Criminals at Jantar Mantar: ଜନ୍ତର-ମନ୍ତର ବିକ୍ଷୋଭରେ ୨,୫୦୦ରୁ ଅଧିକ କ୍ରିମିନାଲ୍ ଚିହ୍ନଟ, ଫେସିଆଲ ରିକଗ୍ନିସନ ସିଷ୍ଟମରେ ଦିଲ୍ଲୀ ପୋଲିସର ବଡ଼ ଖୁଲାସା
ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ଦିଲ୍ଲୀ ପୋଲିସର ଫେସିଆଲ ରିକଗ୍ନିସନ ସିଷ୍ଟମ (FRS) ବଡ଼ ଖୁଲାସା କରିଛି। ପୋଲିସ ସୂଚନା ଅନୁସାରେ, ପ୍ରଦର୍ଶନସ୍ଥଳରେ ଲଗାଯାଇଥିବା FRS କ୍ୟାମେରା ସହାୟତାରେ ୨,୫୦୦ରୁ ଅଧିକ ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ପୋଲିସର କହିବା ଅନୁସାରେ, ଏହି ବ୍ୟବସ୍ଥା ଆଇନଶୃଙ୍ଖଳା ରକ୍ଷା କରିବା ସହ ବିକ୍ଷୋଭର ସୁଯୋଗ ନେଇ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖିବାରେ ସହାୟକ ହେଉଛି।
ଜୁଲାଇ ୨୦ରେ ହୋଇଥିବା ହିଂସାକାଣ୍ଡ ପରେ ଜନ୍ତର-ମନ୍ତର ଆଖପାଖରେ ଏହି ଅତ୍ୟାଧୁନିକ FRS କ୍ୟାମେରା ଲଗାଯାଇଥିଲା। ଗତ ତିନି ଦିନ (୨୧, ୨୨ ଓ ୨୩ ଜୁଲାଇ) ମଧ୍ୟରେ ୨,୫୦୦ରୁ ଅଧିକ ସନ୍ଦିଗ୍ଧ ଓ ଅପରାଧିକ ରେକର୍ଡ ଥିବା ବ୍ୟକ୍ତିଙ୍କୁ ସିଷ୍ଟମ ଚିହ୍ନଟ କରିଥିବା ଦାବି କରାଯାଇଛି। ହିଂସା ଘଟଣାକୁ ନେଇ ଏପର୍ଯ୍ୟନ୍ତ ଦିଲ୍ଲୀ ପୋଲିସ ୧୫ଟି ଏଫ୍ଆଇଆର୍ ରୁଜୁ କରିଛି।
ପୋଲିସ ସୂଚନା ଅନୁସାରେ, FRS କ୍ୟାମେରାଗୁଡ଼ିକୁ ପ୍ରଦର୍ଶନସ୍ଥଳର ମୁଖ୍ୟ ପ୍ରବେଶ ଓ ପ୍ରସ୍ଥାନ ପଥରେ ଲଗାଯାଇଛି। ଏହି ସିଷ୍ଟମ ସିଧାସଳଖ ଦିଲ୍ଲୀ ପୋଲିସର ଡାଟାବେସ୍ ସହ ସଂଯୁକ୍ତ ରହିଛି। କ୍ୟାମେରାରେ କୌଣସି ବ୍ୟକ୍ତିଙ୍କ ମୁହଁ ଧରାପଡ଼ିଲେ ତାହା କ୍ଷଣିକ ମଧ୍ୟରେ ପୋଲିସ ରେକର୍ଡ ସହ ମେଳ କରାଯାଏ। ଏହା ମାଧ୍ୟମରେ ଫେରାର ଅଭିଯୁକ୍ତ, ୱାଣ୍ଟେଡ୍ ଅପରାଧୀ, ହିଷ୍ଟ୍ରି-ଶିଟର୍ ଏବଂ ‘ବ୍ୟାଡ୍ କ୍ୟାରେକ୍ଟର୍ (BC)’ ଭାବେ ତାଲିକାଭୁକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଚିହ୍ନଟ କରାଯାଇପାରୁଛି।
