Latest Odisha News

BREAKING NEWS

ଜନ୍ମମାଟିରେ ଜନ୍ମଦିନ ପାଳିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ। ଏହି ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏକ ସୋସିଆଲ ମିଡିଆ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସାହସ, ସରଳତା, ବିନମ୍ରତା ଏବଂ ଜନସେବା ପ୍ରତି ଅଟଳ ପ୍ରତିବଦ୍ଧତା ଦ୍ୱାରା ଚିହ୍ନିତ ରାଷ୍ଟ୍ରପତିଙ୍କ ଯାତ୍ରା ସାରା ଦେଶକୁ ପ୍ରେରଣା ଦେଇ ଚାଲିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାର୍ବଜନୀନ ଜୀବନରେ ରାଷ୍ଟ୍ରପତି ମୁର୍ମୁ ଏକ ଉତ୍କୃଷ୍ଟ ଉପାୟରେ ଦେଶ ସେବା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ବିକାଶ ପ୍ରତି ତାଙ୍କର ଦୃଢ଼ ସମର୍ପଣ ବହୁତ ପ୍ରେରଣାଦାୟକ। ରାଷ୍ଟ୍ରସେବାରେ ନିୟୋଜିତ ରାଷ୍ଟ୍ରପତି ମୁର୍ମୁଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଇରଙ୍ଗପୁରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ବେଳେ ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପ ସହ ଏକାଧିକ ଜନହିତକର ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ସେହିପରି ରାଇରଙ୍ଗପୁରରେ AIIMSର ମାଗଣା ସ୍ୱାସ୍ଥ୍ୟ ଶିବିର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି।

ରାଇରଙ୍ଗପୁର ଠାରେ ୭୩୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପଗୁଡ଼ିକୁ ଦେଶବାସୀଙ୍କୁ ସମର୍ପଣ କରିବେ ରାଷ୍ଟ୍ରପତି। ସେହି ମଧ୍ୟରେ ଯଖପୁରା – ଯାଜପୁର କେନ୍ଦୁଝର ରୋଡ଼ – ବୈତରଣୀ ରୋଡ଼ ମଲ୍ଟି-ଟ୍ରାକିଂ ପ୍ରକଳ୍ପର ଲୋକାର୍ପଣ।ହିନ୍ଦୋଳ ରୋଡ଼ – ମେରାମଣ୍ଡଳୀ ମଲ୍ଟି-ଟ୍ରାକିଂ ପ୍ରକଳ୍ପର ଲୋକାର୍ପଣ କରିବେ।

ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାରେ ଟ୍ରେନ୍ ପରିଚାଳନା କ୍ଷମତା, ଶିଳ୍ପ ଲଜିଷ୍ଟିକ୍ସ ଏବଂ ଆଞ୍ଚଳିକ ସଂଯୋଗୀକରଣକୁ ବ୍ୟାପକ ଭାବେ ବୃଦ୍ଧି କରିବ।

Leave A Reply

Your email address will not be published.