Latest Odisha News

BREAKING NEWS

ଏଥର କୁମ୍ଭମେଳାରେ ହଜିବେନି ଲୋକେ: ପୋଲିସର ନୂଆ ଯୋଜନା

ହରିଦ୍ୱାର: ପ୍ରସିଦ୍ଧ କୁମ୍ଭମେଳାରେ ପ୍ରବଳ ଭିଡ ଯୋଗୁଁ ଲୋକେ ନିଜ ପରିବାରଠୁ ବିଛିନ୍ନ ହୋଇଯାଆନ୍ତି ଓ ବର୍ଷ ବର୍ଷ ଧରି ନିଜ ପରିବାରକୁ ଭେଟି ପାରନ୍ତିନି । କିନ୍ତୁ ଏଥର କୁମ୍ଭମେଳାରେ ଏମିତି ହେବନି । ଏଥର କୁମ୍ଭମେଳା ପାଇଁ ପୋଲିସ ନୂଆ ଯୋଜନା ପ୍ରସ୍ତୁତ କରିଛି ଯେପରି ବୟସ୍କ ଓ ଶିଶୁ ନିଜ ପରିବାରଠୁ ବିଛିନ୍ନ ହେଲେ ବି ସହଜରେ ନିଜ ପରିବାରକୁ ପାଇପାରିବେ ।

ସୁରକ୍ଷିତ ବଚପନ୍ ସଂସ୍ଥା ସହ ମିଶି ପୋଲିସ ଏକ ନୂଆ ଯୋଜନା ଆରମ୍ଭ କରିଛି । ପରିବାର ସହ ଆସୁଥିବା ଶିଶୁଙ୍କ ପାକେଟରେ ଶିଶୁ ପରିଚୟ ପତ୍ର ରଖାଯିବ । ଏଥିରେ ଶିଶୁର ନାଁ, ପିତା-ମାତାଙ୍କ ନାଁ, ଆଧାର ନମ୍ବର, ଘର ଠିକଣା, ହରିଦ୍ୱାରରେ ରହିଥିବା ସ୍ଥାନ, ମୋବାଇଲ ନମ୍ବର ଆଦି ଲେଖାଯିବ । ଗୋଟିଏ ରସିଦ ପୋଲିସ ଓ ସଂସ୍ଥା ପାଖରେ ବି ରହିବ । ଏହି ରସିଦ ସହାୟତାରେ ପୋଲିସ ହଜି ଯାଇଥିବା ଶିଶୁଙ୍କୁ ପରିବାରକୁ ହସ୍ତାନ୍ତର କରିବ । ବୟସ୍କ ବ୍ୟକ୍ତିଙ୍କର ଅନଲାଇନ ପଞ୍ଜିକରଣ କରାଯିବ । ପୋଲିସର ଏହି ପଦକ୍ଷେପ ଦ୍ୱାରା ଲୋକଙ୍କୁ ଅନେକ ଲାଭ ମିଳିବ । ପୋଲିସର ଏହି ପଦକ୍ଷେପକୁ ଲୋକେ ମଧ୍ୟ ସ୍ୱାଗତ କରିଛନ୍ତି । 

ତେବେ ଏତେ ଭିଡ ଭିତରେ ପ୍ରତ୍ୟେକ ବୟସ୍କ ବ୍ୟକ୍ତି ଓ ଶିଶୁଙ୍କ ପଞ୍ଜିକରଣ ମଧ୍ୟ ପୋଲିସ ପାଇଁ ଏକ ବଡ ଚେଲେଞ୍ଜ ହୋଇପାରେ । ତେବେ ପୋଲିସର ଏହି ପଦକ୍ଷେପ କେତେ ସଫଳ ପ୍ରମାଣିତ ହେବ ତାହା କୁମ୍ଭମେଳା ପରେ ହିଁ ଜଣାପଡିବ । ହରିଦ୍ୱାରରେ ମହାକୁମ୍ଭ ପାଇଁ ବ୍ୟବସ୍ଥା ଜୋରସୋରରେ ଚାଲିଛି ।

କୁମ୍ଭମେଳାରେ କୋଟି କୋଟି ଶ୍ରଦ୍ଧାଳୁ ଗଙ୍ଗା ସ୍ନାନ ପାଇଁ ଆସିଥାନ୍ତି । ଏମାନଙ୍କ ମଧ୍ୟରେ ବୟସ୍କ ଓ ଶିଶୁ ମଧ୍ୟ ସାମିଲ ଥାଆନ୍ତି । ପ୍ରତି ବର୍ଷ ଅନେକ ଲୋକେ ନିଜ ପରିବାରଠୁ ବିଛିନ୍ନ ହୋଇଯାଇଥାନ୍ତି ।

Leave A Reply

Your email address will not be published.