ପୋଲିସର କହିବା ଅନୁସାରେ, ଏହି ବ୍ୟବସ୍ଥା ସାଧାରଣ ପ୍ରଦର୍ଶନକାରୀଙ୍କୁ ଟାର୍ଗେଟ କରୁନାହିଁ, ବରଂ ଯେଉଁମାନଙ୍କର ପୂର୍ବରୁ ଅପରାଧିକ ରେକର୍ଡ ରହିଛି ଏବଂ ବଡ଼ ଜନସମାବେଶର ସୁଯୋଗ ନେଇ ସେମାନେ ବିଶୃଙ୍ଖଳା ସୃଷ୍ଟି କରିପାରନ୍ତି, ସେମାନଙ୍କୁ ଚିହ୍ନଟ କରିବା ହିଁ ଏହାର ଉଦ୍ଦେଶ୍ୟ। ଉଚ୍ଚ କ୍ଷମତା ସମ୍ପନ୍ନ ଏହି କ୍ୟାମେରା ଦୂରରୁ ମଧ୍ୟ ସ୍ପଷ୍ଟ ଭାବେ ମୁହଁ ଚିହ୍ନଟ କରିପାରେ। କୌଣସି ୱାଣ୍ଟେଡ୍ କିମ୍ବା ଫେରାର ଅଭିଯୁକ୍ତ ଧରାପଡ଼ିଲେ ସମ୍ପୃକ୍ତ ପୋଲିସ ୟୁନିଟ୍କୁ ତୁରନ୍ତ ସୂଚନା ଦିଆଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।
ପୋଲିସ ଆହୁରି କହିଛି ଯେ, ଏହି ପ୍ରଯୁକ୍ତି କେବଳ ତଦନ୍ତରେ ନୁହେଁ, ବରଂ ପ୍ରତିରୋଧାତ୍ମକ ସୁରକ୍ଷା ବ୍ୟବସ୍ଥା ଭାବେ ମଧ୍ୟ କାମ କରୁଛି। ଏହା ଦ୍ୱାରା ପ୍ରଦର୍ଶନରେ ପ୍ରବେଶ କରି ଅଶାନ୍ତି ସୃଷ୍ଟି କରିବା କିମ୍ବା ଆଇନଶୃଙ୍ଖଳା ବିଗାଡ଼ିବାକୁ ଚେଷ୍ଟା କରୁଥିବା ଅପରାଧିଙ୍କୁ ତୁରନ୍ତ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନିଆଯାଇପାରିବ।
ଏପଟେ, ନିଟ୍ ପ୍ରଶ୍ନପତ୍ର ଲିକ୍ ଏବଂ ଛାତ୍ର ଆନ୍ଦୋଳନକୁ ନେଇ ସରକାର ଓ CJP ନେତାଙ୍କ ମଧ୍ୟରେ ଶନିବାର ତୃତୀୟ ପର୍ଯ୍ୟାୟ ଆଲୋଚନା ହେବ। କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଓ ଜିତେନ୍ଦ୍ର ସିଂହଙ୍କ ସହ CJP ପକ୍ଷରୁ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ବୈଠକ କରିବେ। CJP ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଜାରି ରହିଥିବା ବେଳେ ସରକାର ଆନ୍ଦୋଳନର ସମାଧାନ ପାଇଁ ଉଦ୍ୟମ ଜାରି ରଖିଛି।
ସପ୍ତାହାନ୍ତରେ ଜନ୍ତର-ମନ୍ତରରେ ଭିଡ଼ ବଢ଼ିବାର ସମ୍ଭାବନା ଥିବାରୁ ଦିଲ୍ଲୀ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରିଛି। ଅତିରିକ୍ତ ବ୍ୟାରିକେଡ୍, ୱେଲ୍ଡିଂ ଓ ଲୁହା ଚେନ୍ରେ ସେଗୁଡ଼ିକୁ ସୁଦୃଢ଼ କରାଯାଇଥିବା ସହ ବଜ୍ର ଗାଡ଼ି ଓ ଦଙ୍ଗା ନିୟନ୍ତ୍ରଣ ବାହିନୀକୁ ମଧ୍ୟ ମୁତୟନ କରାଯାଇଛି।