Latest Odisha News

BREAKING NEWS

ଟ୍ୱିନ୍ ସିଟି ବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି: କାଠଯୋଡ଼ି ନଦୀ ଉପରେ ନିର୍ମାଣ ହେବ ୧୫୮ କୋଟିର ନୂଆ ବ୍ରିଜ୍‌

କଟକ/ଭୁବନେଶ୍ୱର: କଟକ ଓ ଭୁବନେଶ୍ୱର ମଧ୍ୟରେ ଯାତାୟାତ କରୁଥିବା ଲକ୍ଷ ଲକ୍ଷ ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦୁଇ ପ୍ରମୁଖ ସହର ମଧ୍ୟରେ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ସଂଯୋଗୀକରଣକୁ ଅଧିକ ସୁଦୃଢ଼ କରିବା ପାଇଁ କାଠଯୋଡ଼ି ନଦୀ ଉପରେ ଆଉ ଏକ ନୂଆ ହାଇଲେଭଲ ବ୍ରିଜ୍‌ ନିର୍ମାଣ ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତ କରି ଏହି ମେଗା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ପ୍ରାୟ ୧୫୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ବ୍ରିଜ୍‌ ଟ୍ୱିନ୍ ସିଟି ଯୋଗାଯୋଗ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରସ୍ତାବିତ ଏହି ନୂଆ ୪-ଲେନ୍ ବିଶିଷ୍ଟ ବ୍ରିଜ୍‌ଟି ବର୍ତ୍ତମାନର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ (ତ୍ରିଶୁଳିଆ ବ୍ରିଜ୍‌) ସହିତ ସମାନ୍ତରାଳ ଭାବେ ନିର୍ମାଣ କରାଯିବ। ଏହା ସିଧାସଳଖ ଭାବେ ତ୍ରିଶୁଳିଆ ଛକରୁ କଟକ ସିଡିଏ ସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମି ଛକକୁ ସଂଯୋଗ କରିବ। ପୂର୍ବରୁ ଓଡ଼ିଶା କ୍ୟାବିନେଟ୍‌ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରକଳ୍ପକୁ ଅନୁମୋଦନ ଦେଇଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରି କାର୍ଯ୍ୟକାରୀ କରିବାକୁ ସବୁଜ ସଙ୍କେତ ଦେଇଛନ୍ତି।

ରାଜ୍ୟର ବିକାଶ ଧାରାକୁ ଆଗକୁ ନେବା ପାଇଁ ଆୟୋଜିତ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାରେ ୪୭,୬୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ କାଠଯୋଡ଼ି ନୂଆ ବ୍ରିଜ୍‌ ପ୍ରକଳ୍ପକୁ ସାମିଲ କରାଯାଇଛି।

ବର୍ତ୍ତମାନ ତ୍ରିଶୁଳିଆ ବ୍ରିଜ୍‌ ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭାରି ଓ ହାଲୁକା ଯାନବାହନ ଯାତାୟାତ କରୁଛନ୍ତି। ଅଫିସ୍‌ ସମୟରେ ଏହି ରୁଟ୍‌ରେ ପ୍ରବଳ ଭିଡ଼ ଜମୁଥିବାରୁ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ୪-ଲେନ୍ ବିଶିଷ୍ଟ ନୂଆ ବ୍ରିଜ୍ ନିର୍ମାଣ ହେବା ଫଳରେ ଗାଡ଼ି ଗୁଡ଼ିକ ସହଜରେ ଆସିପାରିବେ ଏବଂ ସମୟ ମଧ୍ୟ ବଞ୍ଚିବ। ଏହି ବୃହତ ପ୍ରକଳ୍ପର କାର୍ଯ୍ୟ ଆଗାମୀ ୩ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.