Latest Odisha News

BREAKING NEWS

ରାଜଧାନୀରେ ରହିପାରିବେନି ନିଶା ବେପାରୀ, କମିସନରେଟ ପୋଲିସର ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର: ରାଜଧାନୀରେ ବଢ଼ୁଥିବା ନିଶା କାରବାରର ମୁକାବିଲା ପାଇଁ କମିସନରେଟ୍ ପୁଲିସ ଘୋଷଣା କରିଛି ଯେ, ନିଶା ବେପାରୀମାନେ ଆଉ ରାଜଧାନୀରେ ରହିପାରିବେ ନାହିଁ। କୌଣସି ବ୍ୟକ୍ତି ଯଦି ଡ୍ରଗ୍ସ ବିକ୍ରି କରୁଥିବା ବେଳେ ଧରାପଡ଼ନ୍ତି ତେବେ ତାଙ୍କୁ ଛଅ ମାସ ପାଇଁ ରାଜଧାନୀରୁ ବାହାରେ ରହିବେ। ପୁଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅପରାଧୀଙ୍କ କ୍ଷେତ୍ରରେ ପୂର୍ବରୁ ସମାନ ନୀତି ଆପଣାଇଥିବା ପୁଲିସ ଏବେ ନିଶା ବେପାରୀଙ୍କ କ୍ଷେତ୍ରରେ ଲଗାଇଛି।

ପ୍ରଥମ ଥର ପାଇଁ ନିଶା କାରବାରରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଏଭଳି ନିର୍ବାସନ ଦିଆଯିବ, ଯାହା କେବଳ ପେସାଦାର ଅପରାଧୀଙ୍କ ପରିସରକୁ ସଙ୍କୋଚିତ କରିବାରେ ବଡ ସହାୟକ ହେବ। ନିଶା କାରବାର ପ୍ରତି କମିସନରେଟ୍ ପୁଲିସ ଜିରୋ ଟଲେରାନ୍ସ ନୀତି ଅବଲମ୍ବନ କରିବା ସହ ବ୍ରାଉନ୍ସୁଗାର ଓ ଗଞ୍ଜେଇ କାରବାର ଉପରେ ନଜର ରଖିବା ଓ ରୋକ୍ ଲଗାଇବା ଲକ୍ଷ୍ୟରେ ହ୍ୱାଇଟ୍ ସ୍ପାଇଡର ଉଦ୍ୟମ ସମେତ ବିଭିନ୍ନ କାର୍ଯ୍ୟକୁ ଜୋରଦାର କରିଛି।

ଏହି ଉଦ୍ୟମର ଫଳ ଏବେ ମିଳିସାରିଥିବା ବେଳେ ପୁଲିସ ଚକ୍ରଧର ସାହୁ ନାମକ ଜଣେ ନିଶା ବେପାରୀକୁ ରାଜଧାନୀରୁ ୬ ମାସ ପାଇଁ ତଡିପାର କରିଦେଇଛି। ଅଭିଯୁକ୍ତ ବିରୋଧରେ ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଥାନାରେ ତିନିଟି ମାମଲା ରହିଛି। ଉଲ୍ଲେଖଯୋଗ୍ୟ, ଗତ ଏକ ମାସ ମଧ୍ୟରେ କେବଳ ବେଆଇନ ବ୍ରାଉନ୍ସୁଗାର କାରବାରରେ ଯଥେଷ୍ଟ ସଂଖ୍ୟକ ଗିରଫ ହୋଇଥିବା ବେଳେ ମୋଟ୍ ୧୨ ଜଣଙ୍କୁ ଗିରଫ କରାଯାଇଛି।

ଏହାବ୍ୟତୀତ ଗଞ୍ଜେଇ ଚାଲାଣ ବିରୋଧରେ କମିଶନରେଟ୍ ପୁଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଫଳରେ ଗୋଟିଏ ମାସ ମଧ୍ୟରେ ୨୧ ଜଣଙ୍କୁ ଗିରଫ କରାଯାଇଛି।

ନିଶା କାରବାରର ମୁକାବିଲାରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ସୁଗମ କରିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୭୦୭୭୭୯୮୧୧୧ ନାମକ ଏକ ସ୍ୱତନ୍ତ୍ର ମୋବାଇଲ୍ ନମ୍ବର ପ୍ରଦାନ କରାଯାଇଛି, ଯେଉଁଥିରେ ନିଶା କାରବାର ସମ୍ପର୍କିତ କୌଣସି ଖବର କିମ୍ବା ସୂଚନା ଦେବାକୁ ନାଗରିକମାନଙ୍କୁ ଉତ୍ସାହିତ କରାଯାଉଛି।

Leave A Reply

Your email address will not be published.