ଲକ୍ଷ୍ନୌ: କୁଶୀନଗର ଆନ୍ତର୍ଜାତୀକ ବିମାନ ବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉତ୍ତର ପ୍ରଦେଶ ଭଗବାନ ବୁଦ୍ଧଙ୍କ ପରିନିର୍ବାଣଠାରେ ଏହା ଉଦଘାଟନ କରାଯାଇଛି। ୧୩୦ଜଣ ଯାତ୍ରୀଙ୍କୁ ନେଇ ଶ୍ରୀଲଙ୍କାରୁ ଆସିଥିବା ଏକ ବିମାନ ମଧ୍ୟ ସେଠାରେ ଅବତରଣ କରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନରେ କୁଶୀନଗର ଏୟାରପୋର୍ଟ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଲେ, ଏହି ଏୟାରପୋର୍ଟ ଆକାଂକ୍ଷାର ପରିଣାମ। ମୁଁ ଏଥିପାଇଁ ଆତ୍ମସନ୍ତୋଷ ଅଛି ଯେ, ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିପାରିଛୁ। ଭଗବାନ ବୁଦ୍ଧଙ୍କ ସହ ଯୋଡ଼ି ହୋଇଥିବା ସ୍ଥାନକୁ ବିକଶିତ କରିବା, ଉତ୍ତମ ଯୋଗାଯୋଗ ସୁବିଧା ନିମନ୍ତେ ଭାରତ ଦ୍ୱାରା ବିଶେଷ ଧ୍ୟାନ ଦିଆଯାଉଛି। କୁଶୀନଗରର ବିକାଶ ଉତ୍ତର ପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାରଙ୍କ ପ୍ରାଥମିକତାରେ ଥିଲା।
ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଏ ଅଞ୍ଚଳରେ ସାମଗ୍ରିକ ଅର୍ଥନୈତିକ ନେଟୱାର୍କର ବିକାଶ କରାଯିବ। ଏହି ବିମାନ ବନ୍ଦର ନିଯୁକ୍ତି ସୁଯୋଗ ବୃଦ୍ଧି କରିବାରେ ସହାୟକ ହେବ। ଏହି ବିମାନ ବନ୍ଦରକୁ ମିଶାଇ କେବଳ ଉତ୍ତର ପ୍ରଦେଶରେ ଲୋକମାନଙ୍କ ପାଇଁ ୯ଟି ନୂଆ ବିମାନ ବନ୍ଦର ଏବଂ ଟର୍ମିନାଲ ନିର୍ମାଣ କରାଯାଇଛି। କୁଶୀନଗର ହେଉଛି ସମଗ୍ର ବିଶ୍ୱର ବୌଦ୍ଧଧର୍ମ ଅନୁଗାମୀମାନଙ୍କ ନିମନ୍ତେ ଅନ୍ୟତମ ପ୍ରମୁଖ ତୀର୍ଥସ୍ଥାନ। ଶତାଧିକ ବୌଦ୍ଧ ଭିକ୍ଷୁଙ୍କୁ ନେଇ ବାରଣାସୀରେ ପହଞ୍ଚିଥିଲେ ଶ୍ରୀଲଙ୍କାର କ୍ରୀଡ଼ାମନ୍ତ୍ରୀ ନାମାଲ ରଜପକ୍ଷେ। ସେ କହିଛନ୍ତି, ଏହି ବିମାନ ବନ୍ଦର ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୋଟିଏ ମହାନ କାର୍ଯ୍ୟ।