Latest Odisha News

BREAKING NEWS

ଏଥର ମୋଦୀଙ୍କ ଭାଷଣରେ ପରିବର୍ତ୍ତନର ସ୍ୱର !

ଭୁବନେଶ୍ୱର: କେନ୍ଦ୍ରର ସହାୟତା ସତ୍ୱେ ବିକାଶୋନ୍ମୁଖୀ ଓଡ଼ିଶାର ମନ୍ଥରତାରେ କ୍ଷୋଭ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ କହିଥିଲେ ମଧ୍ୟ ଏଥର ଓଡ଼ିଶା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡ଼ି କିମ୍ବା ନବୀନଙ୍କ ନାମ ନନେଇ ଉଦବୋଧନ ଦେବା ଅନେକଙ୍କୁ ଚକିତ କରିଛି ।

ଖୋର୍ଦ୍ଧା ଉପକଣ୍ଠସ୍ଥ ଜାତୀୟ ଶିକ୍ଷା ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ (ନାଇଜର) ଷ୍ଟାଡ଼ିୟମରେ ଅନୁଷ୍ଠିତ ଏକ ଜନସଭାରେ ସୋମବାର ଅପରାହ୍ନରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସ୍ୱଚ୍ଛ ଭାରତ ଅଭିଯାନରେ ଅନ୍ୟ ସମସ୍ତ ରାଜ୍ୟ ଗୁଡ଼ିକ ବେଶ୍ ଅଗ୍ରଗତି କରିଥିବା ବେଳେ ଏହି ଅଭିଯାନରେ ଓଡ଼ିଶା ଅନେକ ପଛରେ ପଡ଼ି ଯାଇଛି ବୋଲି ମୋଦି କ୍ଷୋଭ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମଧ୍ୟ ଜାଣିବାକୁ ଚାହିଁଛନ୍ତି, ଓଡ଼ିଶାର ଯୁବଗୋଷ୍ଠୀ କ’ଣ ପାଇଁ ରାଜ୍ୟ ଛାଡ଼ି ବାହାରକୁ ଯାଉଛନ୍ତି । ଓଡ଼ିଶାର ଶିଶୁମାନେ ପୁଷ୍ଟିହୀନତାର ଶୀକାର ହେଉଛନ୍ତି । ରାଜ୍ୟର କୃଷକମାନେ ଜଳ ନିମନ୍ତେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ମୋଦୀ ତାଙ୍କ ଭାଷଣରେ କ୍ଷୋଭ ପ୍ରକାଶ କରି କହିଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରି କହିଛନ୍ତି ଜନ ଆରୋଗ୍ୟ ଯୋଜନା ଓଡ଼ିଶାରେ କାହିଁକି ଲାଗୁ କରାଯାଉନାହିଁ । ଯାହାଦ୍ୱାରା ବାହାରେ ରହୁଥିବା ଓଡ଼ିଆମାନେ ଏଥିରୁ ବଞ୍ଚିତ ହେଉଛନ୍ତି । ଆୟୁଷ୍ମାନ ଯୋଜନା ଲାଗୁ ହେବା ଦିନଠାରୁ ସମଗ୍ର ଦେଶରେ ୬ ଲକ୍ଷ ରୋଗୀ ଏବେ ସୁଦ୍ଧା ଉପକୃତ ହୋଇସାରିଛନ୍ତି । ଯଦି ଏହା ଓଡ଼ିଶାରେ ଲାଗୁ ହୋଇଥ୍ରାଆନ୍ତା ତେବେ ବାହାରେ କାମ କରୁଥିବା ଲୋକମାନେ ସ୍ୱାସ୍ଥ୍ୟସେବା ଲାଭ କରି ଉପକୃତ ହୋଇପାରିଥାଆନ୍ତେ । ଦେଶରେ ସ୍ୱାମୀନାଥନ କମିଟି ନେଇ ଦେଶରେ ଅନେକ ଚର୍ଚ୍ଚା ଲାଗି ରହିଛି । ସ୍ୱାମୀନାଥନ କମିଟିକୁ ଦୀର୍ଘଦିନ ଧରି ୟୁପିଏ ସରକାର ପକାଇ ରଖିଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାର ଏହାକୁ ପୁନର୍ବାର ଲାଗୁ ରଖିଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ଅବଶ୍ୟ ଗତଥର ମୋଦୀ ତାଙ୍କର ଓଡ଼ିଶା ଗସ୍ତ ସମୟରେ ଝାରସୁଗୁଡ଼ା ଠାରେ ଯେପରି ରାଜ୍ୟକୁ ସମାଲୋଚନା କରିଥିଲେ ଏଥର କିନ୍ତୁ ସେହି ଭାଷଣରେ ପରିବର୍ତ୍ତନ ଲକ୍ଷ୍ୟ କରିଛନ୍ତି ରାଜନୈତିକ ବିଶାରଦ ।

ଓଡ଼ିଶାର ଜନସାଧାରଣଙ୍କୁ ପ୍ରଶଂସା କରି ମୋଦି କହିଛନ୍ତି, ଏହି ବିରାଟ ଜନସଭାରେ ଉପସ୍ଥିତ ବିଶାଳ ଜନତାଙ୍କ ଉପସ୍ଥିତିରେ ଜଣାପଡୁଛି ଓଡ଼ିଶାବାସୀ ଶାସନରେ ପରିବର୍ତ୍ତନ ଚାହାଁନ୍ତି ।

ତେବେ ରାଜନୈତିକ ବିଶାରଦମାନେ ମୋଦିଙ୍କ ଏହି ଓଡ଼ିଶାଗସ୍ତ ସମୟରେ ତାଙ୍କର ପରିବତ୍ତନ ଲକ୍ଷ୍ୟ କରିଛନ୍ତି । ନିକଟରେ ଦେଶରେ ନିର୍ବାଚନ ହୋଇଥିବା ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ପରାଜୟ ପରେ ନବୀନଙ୍କ ନାମ ନେଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କୁ କେତେକ କ୍ଷେତ୍ରରେ ସମାଲୋଚନା ଅବଶ୍ୟ କରିଥିଲେ କିନ୍ତୁ ପୂର୍ବାପେକ୍ଷା ଏହା ଅତ୍ୟନ୍ତ କମ ଥିବାର ଦୃଷ୍ଟିଗୋଚର ହୋଇଛି ।

ରାଜନୈତିକ ବିଶାରଦଙ୍କ କହିବା କଥା ହେଲା ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ଏକ ଝୁଲା ସଂସଦର ସମ୍ଭାବନା ରହୁଥିବା ଯୋଗୁଁ ମେଣ୍ଟର ଆବଶ୍ୟକତା ପଡ଼ିପାରେ । ତେଣୁ ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦି ଏଥର ବିଜେଡ଼ି ସୁପ୍ରିମୋ ନବୀନଙ୍କ ପ୍ରତି ସେପରି ରୁକ୍ଷ ନହେବା ସ୍ୱାଭାବିକ ।

Leave A Reply

Your email address will not be published.