Latest Odisha News

BREAKING NEWS

ଆସୁଛନ୍ତି ମହାମାୟା, ଆଜି ପୀଠରେ ସପ୍ତମୀ, ମଣ୍ଡପରେ ମାଆଙ୍କ ଷଷ୍ଠୀ ପୂଜା

ଭୁବନେଶ୍ଵର: ଆସୁଛନ୍ତି ମହାମାୟା । ଆଜି ପୀଠରେ ମାଆଙ୍କ ସପ୍ତମୀ ପୂଜା, ମଣ୍ଡପରେ ପାଳନ ହେବ ଷଷ୍ଠୀ ପୂଜା । ଜଗତଜନନୀଙ୍କ ଆଗମନ ପାଇଁ ସବୁଠି ଉତ୍ସବର ପରିବେଶ । ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯିବ । ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ମା’ଙ୍କୁ ଚକ୍ଷୁଦାନ କରାଯିବ । ଏହାପରେ ଆରମ୍ଭ ହେବ ମହାମାୟାଙ୍କ ପୂଜାନୀତି ।

ଆସନ୍ତା ରବିବାର ଅଷ୍ଟମୀ ପୂଜା ସହ ବ୍ରତ ପୂଜା କରାଯିବାର ପରମ୍ପରା ରହିଛି । ନବମୀରୁ ସନ୍ଧିପୂଜା ସହିତ ବଙ୍ଗୀୟ ମେଢ ଗୁଡିକରେ ସିନ୍ଦୁର ଖେଳ ହେବ । କିଛି ମଣ୍ଡପରେ ଆମିଷ ଭୋଗ କରାଯାଇ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଏ । ମା’ ଦୁର୍ଗାଙ୍କ ମନ୍ତ୍ର ଉଚ୍ଚାରଣରେ କମ୍ପି ଉଠୁଛି ସମଗ୍ର ପୁରପଲ୍ଲୀ । ସେପଟେ ଆଜି ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ କଟକ ଗଡଚଣ୍ଡୀ । ସେହିପରି ବଗଳାମୁଖୀ ବେଶରେ ସଜ୍ଜିତ ହେବେ କଟକ ଚଣ୍ଡି ।ଗତକାଲି ସଂଧ୍ୟାରୁ ମା’ ଗାୟତ୍ରୀ ବେଶରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ । ଦଶହରା ପର୍ଯ୍ୟନ୍ତ ମା’ କଟକ ଚଣ୍ଡୀ ୧୬ଟି ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ ।

ଅନ୍ୟପଟେ ଶାରଦୀୟ ଦୁର୍ଗାତ୍ସୋବର ସ୍ବତନ୍ତ୍ରତା ବହନ କରୁଥିବା ଶ୍ରୀକ୍ଷେତ୍ର ଏବେ ନବବଧୂ ଭଳି ସଜେଇ ହୋଇଛି। ରଙ୍ଗିନ ଆଲୋକମାଳାରେ ଝଲସୁଛି ପୂଜାମଣ୍ଡପ ଓ ବିଭିନ୍ନ ଦେବୀ ପୀଠ। ଗଳିକନ୍ଦିରେ ଦେବୀ ମୂର୍ତ୍ତି ଓ ନାଗା ଆକର୍ଷଣ ପାଲଟିଛନ୍ତି। ଦେବୀ ମୂର୍ତ୍ତିଙ୍କ ଉପାସନା ସହିତ ସମସ୍ତ ଆଖଡ଼ା ସ୍ଥାନ ଚଳଚଞ୍ଚଳ ହୋଇପଡିଛି । ବିଭିନ୍ନ ଶକ୍ତିପୀଠରେ ଆଜି ସପ୍ତମୀ ପୂଜା ଧୂମଧାମରେ ଅନୁଷ୍ଠିତ ହୋଇଛି। ବିଶେଷକରି ଶ୍ରୀମନ୍ଦିରରେ ମା’ ବିମଳାଙ୍କ ସମେତ ଭିତରବେଢ଼ା ଥିବା ଭୁବନେଶ୍ୱରୀ, ବାଟମଙ୍ଗଳା, ଉତ୍ତରାୟଣୀ, ଶ୍ରୀକ୍ଷେତ୍ର ଠାକୁରାଣୀ, ଦକ୍ଷିଣକାଳୀ, ଆଲାମଚଣ୍ଡୀ କପିଳେଶ୍ୱର ଶାସନର ମା’ ପଞ୍ଚମୁଖୀ, ବାସେଳୀ, ମଙ୍ଗଳା, ମରିଚି ଠାକୁରାଣୀ, ବାଟକାଳୀ, କାକୁଡ଼ିଖାଇ, ବାଙ୍କୀମୁହାଣ ରାମଚଣ୍ଡୀ, ଜେନାରୀଗଛ ରାମଚଣ୍ଡୀ, ଶ୍ୟାମାକାଳୀ ପ୍ରଭୃତି ପୀଠରେ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି। ବିଭିନ୍ନ ପୀଠରେ ଠାକୁରାଣୀଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଇଛି। ବାରବାଟୀ, ଜହ୍ନିଖାଇ, ଶୂନ୍ୟଗୋସାଣି, ହରଚଣ୍ଡୀ, ଗେଲବାଇ ବନଦୁର୍ଗା, ଚକ୍ରକୋଟ, ଭୋଗଯାଗା, କରତିଖାଇ ପ୍ରଭୃତି ଦେବୀ ମଣ୍ଡପରେ ଆଜି ଷଷ୍ଠୀ ପୂଜା ହୋଇଛି। ସପ୍ତମୀ, ଅଷ୍ଟମୀ, ନବମୀ ଓ ଦଶହରା ପାଇଁ ସମସ୍ତ ପ୍ରସ୍ତୁତି ସରିଛି।

Leave A Reply

Your email address will not be published.