Latest Odisha News

BREAKING NEWS

କାଲି ହାଜର ହେବେ ଅଭିଜିତ ମିତ୍ର, କଡ୍ଡା ସୁରକ୍ଷା ଦେବେ କମିଶନରେଟ୍ ପୋଲିସ୍ !

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର, ଓଡ଼ିଶାର ବିଧାୟକ, ସାମ୍ବାଦିକ ତଥା ଓଡ଼ିଶା ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ କ୍ଷମା ମାଗିଥିବା ସ୍ତମ୍ଭକାର ଅଭିଜିତ ଆୟାର ମିତ୍ର ୨୩ ଅକ୍ଟୋବର ଅର୍ଥାତ୍ ଆସନ୍ତାକାଲି ଓଡ଼ିଶା ବିଧାନସଭା ଗୃହ କମିଟି ଆଗରେ ହାଜର ହେବେ । ଯଦି ଅଭିଜିତ ଆବଶ୍ୟକ ମନେକରୁଥାଆନ୍ତି ତେବେ ଏନେଇ କମିଶନରେଟ ପୋଲିସ ତାଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇଦେବାକୁ ଗଣମାଧ୍ୟମକୁ କହିଛନ୍ତି ।

“ଯଦି ଅଭିଜିତ ତାଙ୍କର ଓଡ଼ିଶା ଗସ୍ତ ସମ୍ପର୍କରେ ସମସ୍ତ ସୂଚନା ଦେବେ ବା ଯଦି ସେ ସୁରକ୍ଷା ଆବଶ୍ୟକତା କରନ୍ତି ତେବେ ତାଙ୍କୁ କମିଶନରେଟ ପୋଲିସ ପକ୍ଷରୁ ଆବଶ୍ୟକୀୟ ସୁରକ୍ଷା ଯୋଗାଇ ଦିଆଯିବ”, ବୋଲି କହିଛନ୍ତି ପୋଲିସ କମିଶନର୍ ସତ୍ୟଜିତ ମହାନ୍ତି ।

ଅଭିଜିତ ଅକ୍ଟୋବର ୧୭ ତାରିଖ ଦିନ ‘ଏଏନଆଇ’ ଗଣମାଧ୍ୟମ ସଂସ୍ଥା ମାଧ୍ୟମରେ ତାଙ୍କର କଟୁ ମନ୍ତବ୍ୟ ଲାଗି କ୍ଷମା ମାଗି କହିଥିଲେ, “ମୋ ମନ୍ତବ୍ୟ ଯଦି କାହାକୁ ବ୍ୟଥିତ କରିଥାଏ ତେବେ ମୁଁ ସେଥିଲାଗି ଦୁଃଖ ପ୍ରକାଶ କରୁଛି । ଓଡ଼ିଶା ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି । ଓଡ଼ିଶାର ପ୍ରାଚୀନ କିର୍ତ୍ତୀରାଜି ଭାରତୀୟ ସଂସ୍କୃତି ପ୍ରତି ଏକ ବିରାଟ ଅବଦାନ,” ।

ଆସନ୍ତା କାଲି ଅର୍ଥାତ୍ ଅକ୍ଟୋବର ୨୩ ତାରିଖରେ ଓଡ଼ିଶା ବିଧାନସଭା ଗୃହ କମିଟିରେ ହାଜର ହେବା ନେଇ ଏକ ପ୍ରଶ୍ନର ଉତ୍ତରରେ ସେ ମଧ୍ୟ କହିଥିଲେ, “ମୁଁ ୨୩ ତାରିଖରେ ଗୃହ କମିଟି ଆଗରେ ହାଜର ହେବି, ଏବଂ ସେଥିଲାଗି ପୂର୍ବ ଦିନ ଅର୍ଥାତ୍ ୨୨ ତାରିଖରେ ଓଡ଼ିଶାରେ ପହଞ୍ଚିବି” ।

