Modi-Pezeshkian Hand-In-Hand: ପେଜେଶ୍କିଆନଙ୍କ ହାତକୁ ଏମିତି ଜାବୁଡି ଧରିଲେ ମୋଦି, ଗୋଟିଏ ଫଟୋରେ ବଡ ବାର୍ତ୍ତା ଦେଲା ଭାରତ…ଟ୍ରମ୍ପଙ୍କୁ ଝଟକା!
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଶୁକ୍ରବାର ଅନୁଷ୍ଠିତ ବ୍ରିକ୍ସ ବ୍ୟବସାୟ ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଛି। ତେବେ ଏସବୁ ମଧ୍ୟରୁ ଗୋଟିଏ ଫଟୋ ଏବେ ବେଶ୍ ଚର୍ଚ୍ଚାରେ। ଫଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇରାନର ରାଷ୍ଟ୍ରପତି ମସୁଦ ପେଜେଶ୍କିଆନଙ୍କ ହାତ ଜୋର ଜାବୁଡି ଧରିଥିବା ନଜର ଆସୁଛନ୍ତି। ତାଙ୍କ ପାଖରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍ ରାମାଫୋସା ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ଗୋଟିଏ ଫଟୋକୁ ଭାରତ-ଇରାନର ଦୃଢ଼ ସମ୍ପର୍କ ଏବଂ ଭାରତର ସ୍ୱାଧୀନ କୂଟନୈତିକ ନୀତିର ଏକ ପ୍ରତୀକ ଭାବେ ଦେଖାଯାଉଛି।
ବର୍ତ୍ତମାନ ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ତିକ୍ତତାର ପ୍ରଭାବ ଶକ୍ତି ଯୋଗାଣ ଓ ସମୁଦ୍ର ବାଣିଜ୍ୟ ଉପରେ ପଡ଼ିଛି। ଅନ୍ୟପଟେ ୟୁକ୍ରେନ୍ ଯୁଦ୍ଧକୁ ନେଇ ରୁଷିଆ ଉପରେ ପଶ୍ଚିମ ଦେଶଗୁଡ଼ିକ କଠୋର କଟକଣା ଲଗାଇଛନ୍ତି। ଏଭଳି ଏକ ଜଟିଳ ଭୂ-ରାଜନୈତିକ ପରିସ୍ଥିତିରେ ଭାରତ ଆମେରିକା ଓ ଅନ୍ୟ ପଶ୍ଚିମୀ ଦେଶ ସହ ନିଜର ରଣନୈତିକ ସହଯୋଗ ଜାରି ରଖିବା ସହ ଇରାନ ଓ ରୁଷିଆ ସହ ମଧ୍ୟ ଆଲୋଚନାର ରାସ୍ତା ଖୋଲା ରଖିଛି।
ମୋଦୀ ଓ ପେଜେଶ୍କିଆନଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନାରେ ଭାରତର ଏହି କୂଟନୈତିକ ଆଭିମୁଖ୍ୟ ସ୍ପଷ୍ଟ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମ ଏସିଆରେ ଜାରି ରହିଥିବା ଉତ୍ତେଜନା ଓ ସଂଘର୍ଷର ଅନ୍ତ ପାଇଁ ଆଲୋଚନା ଏବଂ କୂଟନୀତିର ରାସ୍ତା ଆପଣାଇବା ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି ଯେ ସାଧାରଣ ନାଗରିକ, ବାଣିଜ୍ୟିକ ଜାହାଜ ଏବଂ ସମୁଦ୍ରଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ ହେବା ଆବଶ୍ୟକ। ଏଥିସହ ସମୁଦ୍ର ଯାତାୟାତ ଓ ଅନ୍ତର୍ଜାତୀୟ ବାଣିଜ୍ୟରେ ଯେପରି କୌଣସି ବାଧା ନ ଆସେ, ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦେଇଛନ୍ତି।
ଇରାନ ରାଷ୍ଟ୍ରପତିଙ୍କ ସହ ଆଲୋଚନା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିପାକ୍ଷିକ ବୈଠକ ହୋଇଥିଲା। ବୈଠକରେ ପ୍ରତିରକ୍ଷା, ଶକ୍ତି, ବାଣିଜ୍ୟ ଓ ରଣନୈତିକ ସହଯୋଗ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏଥିସହ ୟୁକ୍ରେନ୍ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ନିଜର ଆହ୍ୱାନକୁ ପୁଣିଥରେ ଦୋହରାଇଛି। ଭାରତ ସବୁବେଳେ କହିଆସିଛି ଯେ ତାହା କେବଳ ନିରପେକ୍ଷ ରହିବାକୁ ଚାହୁଁନାହିଁ, ବରଂ ଶାନ୍ତିର ପକ୍ଷରେ ଠିଆ ହେବାକୁ ଚାହେଁ। ବିଶ୍ୱ ରାଜନୀତିରେ ବିରୋଧୀ ଭୂ-ରାଜନୈତିକ ଗୋଷ୍ଠୀଗୁଡ଼ିକରେ ନିଜକୁ ସୀମିତ ନକରି ଭାରତ ସମସ୍ତ ପକ୍ଷ ସହ ଆଲୋଚନା ଜାରି ରଖିଛି।
ବ୍ରିକ୍ସ ବ୍ୟବସାୟ ସମ୍ମିଳନୀର ଏହି ଫଟୋ ମଧ୍ୟ ଭାରତର ସେହି କୂଟନୈତିକ ଆଭିମୁଖ୍ୟକୁ ଆହୁରି ସ୍ପଷ୍ଟ କରିଛି। ଗୋଟିଏ ପଟେ ପୁଟିନ୍, ଅନ୍ୟପଟେ ରାମାଫୋସା ଏବଂ ମଝିରେ ମୋଦୀ-ପେଜେଶ୍କିଆନଙ୍କ ଏହି ଦୃଶ୍ୟ ବିଶ୍ୱ ମଞ୍ଚରେ ଭାରତର ସନ୍ତୁଳିତ ଓ ସ୍ୱାଧୀନ ବିଦେଶ ନୀତିର ଏକ ବଡ ଚିତ୍ର ଦେଇଛି।

