Latest Odisha News

BREAKING NEWS

ଚର୍ଚ୍ଚାରେ ଫିର୍ ଆଏଗା ମୋଦୀ ଗୀତ; ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ

ଭୁବନେଶ୍ୱର: ପାଖେଇ ଆସିଲାଣି ନିର୍ବାଚନୀ ଋତୁ । ଏଥିପାଇଁ ସାରା ଦେଶରେ ନିର୍ବାଚନୀ ଉଷ୍ମତା ଦେଖିବାକୁ ମିଳିଲାଣି । ଏମିତିକି ବିଭିନ୍ନ ରାଜନୖତିକ ଦଳ ଭୋଟରଙ୍କ ନିକଟରେ ପହଞ୍ଚିଲେଣି । ଆଉ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ କସରତ ଆରମ୍ଭ କରିସାରିଲେଣି । ଏହି କ୍ରମରେ ଭାରତୀୟ ଜନତା ପାର୍ଟି (ବିଜେପି)  ନିର୍ବାଚନ ପ୍ରଚାର ପାଇଁ ୧୦ ମିନିଟର ଏକ ଥିମ୍ ସଙ୍ଗ୍ ରିଲିଜ କରିଛି । ଯାହା ରହିଛି ‘ଫିର୍ ଆଏଗା ମୋଦୀ…’ । ଏହି ଗୀତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିସହ ପାର୍ଟିର କର୍ମକର୍ତ୍ତା ମାନେ ମଧ୍ୟ ଏହି ଗୀତକୁ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।

ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଗୀତ ଏବେ ଖୁବ ଚର୍ଚ୍ଚାରେ ରହିଛି ।

ଏକ ଗଣ ମାଧ୍ୟମକୁ ପ୍ରେମ ଆନନ୍ଦ କହିଛନ୍ତି,‘‘ବଲିଉଡରେ କାମ କରୁଥିବା ସମୟରେ ‘ଫିର୍ ଆଏଗା ମୋଦୀ’ ସ୍ଲୋଗାନ୍ ବିଭିନ୍ନ ମହଲରେ ଲୋକପ୍ରିୟ ହେଉଥିବା ଦେଖି ଏହାକୁ ଗୀତ ରୂପରେ ଦେବା ପାଇଁ ମୋ ଭିତରେ ଆଗ୍ରହ ସୃଷ୍ଟି ହୋଇଥିଲା । ‘ଫିର୍ ଆଏଗା ମୋଦି’  ଟ୍ୟାଗଲାଇନରେ ଗୀତ ଲେଖିବା ପାଇଁ  ଗୀତିକାର ଅରୁଣ କୁମାର ଶର୍ମାଙ୍କୁ  ଅନୁରୋଧ କରାଯାଇଥିଲା । ସେ ବହୁତ ସୁନ୍ଦର ଭାବେ ଗୀତ ଲେଖିଥିଲେ । ତା’ ପରେ ମୁଁ ସ୍ୱର ପ୍ରସ୍ତୁତ କରିଥିଲି । ଏହାପରେ ଦିଲ୍ଲୀରେ ବିଜେପିର ମିଡିଆ ବ୍ୟାପରରେ ଜିଡିତ ଥିବା ଜଣେ ନେତାଙ୍କୁ ସାକ୍ଷାତ କରି ଗୀତ ଶୁଣାଇଥିଲି । ସେ ଗୀତ ଶୁଣି ପସନ୍ଦ କରିଥିଲେ । ଏନେଇ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇଥିଲେ ।  ତାଙ୍କୁ ମଧ୍ୟ ଗୀତ ଭଲ ଲାଗିଥିଲା ।’’

ସେ ଆହୁରି କହିଛନ୍ତି,’’ ନଭେମ୍ୱର ମାସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଚିବଙ୍କ ପାଖରୁ ଫୋନ୍ ଆସିଥିଲା । ଗୀତକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଚୟନ କରିଥିବା  ସେ ସୂଚନା ଦେଇଥିଲେ। ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋତେ ଅଭିନନ୍ଦନ ଜଣାଇଥିଲେ । ଏହି ଗୀତ ଡିସେମ୍ୱର ମାସରେ ରିଲିଜ ହେବା ପରେ ମୋର ଶୁଭେଚ୍ଛୁ ଓ ସଙ୍ଗୀତପ୍ରେମୀ ମୋତେ ଅଭିନନ୍ଦନ ଜଣାଇଥିଲେ । ଜଣେ ଓଡ଼ିଆ ଭାବେ ମୋତେ ଏହି କାର୍ଯ୍ୟରେ ସଫଳତା ମିଳିଥିବାରୁ  ମୁଁ ଗର୍ବ ଅନୁଭବ କରୁଛି ।’’

Leave A Reply

Your email address will not be published.