Latest Odisha News

BREAKING NEWS

ମହାକାଳପଡ଼ା ଚାମେଲି ଓଝା ଘଟଣାକୁ ନେଇ ତେଜିଲା ରାଜନୀତି: ପୋଲିସ ଓ ପ୍ରଶାସନ ଉପରେ ଉଠିଲା ପ୍ରଶ୍ନ

କେନ୍ଦ୍ରାପଡ଼ା: ମହାକାଳପଡ଼ାରେ ସରପଞ୍ଚ ଓ ବିଡିଓଙ୍କ ମଧ୍ୟରେ ହୋଇଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି। ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚମେଲି ଓଝା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଭାଇଙ୍କୁ ପୋଲିସ ଗିରଫ କରିଛି। ତେବେ ଏହି ଘଟଣାରେ ରାଜନୈତିକ ହଲଚଲ ବଢିବାରେ ଲାଗିଛି। ସରକାରୀ ବାବୁଙ୍କୁ ସୁରକ୍ଷା ଓ ଲୋକପ୍ରତିନିଧିଙ୍କୁ ଆକ୍ରମଣ ଅଭିଯୋଗକୁ ନେଇ ଏବେ ସାଧାରଣରେ ଅନେକ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

ଗୁରୁବାର ଦିନ ବକେୟା ବିଲ୍ ପାସ କରାଇବାକୁ ନେଇ ବିଡିଓ ରବି ନାରାୟଣ ଆଚାର୍ଯ୍ୟ ଏବଂ ସରପଞ୍ଚଙ୍କ ମଧ୍ୟରେ ବ୍ଲକ କାର୍ଯ୍ୟାଳୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ପୋଲିସ ଉପସ୍ଥିତିରେ ସରପଞ୍ଚଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ଗତକାଲି ବିଜେଡି କଂଗ୍ରେସ ଏବଂ ସିପିଆଇଏମର ନେତାମାନେ ଏକାଠି ହୋଇ ଜିଲ୍ଲାପାଳଙ୍କୁ ଭେଟିବା ପରେ ପ୍ରଶାସନ ଉପରେ ବର୍ତ୍ତମାନ ଚାପ ବଢିଛି। ସ୍ଥାନୀୟ ବିଜେପି ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କ ଇସାରାରେ ପୋଲିସ ଓ ପ୍ରଶାସନ କାମ କରୁଛି ବୋଲି ବିରୋଧୀ ଦଳଗୁଡିକ ସିଧାସଳଖ ଅଭିଯୋଗ ଆଣିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଏସପି ଏହି ଘଟଣାରେ ପୋଲିସର କୌଣସି ତ୍ରୁଟି ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି। ବିଡିଓଙ୍କ ଏତଲା ଆଧାରରେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ପୋଲିସ ସରପଞ୍ଚ ଏବଂ ତାଙ୍କ ଭାଇ ସୂର୍ଯ୍ୟକାନ୍ତଙ୍କ ନାମରେ ମାମଲା ରୁଜୁ କରିଛି। କିନ୍ତୁ ଏଠାରେ ମୁଖ୍ୟ ପ୍ରଶ୍ନ ଉଠୁଛି ଯେ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟର ବିଲ୍ କାହିଁକି ଏତେ ଦିନ ଧରି ଅଟକି ରହିଥିଲା। ଯଦି ଜଣେ ମହିଳା ଜନପ୍ରତିନିଧି ନିଜ ପଞ୍ଚାୟତର ଲୋକଙ୍କ ହକ୍ ପାଇଁ ବ୍ଲକ କାର୍ଯ୍ୟାଳୟକୁ ଯାଉଛନ୍ତି ତେବେ ତାଙ୍କ ସମସ୍ୟାର ସମାଧାନ ବଦଳରେ ତାଙ୍କୁ କାହିଁକି ଥାନାକୁ ଯିବାକୁ ପଡିଲା।

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡି ସରପଞ୍ଚ ଚିଠି ଲେଖିବା ପରେ ଏବେ ସମସ୍ତଙ୍କ ନଜର ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ରହିଛି। ବିରୋଧୀ ଦଳର ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପ୍ରକୃତରେ ଏକ ନିରପେକ୍ଷ ତଦନ୍ତ କରି ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି ନାହିଁ ତାହା ଦେଖିବା ବାକି ରହିଲା। ଜଣେ ନିର୍ବାଚିତ ମହିଳା ସରପଞ୍ଚଙ୍କ ପ୍ରତି ଏଭଳି ବ୍ୟବହାର ଗଣତନ୍ତ୍ର ପାଇଁ କେତେ ଗ୍ରହଣୀୟ ତାହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର ଧରିଛି।

Leave A Reply

Your email address will not be published.