Latest Odisha News

BREAKING NEWS

ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ହାସଲ କଲେ ପ୍ରଥମ ଆନ୍ତର୍ଜାତିକ ବ୍ୟାଡ଼ମିଣ୍ଟନ୍ ଟାଇଟଲ୍

ଭୁବନେଶ୍ୱର: ଗ୍ରୀସର ହେଲ୍ଲାସଠାରେ ଓଡ଼ିଶା ମହିଳା ବ୍ୟାଡ଼ମିଣ୍ଟନ୍ ଖେଳାଳି ଋତୁପର୍ଣ୍ଣା ପଣ୍ଡା ତାଙ୍କର ପ୍ରଥମ ଆନ୍ତର୍ଜାତିକ ବ୍ୟାଡ଼ମିଣ୍ଟନ୍ ଟାଇଟଲ୍ ଡ଼ବଲ୍ସ ବିଭାଗରେ ହାସଲ କରିଛନ୍ତି ।

ଫାଇନାଲରେ ଓଡ଼ିଆ ଝିଅ ଋତୁପର୍ଣ୍ଣା ତାଙ୍କ ଡ଼ବଲ୍ସ ଯୋଡ଼ି ଆରତୀ ସାରା ସୁନୀଲଙ୍କୁ ସାଥିକରି ଫ୍ରାନ୍ସର ବିମଳା ହେରିୟୁ ଏବଂ ମାର୍ଗାରେଟ ଲମ୍ବାର୍ଟଙ୍କୁ ୫୦ ମିନିଟ ମଧ୍ୟରେ ୨୧-୧୯ ଓ ୨୧-୧୨ ସେଟରେ ପରାସ୍ତ କରି ଟାଇଟଲ୍ ହାସଲ କରିଛନ୍ତି ।

ଏଠାରେ ଉଲ୍ଲେଖ୍ୟଯୋଗ୍ୟ, ଋତୁପର୍ଣ୍ଣା ଓ ତାଙ୍କ ସାଥି ଖେଳାଳି ଆରତୀ ଗତ ମେ ମାସରୁ ଡ଼ବଲ୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି । ପ୍ରଥମେ ଋତୁପର୍ଣ୍ଣା ମହିଳା ସଟଲର୍ ମିଥୁଲା ୟୁକେଙ୍କୁ ତାଙ୍କର ଡ଼ବଲ୍ସ ଯୋଡ଼ି ଭାବେ ଏହି ବର୍ଷ ଆରମ୍ଭରୁ ବିଭିନ୍ନ ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦିତା କରୁଥିଲେ । ମାତ୍ର ଅସୁସ୍ଥତା କାରଣରୁ କିଛି ମାସ ହେଲା ମିଥୁଲା ଏବେ ଆଉ କୌଣସି ପ୍ରତିଯୋଗିତାରେ ଭାଗ ନେଉନାହାନ୍ତି ।

ଓଡ଼ିଶାର ଏହି ଉଦୀୟମାନ ମହିଳା ବ୍ୟାଡ଼ମିଣ୍ଟନ୍ ଖେଳାଳି ୧୯୯୯ ମସିହା ମେ ୭ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ । ୧୯ ବର୍ଷରୁ କମ୍ ଏସୀୟ ପ୍ରତିଯୋଗିତା ଋତୁପର୍ଣ୍ଣାଙ୍କର ପ୍ରଥମ ଆନ୍ତର୍ଜାତିକ ବ୍ୟାଡ଼ମିଣ୍ଟନରେ ଅଂଶଗ୍ରହଣ । ୨୦୧୮ ମସିିହା ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ହୋଇଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ସେ ୨୦ ଜଣିଆ ଭାରତୀୟ ବ୍ୟାଡ଼ମିଣ୍ଟନ୍ ଦଳକୁ ପ୍ରତିନିଧିତ୍ୱ କରି ଓଡ଼ିଶାକୁ ଗୌରବାନ୍ୱିତ କରିପାରିଛନ୍ତି ।

Leave A Reply

Your email address will not be published.