Latest Odisha News

ମୁହଁରେ ଅକ୍ସିଜେନ୍ ମାସ୍କ, ହାଣ୍ଡିଶାଳରେ ମହିଳା

ଭୁବନେଶ୍ୱର: କରୋନା କବଳରେ ଭାରତ ଛଟ୍‌ପଟ୍ ହେଉଛି । ଏପରି ସ୍ଥିତିରେ ସୋସିଆଲ୍ ମିଡିଆ ସାଜିଛି ବେସରକାରୀ ସହାୟତା କେନ୍ଦ୍ର । ଅନେକ ଅଜଣା ଲୋକ ଏହି ପ୍ଲାଟଫର୍ମ ଜରିଆରେ ମାନବିକତାର ଶକ୍ତି ପ୍ରଦର୍ଶନ କରିଛନ୍ତି । ହେଲେ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଫଟୋକୁ ନେଇ ଇଣ୍ଟରନେଟ୍‌ରେ ଝଡ ଉଠିଛି ।

ଏହି ଫଟୋରେ ଜଣେ ମହିଳା ମୁହଁରେ ଅକ୍ସିଜେନ୍ ମାସ୍କ ଲଗାଇ ହାଣ୍ଡିଶାଳରେ ରାନ୍ଧିବାରେ ଦେଖାଯାଇପାରେ । ଏପରିକି ମହିଳାଙ୍କ ମାସ୍କ ସହ ଏକ ଅକ୍ସିଜେନ କନ୍‌ସିଣ୍ଟ୍ରେଟର ସଂଯୋଗ ମଧ୍ୟ ରହିଛି । “Unconditional Love = MOTHER, She is Never Off Duty” ଭଳି କ୍ୟାପ୍ସନ୍ ସହ ସୋସିଆଲ ମିଡିଆରେ ଫଟୋଟି ଖୁବ ଭାଇରାଲ୍ ହୋଇଛି ।

ଏହି ଫଟୋଟି କେଉଁଠୁ ଆସିଛି ଓ ଏହାର ସତ୍ୟତାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଛି । ତେବେ ଏହି ଫଟୋକୁ ଦେଖିଥିବା ଲୋକଙ୍କ ମନ କିନ୍ତୁ ଆନ୍ଦୋଳିତ ହୋଇଉଠିଛି । ସୋସିଆଲ ମିଡିଆରେ ଅନେକ ଲୋକ ଗ୍ୟାସ୍ ଷ୍ଟୋଭ ନିକଟରେ ଅକ୍ସିଜେନ୍ ବିପଦଜନକ କହି ଚିନ୍ତା ବ୍ୟକ୍ତ କରିଛନ୍ତି । ସେହିଭଳି ଆଉ କିଛି ଲୋକ ଏହି ଫଟୋ ମାଆ ଭଳି ଶବ୍ଦ ଓ ପରିବାରରେ ତାଙ୍କ ମର୍ଯ୍ୟଦାକୁ ଅପମାନିତ କରିଛି ବୋଲି ଉଲ୍ଲେଖ କରିଛନ୍ତି । ତେବେ କିଛି ଲୋକ କଠିନ ପରିସ୍ଥିତିରେ ବି ନିଜ ମାଆ କିପରି ଘରର ସମସ୍ତ କାମ ତୁଲାଇଥାନ୍ତି, ସେହି ଅଭିଜ୍ଞତାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ପରିଶେଷରେ ଯଦି ଏହି ଫଟୋରେ ସତ୍ୟତା ଥାଏ, ତେବେ ସତରେ ଅମଣିଷ ପାଲଟିଛି ମଣିଷ । ଜଣେ ରୋଗାଗ୍ରସ୍ତ ମହିଳାଙ୍କର ଏପରି ଫଟୋ ଉଠାଇ ବାହାଦୁରି ମାରିବା କାପୁରୁଷତାର ପରିଚୟ । କରୋନା ମହାମାରୀ ସମୟରେ ଏପରି କାରନାମା କରିବା ଅପେକ୍ଷା ସଂକ୍ରମିତ ପରିବାର ଲୋକ କିମ୍ବା ପଡୋଶୀ ଲୋକଙ୍କୁ ସହାୟତା କରନ୍ତୁ ।

Leave A Reply

Your email address will not be published.