ଏପରିକି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମ୍ପର୍କରେ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ ଅଭିଜିତ ସେହିସମୟରେ ଗଣମାଧ୍ୟମକୁ କହିଥିଲେ, “ମୁଁ ବୈଜୟନ୍ତଙ୍କୁ ମାତ୍ର ୨ ଥର ଲାଗି ଭେଟିଛି, ମାତ୍ର ତାଙ୍କ ସହିତ ସେପରି କିଛି ମୋର ବନ୍ଧୁତା ନାହିଁ” । ସେ କୋଣାର୍କର ସୂର୍ଯ୍ୟ ମନ୍ଦିରକୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ଯାଇନଥିବା କଥା ମଧ୍ୟ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ।

ଓଡ଼ିଶା ବିଧାନସଭାର କକ୍ଷରେ ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟି ନିକଟରେ ଅକ୍ଟୋବର ୧୧ତାରିଖ ଦିନ ୧୦.୩୦ ସମୟରେ ସାମ୍ବାଦିକ ଅଭିଜିତ ଆୟାର ମିତ୍ର ହାଜର ହେବାର ଧାର୍ଯ୍ୟ ହୋଇଥିଲା । କିନ୍ତୁ ନିଜେ ଏହି କମିଟି ଆଗରେ ହାଜର ନ’ହୋଇ ଅଭିଜିତ ସେତେବେଳେ ଏକ ଇ-ମେଲ୍ ପତ୍ର ମାଧ୍ୟମେରେ ନିଜର କ୍ଷମା ପ୍ରାର୍ଥନା କରିଥିଲେ । ଅବଶ୍ୟ ସେହିଦିନ ହିଁ ବିଧାନସଭା ଗୃହ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର ଅଭିଜିତଙ୍କୁ ୨୩ ଅକ୍ଟୋବର ଦିନ ବିଧାନସଭା କକ୍ଷରେ କମିଟି ଆଗରେ ହାଜର ହେବାକୁ ନୋଟିସ ଜାରି କରିଥିଲେ । ଅଭିଜିତ ମଧ୍ୟ ୨୩ ତାରିଖରେ ଯୋଗଦେବାକୁ କହି ଏଥିଲାଗି ୨୨ ଅକ୍ଟୋବରରେ ଓଡ଼ିଶାରେ ପହଞ୍ଚିବେ ବୋଲି କହିଥିଲେ ।

ଏଠାରେ ସୂଚନାଯୋଗ୍ୟ, ଗତ ମୌସୁମୀ ବର୍ଷା ଅଧିବେସନର ଅନ୍ତିମ ଦିବସ ଅର୍ଥାତ ସେପ୍ଟେମ୍ବର ୨୦ ତାରିଖ ଦିନ ବାଚସ୍ପତି ପ୍ରଦୀପ ଅମାତ ଏହି ବିଷୟର ତଦନ୍ତ କରିବା ନେଇ ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଏକ ୬ ଜଣିଆ ଗୃହ କମିଟି ଗଠନ କରିଥିଲେ । ଏହି ଗୃହ କମିଟିରେ ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ସମେତ, ଦେବୀ ପ୍ରସାଦ ମିଶ୍ର, କେ ଭି ସିଂହଦେଓ, ପ୍ରମିଳା ମଲ୍ଲିକ, ଅରୁଣ ସାହୁ ଏବଂ ସଂଜୟ ଦାସବର୍ମା ଅନ୍ୟ ସଦସ୍ୟ ଭାବେ ରହିଥିଲେ ।

ଉଲ୍ଲେଖଯୋଗ୍ୟ ଏହାକି, ସାମ୍ବାଦିକ ଅଭିଜିତ ଆୟାର ମିତ୍ର ଓ ତାଙ୍କ ବନ୍ଧୁ ଆରତୀ ଟିକ୍କୋ ସିଂହ କେନ୍ଦ୍ରାପଡ଼ା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ହେଲିକପ୍ଟର ଯୋଗେ ପୁରୀ ଓ କୋଣାର୍କ ଆକାଶରେ ବୁଲାବୁଲି କରିଥିଲେ । ଏହି ସମୟରେ କୋଣାର୍କ ମନ୍ଦିରର ଭିଡ଼ିଓ ଚିତ୍ର ଉତ୍ତୋଳନ କରି ଏଥିରେ କୋଣାର୍କ ମନ୍ଦିର ସମ୍ପର୍କରେ କଟୁ ଟିପ୍ପଣୀ ଦେଇ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲେ ଅଭିଜିତ ।

Leave A Reply

Your email address will not be published.