Latest Odisha News

BREAKING NEWS

ବିଶ୍ୱାସ ଜିତିଲେ ପ୍ରତାପ ଜେନା, ସଞ୍ଜୟ ଦାସବର୍ମା ! ପ୍ରତାପଙ୍କୁ କେନ୍ଦ୍ରାପଡା ଏବଂ ସଞ୍ଜୟଙ୍କୁ ମିଳିଲା ଭଦ୍ରକ ପର୍ଯ୍ୟବେକ୍ଷକ ଦାୟିତ୍ୱ

ଭୁବନେଶ୍ୱର: ବିଜେଡି ଜିଲ୍ଲା  ପର୍ଯ୍ୟବେକ୍ଷକ ଦାୟିତ୍ୱରେ ନିଯୁ୍କ୍ତି ପାଇଲେ ପ୍ରତାପ ଜେନା ଏବଂ ସଞ୍ଜୟ ଦାଶ ବର୍ମା ।  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟଙ୍କୁ ନିଯୁକ୍ତି ଦେଇଛନ୍ତି ।  ଏ ନେଇ ବିଜୁ ଜନତା ଦଳ ପକ୍ଷରୁ ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

ଆଜି ଅର୍ଥାତ ଗୁରୁବାର ଦଳ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ପ୍ରତାପ ଜେନା କେନ୍ଦ୍ରାପଡ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିବେ। ସେହିପରି ସଞ୍ଜୟ ଦାସ ବର୍ମାଙ୍କୁ ଦିଆଯାଇଛି ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ।ଏହି ନିର୍ଦ୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

ମାହାଙ୍ଗା ଡବଲ ମର୍ଡର ମାମଲାରେ ସଂପୃକ୍ତି ଥିବା ଅଭିଯୋଗରେ ପୂର୍ବତନ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କ୍ୟାବିନେଟରୁ ଗତବର୍ଷ ବାହାର କରି ଦେଇଥିଲେ। ପ୍ରତାପ ଜେନାଙ୍କୁ  ଆଜି ହାଇକୋର୍ଟରୁ ସାମୟିକ ଆଶ୍ୱସ୍ତି ମିଳିଛି । ଡବଲ ମର୍ଡର ମାମଲାରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି ।  ଆସନ୍ତା ଡିସେମ୍ବର ୧୯ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି । ଆଜି ଏହି ରାୟ ଶୁଣାଣି ପରେ  ପ୍ରତାପଙ୍କୁ ମିଳିଛି ଏହି ନୂଆ ଦାୟିତ୍ୱ।

ସେହିପରି ସଞ୍ଜୟ ଦାସ ବର୍ମା ୨୦୧୯ ନିର୍ବାଚନ ହାରିବା ପରେ ତାଙ୍କୁ ଯୋଜନା ବାେର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା । ହେଲେ   ୨୦୨୧ ଜୁନ୍ ମାସରେ ଦଳୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ଏବଂ ୨୦୨୨ ଜୁନ୍ ମାସରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରୁ ତାଙ୍କୁ ହଟାଇ ଦିଆଯାଇଥିଲା ।  କୋଣଠେସା ରହିଥିବା ସଞ୍ଜୟ  ଏବେ ଦଳର ବିଶ୍ୱାସଭାଜନ ହୋଇ ପାରିଛନ୍ତି  । ତେଣୁ ତାଙ୍କୁ ଭଦ୍ରକ ପରି ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ଦଳ । କାରଣ ଭଦ୍ରକ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଗୃହ ଜିଲ୍ଲା  । ତା ଛଡା ଏଠାରେ ବିଜେଡିର ସାଂଗଠନିକ ଅନ୍ତଃକନ୍ଦଳ ଲାଗି ରହିଛି । ତେଣୁ ଆଗାମୀ ନିର୍ବାଚନ ଦାୟିତ୍ୱ ସମ୍ଭାଳିବା ଏକ ଗୁରୁତ୍ୱପୂର୍ଣ୍ଣ କାମ   । ତେବେ   ନୂଆ ଦାୟିତ୍ୱ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଞ୍ଜୟ ଦାସବର୍ମା । ଯେତେବେଳେ ଯେଉଁ ଦାୟିତ୍ୱ ଦିଆଯାଇଛି ନିଷ୍ଠାର ସହ ତୁଲାଇଛି । ଏ ଦାୟିତ୍ୱ ମଧ୍ୟ ନିଷ୍ଠାର ସହ ତୁଲାଇବେ ବୋଲି କହିଛନ୍ତି ।

ସୂଚନା ଥାଉ କି, ପ୍ରତାପ ପୂର୍ବରୁ ଭଦ୍ରକର ପର୍ଯ୍ୟବେକ୍ଷକ ଥିଲେ ।  ପ୍ରମିଳା ମଲ୍ଲିକ ବାଚସ୍ପତି ହେବାପରେ କେନ୍ଦ୍ରାପଡ଼ା ବିଜେଡି ପର୍ଯ୍ୟବେକ୍ଷକ ପଦ ଖାଲି ପଡ଼ିଥିଲା ।

Leave A Reply

Your email address will not be published.