Latest Odisha News

BREAKING NEWS

୩୦ ଫୁଟ ତଳକୁ କୁନି ପୁଅ ସହ ଖସି ପଡିଲେ ଗର୍ଭବତୀ: ସାରା ରାତି ମା’ର ଶବକୁ ଧରି କାନ୍ଦୁଥିଲା ପୁ୍ଅ

ମୁମ୍ବାଇ:ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଜଣେ ଗର୍ଭବତୀ ମହିଳାଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ସାରା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି । ମହିଳାଜଣକ ନିଜର ଚାରି ବର୍ଷର ପୁଅକୁ ଧରି ବାମନୀ-ରାଜୁରା ମାର୍ଗସ୍ଥିତ ବର୍ଦ୍ଧା ନଦୀ ପୋଲ ଉପରେ ଯାଉଥିଲେ । ଏହି ସମୟରେ ସ୍କୁଟି ନିୟନ୍ତ୍ରଣ ହରାଇଥିଲା । ଫଳରେ ମହିଳାଜଣକ ସ୍କୁଟି ସହ ୩୦ ଫୁଟ ତଳେ ପଡି ଯାଇଥିଲେ । ଘଟଣାସ୍ଥଳରେ ମହିଳାଙ୍କ ମୃତୁ ଘଟିଥିଲା । ସାରା ରାତି ପୋଲ ତଳେ ପଡିଥିଲା ଶବ । ତେବେ ସବୁଠାରୁ ଦୁଃଖ ଦାୟକ ଘଟଣା ଥିଲା ତାଙ୍କର ୪ ବର୍ଷର ପୁଅ ବଞ୍ଚି ଯାଇଥିଲା । ହେଲେ ରାତି ସାରା ମା’ର ଶବକୁ ଜାବୁଡି ଧରି ସେ କାନ୍ଦୁଥିଲା । ହେଲେ ତାର କାନ୍ଦ ମା’ ପାଖରେ ପହଞ୍ଚି ପାରୁନଥିଲା  । ସାରା ରାତି ମା’ର ଶବକୁ ଚାପି ଧରି ରହିଥିଲା କୁନି ପୁଅଟି ।

ଏପଟେ ମହିଳା ଜଣକ ଘରକୁ ନଫେରିବାରୁ ପରିବାର ଲୋକେ ଥାନାରେ ଜଣାଇଥିଲେ । ପୋଲିସ ସାରା ରାତି ଖୋଜାଖୋଜି କରିଥିଲା । ହେଲେ ଗୁରୁବାର ସକାଳୁ ସକାଳୁ ବର୍ଦ୍ଧା ନଦୀ ପୋଲ ତଳୁ ସେମାନଙ୍କୁ ଉଦ୍ଧାର କରିଥିଲା । ୪ବର୍ଷର ପୁଅ ପୋଲ ତଳକୁ ପଡି ଲହୁ ଲୁହାଣ ହୋଇ ଯାଇଥିଲା । ତୁରନ୍ତ ତାକୁ ଡାକ୍ତର ଖାନାରେ ଭର୍ତ୍ତି କରିଥିଲା ପୋଲିସ । ଏଥିସହିତ ମହିଳାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ପୋଲିସ ସୂଚନା ଅନୁଯାୟୀ ମୃତା ମହିଳାଙ୍କ ସୁଷମା ପବନ କାକଡେ । ସେ ବାମନୀର ଆଦିତ୍ୟ ପ୍ଲାଜାରେ ରହୁଥିଲେ । ସେ ୪ ବର୍ଷର ପୁଅକୁ ଚକଲେଟ ଖୁଆଇବା ପାଇଁ ସ୍କୁଟିରେ ଧରି ବାହାରିଥିଲେ । ସୁଷମା ତିନି ମାସର ଗର୍ଭବତୀ ବି ଥିଲେ ।

ସୁଷମାଙ୍କ ସ୍ୱାମୀ ଜଣେ ବ୍ୟାଙ୍କ କର୍ମଚାରୀ । ପୋଲିସ ସାରା ରାତି ସୁଷମାଙ୍କୁ ଖୋଜି ନିରାଶ ହେବା ପରେ ତାଙ୍କର ସ୍ୱାମୀ ନେଟରେ ତାଙ୍କର ଲାଷ୍ଟ ଲୋକେଶନ ଠାବ କରିଥିଲେ । ସେଥିରେ ବର୍ଦ୍ଧାନଦୀର ପୋଲ ଲାଷ୍ଟ ଲୋକେଶନ ଦେଖାଇଥିଲା । ଏହି ସୂଚନା ପାଇବା ପରେ ପୋଲିସ ସେଠାରେ ଖୋଜାଖୋଜି କରିଥିଲା ଏବଂ ସେଠାରେ ମା’ ପୁଅ ପଡିଥିବା ଦେଖିବାକୁ ପାଇଥିଲା ।

Leave A Reply

Your email address will not be published.