ବରୁ ତାଙ୍କୁ ନିଜ ହୃଦୟରେ ପ୍ରତିଷ୍ଠିତ କରିବା ଆବଶ୍ୟକ। ଏପରି ନକଲେ ପୂଜାରେ ବିଘ୍ନ ଆସିବା ସମ୍ଭବ ହୋଇଥାଏ। ଅଥବା ଏହି ପୂଜା ଆରାଧନା ଫଳ ପ୍ରସୂ ହୋଇନଥାଏ।ସର୍ବୋପରି ଅମର ପୁରାତନ ନିତ୍ୟକ୍ରମ ପଦ୍ଧତି ଅନୁସାରେ ନିଜର ସମସ୍ତ ନିତ୍ୟକ୍ରମ ସମାପନ କରିବା ଆବଶ୍ୟକ। ଅବଶ୍ୟ ଏହି ନିତ୍ୟକ୍ରମ ପଦ୍ଧତି ବିଭିନ୍ନ ବେଦ ଆଧାରିତ ଅଟେ। ତେଣୁ ସ୍ଵ ସ୍ଵ ବେଦ ଅନୁସାରେ ଏହା ପାଳନ କରିବା ଆବଶ୍ୟକ। ଯେପରି ସାମବେଦ ପାଇଁ ସାମବେଦୀୟ ନିତ୍ୟକ୍ରମ ପଦ୍ଧତି। ଯଜ୍ଜୁବେଦ ପାଇଁ ଉଦ୍ଧିଷ୍ଟ ନିତ୍ୟକ୍ରମ ପଦ୍ଧତି ଇତ୍ୟାଦି ପାଳନୀୟ। ସାମଗ୍ରିକ ଭାବରେ ଦେଖିଲେ ସମସ୍ତ ଶାସ୍ତ୍ର ପ୍ରାୟ ସମାନ ତଥାପି ସ୍ଵ ସ୍ଵ ବେଦକୁ ଅନୁସରଣ କଲେ ଉତ୍ତମ ଫଳ ମିଳିଥାଏ। ଅନ୍ୟାନ୍ୟ ଶୁଦ୍ଧି କଥା ଆଲୋଚନା କଲେ ମୁଖ୍ୟତଃ ଶାସ୍ତ୍ର କହେ ୧ ଆସନ ଶୁଦ୍ଧି ୨. ଭୁତ ଶୁଦ୍ଧି ୩. ପ୍ରାଣ ପ୍ରତିଷ୍ଠା, ୪. କର ଶୁଦ୍ଧି, ୫. ପ୍ରାଣାୟାମ ଓ ୬ . ମାତୃକା ନ୍ୟାସ (ଅନ୍ତମାତୃକା, ବହି ମାତୃକା ) ଶେଷରେ ପୂଜିତ ଦେବତାଙ୍କ ନ୍ୟାସ କରିବା ବିଧେୟ। ଧିରେ ଧିରେ ଆମେ ଏହାର ବିଧି ଆଲୋଚନା କରିବା। କିନ୍ତୁ ଏହା ସ୍ୱତନ୍ତ୍ର ଭାବେ ଜଣେ ପ୍ରତିଷ୍ଠିତ ପୂଜକଙ୍କଠାରୁ ଶିକ୍ଷା ନକଲେ, ତାହା ନିଜସ୍ୱ ଶୈଳୀରେ କରି ହୁଏନି। ତଥାପି ଆଗାମୀ ଅଧ୍ୟାୟମାନଙ୍କରେ କିଛି କିଛି ପୂଜନ ଶୈଳୀ ଆଲୋଚନା କରିବା କିନ୍ତୁ ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର।
ଯେ ଦ୍ରବ୍ୟ ଅତି କ୍ଳେଶ ପାଇ
ଯେ ସୁଖେ ଅତି ଲୋଭ ହୋଇ।
ଯେଣେ ବା ପରପୀଡା ହେବ
ଏ ତିନି ଚିତ୍ତେ ନ ଧରିବ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )