ପ୍ରେମପତ୍ର

ଆଜି ଆମ ସମସ୍ତଙ୍କର ପ୍ରିୟ କଥାକାର ଡ. ପ୍ରତିଭା ରାୟଙ୍କ ଜନ୍ମଦିନ! ଏଇ ଅବସରରେ ଆସନ୍ତୁ ପଢିବା ତାଙ୍କର ଏକ ଚମତ୍କାର ଗଳ୍ପ…

ପ୍ରତିଭା ରାୟ (୧୯୪୪) ସମକାଳୀନ ଓଡ଼ିଆ କଥାସାହିତ୍ୟର ସର୍ବାଧିକ ଜନାଦୃତ ଲେଖିକା; ଯିଏ ଭାରତୀୟ ମୂଲ୍ୟବୋଧକୁ ଉପଜୀବ୍ୟ କରି ସାଧାରଣ ମଣିଷର ବ୍ୟଥା-ବେଦନାକୁ କଳାତ୍ମକତାର ସହ ଚିତ୍ରିତ କରନ୍ତି । ଗଳ୍ପ ସଂକଳନ: କାୟା, ରାଧାର ବଂଶୀ, ଶୈଳଶାୟିନୀ, ପ୍ରତିଭା କଥାକଳ୍ପ, ଝୋଟିପକା କାନ୍ଥ, ଗାନ୍ଧୀଙ୍କ ଗାଁ, ନିବେଦନମିଦମ୍‍, ଉଲ୍ଲଂଘନ, ମୋକ୍ଷ, ଷଷ୍ଠସତୀ ଆଦି ୨୬ଟି ପୁସ୍ତକ । ଉପନ୍ୟାସ: ଶେଷ ଈଶ୍ୱର, ମହାରାଣୀ ପୁତ୍ର, ମଗ୍ନମାଟି, ମହାମୋହ, ଆଦିଭୂମି, ଉତ୍ତର ମାର୍ଗ, ଯାଜ୍ଞସେନୀ, ଶିଳାପଦ୍ମ ଆଦି ୨୧ଟି ପୁସ୍ତକ । ବିବିଧ: ୧୦ଟି ଭ୍ରମଣକାହାଣୀ, ୨ଟି ଅନୁବାଦ, ୩ଟି ପ୍ରବନ୍ଧ, ୨ଟି କବିତା, ୫ଟି ଶିଶୁସାହିତ୍ୟ ପୁସ୍ତକ ସହ ଆତ୍ମଜୀବନୀ ‘ପଦ୍ମପତ୍ରରେ ଜୀବନ’ ପ୍ରକାଶିତ । ପୁରସ୍କାର: ପଦ୍ମଶ୍ରୀ ଉପାଧି ସମେତ ଜ୍ଞାନପୀଠ, କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀ, ମୂର୍ତ୍ତିଦେବୀ, ବିଷୁବ, ଶାରଳା ପୁରସ୍କାର ପରି ଦେଶ ବିଦେଶର ଅସଂଖ୍ୟ ସମ୍ମାନ ଓ ସ୍ୱୀକୃତିର ଅଧିକାରିଣୀ ।

ପ୍ରେମପତ୍ର
……………………………
ପ୍ରତିଭା ରାୟ

ଝିଅର ଗଣିତ ବହି ଭିତରେ ଝିଅ ହାତଲେଖା ପ୍ରେମପତ୍ର ଦେଖି ମା’ ଥକ୍କା ହୋଇଗଲା । ସତେ ବା ଚଉଦବର୍ଷୀୟା ନବମ ଶ୍ରେଣୀ ଛାତ୍ରୀ, ମାଛି କି ମ’ ନକହୁଥିବା ତାଙ୍କ ଝିଅ ପୃଥିବୀର ପ୍ରଥମ ପ୍ରେମପତ୍ର ଲେଖି କୁମାରୀ ବ୍ରତ ଭାଙ୍ଗିଛି । ୟା’ ପୂର୍ବରୁ ଯେମିତି କୁମାରୀ କନ୍ୟା ପ୍ରେମପତ୍ର ଲେଖିବାର ନଜିର୍ ନାହିଁ । କେଡେ କାଣ୍ଡ କରି ନବସିଛି ଚୁପ୍‌ସଇତାନୀ ଟୋକି ଖଣ୍ଡକ । ତାଙ୍କ ଝିଅ ଯେ ଭଲ ପୋଷାକ, ଭଲ ଖାଦ୍ୟ ମା’ର ଗେହ୍ଲା, ବାପାଙ୍କ ଆଦର ବ୍ୟତୀତ ସଂସାରରେ ଆଉ କୋଉ କଥା ଭାବୁଛି, ଆଉ କୁଆଡ଼କୁ ଢଳିଛି – ଏ କଥାର ଟେର୍ ପାଇ ନଥିଲା ସୁରମା ।

ରିମା ପୁଣି ପ୍ରେମପତ୍ର ଲେଖିବ – ତାଙ୍କ ଝିଅ ହୋଇ ! କିଏ ସେ ଛତରା ଟୋକା- ତାଙ୍କ ଝିଅକୁ ଯିଏ ପ୍ରେମପତ୍ର ଲେଖିବାକୁ ଉସ୍‌କେଇଛି ? ସାମ୍ନାରେ ପାଇଲେ ତା’ କାନ ଛିଡ଼େଇଦିଅନ୍ତା ଦି’ଟା ବ୍ରହ୍ମ ଜାବଡ଼ା । ଏକାଥରେ ପ୍ରେମ ଫ୍ରେମ ଛଡ଼େଇ ଦିଅନ୍ତା । ଏଡ଼େ ସାହସ ! ଜାଣିନି କି ସେ ରିମା ଆଜେବାଜେ ଘରର ପିଲା ନୁହେଁ, ସୁରମା ଆଉ ସୁବୋଧଙ୍କ ଝିଅ ବୋଲି । ଜାଣିନି ସେ ରିମା କେଡ଼େ ଗେଲବସରରେ ବଢ଼ିଛି – କେତେ କ’ଣ ରିମାର ମା’ ସୁରମାର ସ୍ୱପ୍ନ ଆଉ ଅଭୀପ୍‌ସା ନିଜର ଝିଅ ପାଇଁ ।

କାହାର ପୁଅ ସେ – କ’ଣ ତା’ର ଯୋଗ୍ୟତା ଅଛି ରିମାଠୁ ପ୍ରେମପତ୍ର ପାଇବାର ? ଘରଦ୍ୱାର, ଖାନ୍‌ଦାନୀ, ବଂଶ ପରମ୍ପରା କ’ଣ ଏମିତି ଅଛି ଯେ ତା’ର ସେ ରିମାଠୁ ପ୍ରେମପତ୍ର ଲେଖେଇନବ ?

ହୁଃ ! ଏ ପୁଣି ପ୍ରେମ । ରିମାଟା ପିଲାଟାଏ । ହାତରେ ବେଣୀ ବାନ୍ଧି ଜାଣିନି । ଠିକ୍‌ରେ “ଟିପା’ଟାଏ କପାଳରେ ପିନ୍ଧି ପାରେନା, ମାଛରୁ କଣ୍ଟା କାଢ଼ି ଖାଇ ଶିଖିନି । ରଚନା, ପତ୍ରଲିଖନ ଠିକ୍‌ରେ ଲେଖି ଜାଣିନି । ପଢ଼ା ଦିଆହୋଇଥିଲେ ମା’ ପାଖେ ଖୁମାଣ କରି ବସିବ । ମା’ ଲେଖିଦବ-ନଇଲେ କ’ଣ ଲେଖିବାକୁ ହେବ କହିଦେବ । କେଉଁଠି କ’ଣ ହେଲେ ଘରେ ପାଦ ନଦଉଣୁ ବଖାଣି ବସିବ, “ଜାଣିଛୁ ମା’ – ଆଜି କ’ଣ ହେଲାନା… ଗୋଟାଏ ଟୋକା ମତେ ଦେଖି ସିନେମା ଗୀତ ବୋଲିଲା… ମୋ ରିକ୍ସା ପଛେ ପଛେ ଫଲୋ କଲା- ସୁସୁରି ମାରିଲା । ବଡ଼ ଅଭଦ୍ର ନୁହେଁ ମା ?” ଶାଢ଼ି ପିନ୍ଧିବା ଦୂର କଥା, ଚୁଡ଼ିଦାର ଡୋରରେ ଗଣ୍ଠି ପଡ଼ିଗଲେ ସୁରମା ହିଁ ତାକୁ ଖୋଲିବ । ଅଥଚ ଖେଚଡ଼ ଟୋକୀର ମନରେ ଗଣ୍ଠି ପଡ଼ିଗଲା ଆଉ ସୁରମା ତା’ର ଟେର୍ ପାଇଲାନି ।

ସେଇ ବଚକାନି ରିମା ଲେଖିଛି କୋଉ ଯାଚ୍ଛା’ତା ଟୋକାକୁ ପ୍ରେମପତ୍ର ? ମା’କୁ ସୁରାକ୍ ବି ଦେଇନି । ତା’ରି ପେଟରୁ ଜନ୍ମ, ତାକୁ ଲୁଚାଇ ଏତେ ବାଟ ଆଗେଇଗଲା ?

ସୁରମାର ତାଳୁରୁ ତଳିପା ଯାଏ ନିଆଁ ହୋଇଯାଉଛି । ରିମା ସାମ୍ନାରେ ପଡ଼ିଲେ ତାକୁ କ’ଣ ବୋଲି କ’ଣ କରିପକାନ୍ତା । କିଏ ସେ ରସିକ ଟୋକା ? ନାଁଟା ବି ଲେଖିନି ରିମା, ନଇଲେ ସେ ଟୋକାକୁ ଏତେବେଳକୁ ଠାବ କରିସାରନ୍ତାଣି ସୁରମା । ତେବେ ଟୋକାଟାର ବେଶୀ ଦୋଷ । ରିମାଠୁ ତ ବର୍ଷେ ଦି’ବର୍ଷ ବଡ଼ ହୋଇଥିବ ବୟସରେ, କାହାର ଅକଲ ବେଶୀ, ରିମାର ନା ସେ ଟୋକାଟାର ? ସେଇ ଫସେଇ ଦେଇଛି ସରଳିଆ ଝିଅଟାକୁ । ସଂସାରର ଛନ୍ଦକପଟ ଜାଣେନି ତାଙ୍କ ଝିଅ । ପ୍ରେମ ଫ୍ରେମ କି ପଦାର୍ଥ ଜାଣିନି । କାହା ଶିକ୍ଷାରେ ପଡ଼ି ଚିଠିଟାଏ ଲେଖି ପକାଇଛି ପରା । ଆଜିକାଲି ସଙ୍ଗଦୋଷ ସବୁ ପିଲାଙ୍କୁ ସତ୍ୟାନାଶ କଲା । ଆଗ ଭଳି ଭଲଘର ପିଲାଏ ଖାଲି ପାଠ ପଢ଼ିବେ, ସେ କଥା ନାହିଁ । ଯାହା ତାହା ପିଲାଙ୍କ ପାଇଁ ସ୍କୁଲ୍ କଲେଜ ମେଲା । ଧାନ ବାଳୁଙ୍ଗା ଏକାକାର । ତେଣୁ ପିଲା ଭଲ ସାଙ୍ଗଟିଏ ପାଇବେ କୋଉଠୁ ? ରିମାର ସେଇ ଆଜେବାଜେ ସାଙ୍ଗମାନେ ପ୍ରେମପତ୍ର ଅବଶ୍ୟ ଲେଖୁଥିବେ । ବେଳ ପଡ଼ିଲେ କାହା ସଙ୍ଗେ ଫେରାର୍ ହୋଇଯିବେ । ମା’ ବାପାଙ୍କ ମୁଣ୍ଡରୁ ଝିଅ ବୋଝ ଗଲା । କେତେ କେତେ ମା’ ତ ଝିଅମାନଙ୍କୁ ଶିଖଉଛନ୍ତି ଭଲଘର ପୁଅମାନଙ୍କୁ କେମିତି ହେଲେ ଫସେଇ ଦେବା ପାଇଁ । ସେମିତିଆ ଝିଅମାନେ ବିନା ଝମେଲାରେ ଭଲ ବର ପାଇ ବାହା ହେଇଯାଉଛନ୍ତି । ରିମା ଭଳି ସଂମ୍ଭ୍ରାନ୍ତ ବାଧ୍ୟଝିଅମାନଙ୍କ ପାଇଁ ମା’ ବାପା ବର ଖୋଜି ଖୋଜି ନୟାନ୍ତ । ୟା ବୋଲି ପ୍ରେମପତ୍ର ଲେଖିବ ବାଜେଝିଅଙ୍କ ପରି ? ଦେଖାଶିଖାରେ ପିଲାଟା ଚିଠିଖଣ୍ଡେ ଗାରେଇ ଦେଇଛି । ତେବେ ଏପରି ଭାବେ ଚିଠି ଲେଖିବା ଅନୁଚିତ । ଆଜି ଯଦି ଚିଠିଟା ତାଙ୍କ ହାତରେ ନପଡ଼ି ଗଣିତ ମାଷ୍ଟ୍ରାଣୀ ହାତରେ ପଡ଼ିଥାନ୍ତା, ତେବେ କଡ଼ାକ୍ରାନ୍ତି ସୁଧ କଷି କଥାଟା ଯାଇ କୋଉଠୁ କୋଉଠି ପହଞ୍ଚି ସାରନ୍ତାଣି । ରିମାଟା ସିନା ବୁଝିପାରୁନି – ରିମାର ମା’ ଆଉ ମୁହଁ ଦେଖେଇବାର ଅବସ୍ଥାରେ ରହିଥାନ୍ତେ ! କି ଲଜ୍ଜା ।

ତେବେ ସତକୁ ସତ ଯଦି ରିମା କୋଉ ବାଜେପିଲାକୁ ଭ୍ରମରେ ପ୍ରେମପତ୍ର ଲେଖିଥାଏ, ସେ ତ ନିଶ୍ଚୟ ମା’କୁ ଦେଖାଇଥାନ୍ତା । ହେଇତ ସେଦିନ କୋଉ ପିଲା “ଆଇ ଲଭ୍ ୟୁ ରିମା’ ଲେଖି ରିମା ପାଖକୁ ଗୋଟାଏ ନୂଆବର୍ଷ କାର୍ଡ଼ ପଠାଇଥିଲା । ଛତରାଟା ନାଁ ଫାଁ ନଲେଖି ଲେଖିଛି କ’ଣ ନା – “ଆଇ ଲଭ୍ ୟୁ – ଗ୍ୱେସ୍ ହୁ ?’ (ମୁଁ ତମକୁ ପ୍ରେମ କରେ – କହ ତ ଦେଖି ମୁଁ କିଏ ?’) ନନ୍‌ସେନ୍ସ ଇଡିୟଟ୍ । ଏଡ଼େ ପ୍ରେମିକ ପ୍ରବରଟାଏ ଯେ ସୁରମାର ଝିଅ ତା’ ଅକ୍ଷର ଦେଖି “ଗ୍ୱେସ୍‌’ କରିପକାଇବ ସେ କିଏ ? ସେଦିନ ରିମାର ମୁହଁ ସାମ୍ନାରେ “ଗ୍ରିଟିଂ କାର୍ଡ଼ଟା ଫଡ଼୍ ଫଡ୍ କରି ଚିରି ପକେଇଥିଲା ସୁରମା । ଝିଅକୁ ଆଖି କାଢ଼ି କହିଥିଲା- “ବାଜେ କଥାରେ ମୁଣ୍ଡ ନଖେଳେଇ ପାଠ ପଢ଼ । ଏ ବୟସରେ ଭଲ ଝିଅମାନଙ୍କ ପାଖକୁ ବାଜେ ଘର ପିଲା ଏମିତି କେତେ ବାଜେ କଥା ଲେଖନ୍ତି । ସେଗୁଡ଼ାକୁ କଡ଼ାକର ମୂଲ୍ୟ ଦେବାର ନୁହେଁ ।”

ସେଇ ରିମା ! ନିଜେ ଲେଖିଥିବା ଚିଠିଟାକୁ ମା’କୁ ନଦେଖେଇ ବହି ସନ୍ଧିରେ ଛପେଇ ରକିଛି ? ତା’ର ଅର୍ଥ ମା’କୁ ପଛକରି ନିଜ ଛାତିରେ କଥା ଲୁଚେଇବା ଆରମ୍ଭ କଲାଣି ।

ସୁରମାର ଆକାଶ ପୃଥ୍ୱୀ ଫେଣ୍ଟି ହୋଇଯାଉଛି । ସକାଳ ସଞ୍ଜ ଗୋଳେଇ ହୋଇଯାଉଛି । ଏ ଝିଅର ଆଉ କି ଭବିଷ୍ୟତ ? ସୁରମାର ଆଖି ରୁନ୍ଧି ହୋଇଯାଉଛି କ୍ରୋଧିତ ଲୁହରେ ।

ରିମା ସ୍କୁଲ୍‌ରୁ ଫେରିବା ମାତ୍ରେ ତାକୁ ସିଧା ସିଧା ପଚାରିବ, କି ଆଗ ଖୋଇପେଇ ପରେ ପଚାରିବ ସେ ବିଷୟରେ ଗୋଟାଏ ଖସଡ଼ା ପ୍ରସ୍ତୁତ କରିନେଲାଣି ସୁରମା । ନା- ପିଲାଟା ଭୋକରେ ଫେରିଥିବ । ମୁହଁ ଶୁଖି ଯାଇଥିବ । ମା’ଠୁ ପ୍ରେମପତ୍ର କଥା ଶୁଣିଲେ ଲାଜସରମ କୁଣ୍ଠାରେ ମାଟିରେ ମିଶିଯିବ । କେଜାଣି ? ଆଜିକାଲିକା ଝିଅଙ୍କ ପାଇଁ ଏକଥା ଲଜ୍ଜାକର କି ନା । ଅନ୍ତତଃ ସୁରମାର ହିସାବରେ ତାଙ୍କ ଝିଅ ଏଥିରେ ଲାଜରେ ଧୂଳିରେ ଗୋଳିହୋଇ ଯିବା କଥା । ତେଣୁ ଧୈର୍ଯ୍ୟଧରି ପିଲାଟାକୁ ମୁଠାଏ ଖୁଆଇବା ପାଇଁ ସମୟ ଦେବା ଉଚିତ ହେବ । କାରଣ ମା’ର ଜେରା ପରେ ଝିଅ ଏ କ୍ଷେତ୍ରରେ ଦିନେ ଦି’ଦିନ ନଖାଇ ମୁହଁ ମାଡ଼ି ଶୋଇରହିବା କଥା । ସୁରମା ଅନ୍ତତଃ ରିମା ସ୍ଥାନରେ ଥିଲେ ତାହା ହିଁ କରିଥାନ୍ତା ।

ଚିଠିଟାକୁ ବାରମ୍ବାର ପଢ଼ିଲା ସୁରମା । କେତେବେଳେ ଦିଶୁଥାଏ ଝିଅ ଅକ୍ଷର ପରି, କେତେବେଳେ ଆଉ ଟିକେ ଭିନ୍ନ ଦିଶୁଥାଏ । ଝିଅର କୋଉ ସାଙ୍ଗର ଅକ୍ଷର ରିମା ଅକ୍ଷର ପରି ହୋଇଥିବ । ତା’ କ’ଣ ସମ୍ଭବ ? ପ୍ରଭୁ ! ନହୋଇଥାଉ ଝିଅ ଅକ୍ଷର… କିନ୍ତୁ ଏତେ ସୁନ୍ଦର ଅକ୍ଷର ତ ତାଙ୍କ ଝିଅ ଛଡ଼ା ଆଉ କାହାର ହେବା କଥା ନୁହେଁ । କୋଉ ସାଙ୍ଗ ପାଇଁ ତାଙ୍କ ଝିଅ ପ୍ରେମପତ୍ରଟି ଲେଖିଦେଇନି ତ । ରିମାଟା ବେଳେ ବେଳେ ମୋଟାବୁଦ୍ଧିଆ ଭଳି କାମ କରେ ।

ଝିଅ ସ୍କୁଲ୍‌ରୁ ଫେରି ଖାଇସାରିଛି କି ନା ମା’ ସିଧାସଳଖ ଚିଠିଟା କାଢ଼ି ଝିଅ ସାମ୍ନାରେ ଧରି ପଚାରିଲା, ” ଏ ଚିଠି ତୁ ଲେଖିଛୁ ?’ ଝିଅ ନୀରବ… ତେବେ ସମ୍ମତିର ଲକ୍ଷଣ ଛଡ଼ା ଅନ୍ୟ କିଛି ନୁହେଁ ।

“କିଏ ସେ ବଜାରୀ ଛତରା ଲଫଙ୍ଗା ଟୋକା ?”

ଝିଅ କାଠପରି ଚୁପ୍ ।

“ପଚାରୁଛି ପରା କିଏ ସେ ବାଳୁଙ୍ଗା ତତେ ଚିଠି ଲେଖିବାକୁ ଉସ୍‌କେଇଛି ?”

ଝିଅ ପଥର ପରି ନିର୍ବେଦ…

“ଖାତିରି ପଡ଼ୁନି ମୋ କଥା !”

ଝିଅ ଜହ୍ନ ଭଳି ଶୀତଳ । ଠାଏ କରି ଚାପୁଡ଼ାଟିଏ ବସେଇଦେଲା ସୁରମା ଝିଅର କଅଁଳ ଗାଲରେ ।

ଝିଅ ଲୁହାପରି ଦୃଢ଼ ଯେ ସେ ଚୁପ୍ ରହିବ ।

ସୁରମା ରାଗରେ ରୁନ୍ଧି ହୋଇଯାଉଛି, ଉତ୍ତେଜନାରେ ଅଣନିଶ୍ୱାସୀ ହେଉଛି, ଦୁଃଖରେ ଦିଗହରା ହୋଇଯାଉଛି । ଛାତି ଯେମିତି ଦି’ଫଳ ହୋଇଯିବ – ମୁଣ୍ଡ ଅବା ଠୋ’ କିନା ଫାଟିଯିବ ।

କେଡ଼େ ଗଉଁ ଏ ଟୋକୀର, ଚଉଦ ପଶେ କି ନପଶେ, ଏଡ଼େ ପ୍ରେମିକା ଯେ ମରିଗଲେ ବି ପ୍ରେମିକର ନାଁ ପଦାରେ ପକାଇବନି । କିନ୍ତୁ ଝିଅକୁ ତ ମାରି ମାରି କଥା ଆଦାୟ କରିପାରିବନି ସୁରମା । ସେ ଜାଣିସାରିଲାଣି ଯେ ଏଣିକି ଫାଶୀ ଦେଲେ ବି ଝିଅ ପାଟି ଖୋଲିବନି । ରହସ୍ୟ ଫିଟେଇବନି । ତେବେ ସେ ଟୋକାଟା ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ କରିବା ସମ୍ଭବ ନୁହେଁ । ପୁଣି ଥରେ ଝିଅକୁ ଉସ୍‌କେଇ ପ୍ରେମପତ୍ର ଲେଖେଇ ନନବ ବୋଲି କିଏ କହିବ ?

ସୁରମା ଧମକ ଦେଲା – “ନାଁ ନକହିଲେ କାଲିଠୁ ତୋର ପାଠପଢ଼ା ବନ୍ଦ । ସ୍କୁଲ୍ ଯାଇ ପ୍ରେମପତ୍ର ଲେଖିବା ଅପେକ୍ଷା ଗଣ୍ଡମୁର୍ଖ ହୋଇ ଟିପଚିହ୍ନ ଦେବା ଢେର୍ ଭଲ । ଆଜି ଆସନ୍ତୁ ତୋ ବାପା… ମୁଁ ଏଣିକି ତାଙ୍କ ଝିଅକୁ ସମ୍ଭାଳି ପାରିବିନି । ଦିଅନ୍ତୁ ଆରବର୍ଷକୁ ବାହା କରି.. ଦୁର୍ନାମ ଉଠିବା ଆଗରୁ ବୋଝ ଉଠାଇଦେବା ଭଲ…” ସୁରମା ଶେଷ ନିଷ୍ପତ୍ତି ଶୁଣାଇଦେଲା । ଭାବିଥିଲା ଏଥର ଝିଅ ସଫା ସଫା ମାନିଯିବ । ଟୋକୀଟାର ପଢ଼ାରେ ଭାରି ମନ ଯେ ।

ମାତ୍ର ଝିଅ ନିର୍ଲିପ୍ତ ନଈବନ୍ଧ । ନଈ ପଛେ ଉଛୁଳୁ, ନଈବନ୍ଧ ନିଦକ । ଝିଅ ଠିକ୍ ମା’ର ନାଡ଼ି ଚିପିଛି । ସେ ଜାଣିଛି ଯେତେ ଯାହାହେଲେ ବି ତା’ର ସ୍କୁଲ୍ ଯିବା ବନ୍ଦ କରିବନି ମା'” । ବାପାଙ୍କ କାନକୁ ଏଭଳି କଥା ଯିବା ଆଗରୁ ମା’ ଚପେଇଦବ ନିଜ ଛାତିରେ । ଏମିତି ଛପେଇଦବ ଯେ ବାପା ସାରା ଜୀବନ ଜାଣିବେନି । ମା’ର ଛାତିଟା ଯେମିତି ଝିଅର ଦୋଷ, ଭୁଲ୍‌, ପାପ ଆଉ ଦୁଃଖ ଛପେଇ ଦେବାର ଅକାତ ସମୁଦ୍ର ।

ଚଉଦ ବର୍ଷର ଝିଅ ମା’ଠୁ ଚାରି ଆଙ୍ଗୁଳ ଉଚ୍ଚା ହେଲାଣି । ସେଇ ଡେଙ୍ଗା ଝିଅକୁ କୋଳରେ ପୂରେଇ ମା’ ରାତିସାରା କେତେ ବୁଝେଇଲା । ତୁଚ୍ଛାକୁ ଚାପୁଡ଼ାଟାଏ ଝିଅ ଗାଲରେ ଦେଇଛି ବୋଲି ନିଜକୁ ଧିକ୍କାରିଲା । ପିଲାଲୋକ, ଗ୍ରହ ତାକୁ ଏପରି ଅପକର୍ମ କରାଇଲା ବୋଲି ଭାବିନେଇ ସ୍ଥିରକଲା ଯେ ତୁରନ୍ତ ଗ୍ରହ-ଶାନ୍ତି ପୂଜାଟିଏ କରାଇଦେବ । ଝିଅକୁ ଆଉଁସୁ ଅଉଁସୁ ଝିଅ ଶୋଇପଡ଼ିଲା । କିନ୍ତୁ ମା’ ରାତି ଉଜାଗର । ଗଳଗଳ ନିଃଶବ୍ଦ ଲୁହଧାରରେ ତକିଆ ଓଦା ହେଉଛି । ରିମାର ବାପା ନିଶ୍ଚିନ୍ତ ଘୁଙ୍ଗୁଡ଼ି ମାରୁଛନ୍ତି । ସୁରମା ଆକାଶ ପାତାଳ ଭାବୁ ଭାବୁ ସକାଳ ହେଲା । ଝିଅ ଭାତ ଖାଇ ସ୍କୁଲ୍ ଯିବ । ତରବର ହୋଇ ନୂଆଦିନଟିଏ ସାମ୍ନାରେ ଉଭା ହେଲା । ରିମା ପୋଷାକ ପିନ୍ଧି ବାହାରିବା ବେଳକୁ ଖରାରେ ଚାରିଆଡ଼ ଉଜ୍ଜାଲା ଦିଶୁଛି ।

ଛିଃ – ରିମା ଏପରି କାମ କରିବାର ଝିଅ ନୁହେଁ । ତେବେ ପ୍ରକୃତରେ କାହାକୁ ପ୍ରେମ କରୁଛି କି ନା, ସେକଥା ଜାଣିବା ପାଇଁ ମା’ର ସନ୍ଦେହୀ ମନ ନିରନ୍ତର ବିଚଳିତ ହେଲା । ଯଦି ଝିଅ ପ୍ରକୃତରେ ପ୍ରେମରେ ପଡ଼ିଛି, ତେବେ ଲକ୍ଷଣଗୁଡ଼ିକ ମା’ ଆଖିରୁ ବାଦ୍ ପଡ଼ିବନି ଝିଅ ଅନ୍ୟମନସ୍କ ରହିବ । ଉଦାସ ହୋଇଯିବ – ବିନା କାରଣରେ ଏକୁଟିଆ ରିହବାକୁ ଭଲ ପାଇବ । ଆହାର କମିଯିବ – ନିଦ୍ରା ତ ଉଭାନ୍ ହୋଇଯିବ । ସବୁ ମିଶେଇଦେଲେ ଶେଷଫଳ ହେବ ପଢ଼ାରେ ଅମନଯୋଗିତା । ଦେଖାଯାଉ ଝିଅଠି କି ଉପସର୍ଗ ଦେଖାଯାଉଛି ! ମାତ୍ର ମା’ ଡାଳେ ଡାଳେ ଗଲେ ଝିଅ ପତ୍ରେ ପତ୍ରେ ଯାଉଛି । ଝିଅଠି ପ୍ରେମର କିିଛି ଉପସର୍ଗ ନାହିଁ । ଖାଇବାର ଊଣା ନାହିଁ – ଶୋଇବାରେ ଚିରଦିନ କୁମ୍ଭକର୍ଣ୍ଣ । ପରୀକ୍ଷାରେ ସବୁଥର ଭଳି ସନ୍ତୋଷଜନକ ଫଳାଫଳ । ଅଦ୍ଭୁତ ଝିଅ । ପ୍ରେମପତ୍ରରେ ଏଡ଼େ ପ୍ରେମ, ଏତେ ସ୍ୱପ୍ନ, ଏତେ ଉଦାସୀନତା – ଏତେ ନିସଙ୍ଗତା- ଏତେ ବ୍ୟାକୁଳତା ଅଥଚ ନିଜଠି କିଛି ନାହିଁ । ପୂରାକାଠ ! ଆଜିକାଲିକା ଝିଅଗୁଡ଼ା ତ ଭୟଙ୍କର ପ୍ରାକ୍ଟିକାଲ୍ ।

ଯାହା ବି ହେଉ ସୁରମା ଏଥର ଝିଅକୁ ଗୋଡ଼େ ଗୋଡ଼େ ଜଗିବାକୁ ଆରମ୍ଭ କଲା । ଆଉ ଗୋଟାଏ ପ୍ରେମପତ୍ର ଯେପରି ସେ ଲେଖି ନବସେ । ଯଦି ଗୋଟାକ ପରେ ଗୋଟାଏ ପ୍ରେମପତ୍ର ଲେଖି ବସେ, ତେବେ ଭବିଷ୍ୟତ ବୋଲି କିଛି ରହିବ ନାହିଁ । ରିମା ପାଖକୁ ଏଥର ଫୋନ୍ ଆସିଲେ ସୁରମା କାନ ଡେରିଲା । କିନ୍‌ୁ ଝିଅ କଥାରୁ ବାରିହୁଏନି ଆରପାଖରେ ଶୁଣୁଥିବା ଅଜଣାଟି ଝିଅକି ପୁଅ । ଆଜିକାଲି ପିଲାଗୁଡ଼ା ବାଳ କାଟିଲେଣି ଏକାପରି, ଡ୍ରେସ୍ ପିନ୍ଧିଲେଣି ଏକାପରି – ପୁଣି ହି-ହାଏ – ସମ୍ବୋଧନ ପୁଅସାଙ୍ଗ, ଝିଅ ସାଙ୍ଗ ଉଭୟଙ୍କୁ । କେମିତି ଜାଣିବ କଥାରୁ ଆରପାଖେ ପୁଅ ନା ଝିଅ ? ଯଦି ଝିଅ ସାଙ୍ଗ ତେବେ ଏମିତି ଡେରି ରାତିରେ ଫୋନ୍ କରେ କିଆଁ ? ଯଦି “ପୁଅସାଙ୍ଗ’ ତେବେ ଏଡ଼େ ପାଟିରେ ମା’ ଆଗରେ କଥା କହେ କେମିତି? ସୁର ତ ଛାଁ ନରମିଯିବ ଛତରା ପ୍ରେମିକ ସହ କଥା କହିଲେ ।

କିଶୋରୀ ଝିଅର ମା’ ଗୁଇନ୍ଦା ନହେଲେ କେତେବେଳେ ଝିଅର କଅଁଳ ମନରେ କୋଉ ଚୋର ଡାକୁ ସିନ୍ଧିଗାତ କରିବ । ହେଲେ ସୁରମା ସବୁଥିରେ ଫେଲ୍ । କିଛି ବି ଟେର୍ ମିଳୁନି । ଆଉ ଥରେ ଯଦି ଝିଅର ପ୍ରେମପତ୍ର ହାତରେ ପଡ଼େ, ତକୁ ସତ ସୁରମା ସହଜରେ ଛାଡ଼ିବନି । ଯେମିତିହେଲେ ଝିଅ ପେଟରୁ କଥା କାଢ଼ି ସେ ନଷ୍ଟ ଚରିତ୍ର ଟୋକାଟାକୁ ପାନେ ଶିକ୍ଷାଦେବ ।

ଝିଅଟି ମା’ ମନର ସନ୍ତୁଳନର ଟେର୍ ପାଏ କି ନା ଝିଅ ଜାଣୁଥିବ । କାହା ମନରେ କିଏ ପଶିଛି ? ମା’ ମନରେ ଝିଅ ନା ଝିଅ ମନରେ ମା’ ?

ଝିଅର ମା’ ହୋଇ ମନ ଭିତରେ କୋଉ ମୁହୂର୍ତ୍ତରେ ଝିଅର ଆଗତ ଭବିଷ୍ୟତ ନେଇ ମନରେ ଗୋଟାଏ କେଁ ନପଶିବ, ଏମିତି ଗୋଟାଏ ମା’ ସଂସାରରେ କିଏ ଅଛି ? କିନ୍ତୁ ମା’ର ଝିଅ ହୋଇ ମନରେ ମା’ ପାଇଁ ଗୋଟାଏ କେଁ ପଶିବ ଏକଥା ସର୍ବତ୍ର ଘଟେନାହିଁ । ରିମା ମନରେ ଯେଉଁଦିନଠୁ ମା’ ପାଇଁ ଗୋଟିଏ ଗୋପନ କେଁ ପଶିଲା ରିମା ଜାଣିଲା ମା’ ଜନ୍ମଠୁ ଝିଅ ଜନ୍ମ କଷ୍ଟ ।

ଧର- ମା’ ଯଦି ଝିଅର ପ୍ରେମପତ୍ର ଜବତ୍ କରେ, ମା’ ଧରିବ ଝିଅର କାନ । ପଚାରିବ କିଏ ସେ ଛତରା ଟୋକ ? ଏ ବୟସରେ ପ୍ରେମପତ୍ର ଲେଖିଲେ ଭବିଷ୍ୟତ ବୋଲି କିଛି ଆଉ ରହିବ ତ ? ଇତ୍ୟାଦି… ମାତ୍ର ଝିଅ ଯଦି ମା’ର ପ୍ରେମପତ୍ର ଜବତ୍ କଲା, ଝିଅଠୁ ବଳି ଅସହାୟ ଜୀବ ସଂସାରରେ ଆଉ କେହି ନାହିଁ ।

ମା’ର ଷ୍ଟିଲ୍ ଆଲ୍‌ମିରାର ଲୁଗାଥାକ ତଳେ ପରା ହୋଇଥିବା କାଗଜ ତଳୁ ଯୋଉଦିନ ରିମା ଗୋଟିଏ “ପ୍ରେମପତ୍ର’ ପାଇଲା, ସେଦିନ ସେ ଏପରି ସ୍ତମ୍ଭୀଭୂତ ହୋଇଗଲା ଯେ, ତା’ର ଚିନ୍ତାଶକ୍ତି ଜଡ଼ ପାଲଟିଗଲା । ସେ ବୁଝିପାରିଲା ନାହିଁ ଆଘାତଟା ବିସ୍ମୟର କି ଗ୍ଳାନିର । ହୁଏତ ଗ୍ଳାନି, ଲଜ୍ଜା, ବିସ୍ମୟ, ଅବିଶ୍ୱାସର ମିଶାମିଶି ଗୋଟାଏ ପ୍ରଚଣ୍ଡ ଆଘାତରେ ମନ ଭିତରେ ଗଢ଼ା ମା’ ମୂର୍ତ୍ତିଟା ଖଣ୍ଡ ଖଣ୍ଡ ହୋଇ ଭୁଷୁୁଡ଼ିପଡ଼ିଲା । ରିମା ବିକଳ ହୋଇ ନିଜ ଭିତରେ ମା’କୁ ଖୋଜିଲା । ଆଉ ଦେଖିଲା ମା’ ମୂର୍ତ୍ତି ବିକୃତ ହୋଇଯାଇଛି ସାମାନ୍ୟ କାଗଜରେ, କେଇ ବୁନ୍ଦା ସ୍ୟାହି ଗାରେ, ଗୋଟାଏ ବେନାମି ପ୍ରେମପତ୍ରରେ ।

ଅବଶ୍ୟ ରିମାର ପ୍ରେମପତ୍ର ଆବିଷ୍କାର କରିବା ଦିନ ସୁରମା ବି ଆଘାତ ପାଇଥିବ । ମାତ୍ର “ରିମା’ର ଆଘାତଠୁ ସେ ଆଘାତ ଶହେଗୁଣ କମ୍ ହୋଇଥିବ । କାରଣ ପୃଥିବୀର ଶହ ଶହ “ରିମା’ ବୟସର ଝିଅ ପ୍ରତିଦିନ ପ୍ରେମପତ୍ର ଲେଖନ୍ତି ବୋଲି ମା’ ଜାଣନ୍ତି, ମାତ୍ର ରିମାର ମା’ ବୟସର କେହି ମା’ ପ୍ରେମପତ୍ର ଲେଖୁଥିବ ଏଭଳି ଏକ ଅଗ୍ରାହ୍ୟ, ଅବାଞ୍ଛିତ କଥା ରିମାକୁ ଜଣାନାହିଁ । ପ୍ରେମର ବୟସ ନଥାଇପାରେ, କିନ୍ତୁ ପ୍ରେମପତ୍ର ଲେଖିବାରେ ତ ଗୋଟାଏ ବୟସ ଥିବ । ମା’ କ’ଣ ନିଜର ବୟସ ଭୁଲିଯାଇଛି ! ପୁଣି ଭୁଲିଯାଇଛି ସେ ଗୋଟାଏ ମା’ ! ମା’ ହୋଇ କେହି ପ୍ରେମପତ୍ର….

ତେବେ ମା’ କୋଉ ବୟସରେ କାହାକୁ ସେଇ ପ୍ରେମପତ୍ର ଖଣ୍ଡିକ ଲେଖିଛି, ଜାଣିବାର ଉପାୟ ନାହିଁ, କାରଣ ଚିଠିରେ ସ୍ଥାନ, କାଳ, ପାତ୍ରର ଉଲ୍ଲେଖ ନାହିଁ । ଚିଠିରେ ସମ୍ବୋଧନ ସ୍ଥାନରେ ଗୋଟାଏ ଛୋଟ ହାଇଫେନ୍ । କାଗଜର ରଙ୍ଗ ଓ ମା’ର ଅକ୍ଷର ଦୁଇଟାଯାକ ଚିଠିର ତାରିଖ ଜଣାଇବାକୁ ଅକ୍ଷମ । ହୋଇପାରେ କୋଡ଼ିଏ ବର୍ଷତଳର- ହୋଇପାରେ – କୋଡ଼ିଏ ବର୍ଷ ପରର ।

ଚିଠିଟା ଯେ ରିମାର ବାପା ଓରଫ୍ ସୁରମାର ସ୍ୱାମୀଙ୍କ ପାଖକୁ ଲେଖାହୋଇନି, ଏକଥା ଷୋହଳ ବର୍ଷର ରିମାକୁ କେହି ପଢ଼ାଇ ନଥିଲେ ବି ବହୁ ଅପଢ଼ା ପାଠ ଭଳି ରିମାର ହୃଦ୍‌ବୋଧ ହୋଇସାରିଥିଲା ।

ବାପାଙ୍କୁ ବିବାହ କରିବା ପରେ, ମା’ର କେହି ପ୍ରେମିକ ଥିବ, ଏକଥା କେବଳ ଶାସ୍ତ୍ର-ବିରୁଦ୍ଧ ନୁହେଁ, ରିମାର ସ୍ୱପ୍ନ-ବିରୁଦ୍ଧ ମଧ୍ୟ । ବିବାହ ପୂର୍ବରୁ କେତେକ ମା’ଙ୍କର ପ୍ରେମିକ ଥିବାର ଶୁଣାଯାଏ । ତେବେ ରିମାର ମା’ ଅନ୍ତତଃ ସେଭଳି ଏକ ଝିଅ ନଥିଲେ, ଏକଥା ରିମାର ଦୃଢ଼-ବିଶ୍ୱାସ କେବଳ ନୁହେଁ, ଦୃଢ଼-ସିଦ୍ଧାନ୍ତ । ଯଦି ମା’ର କୁମାରୀ ବୟସରେ ପ୍ରେମିକ ଥା’ନ୍ତେ, ତେବେ ବାଲ୍ୟ ଜୀବନର ଅନେକ ସୁଖସ୍ମୃତି ସହ ସେ ତ ରିମା ଆଗରେ ନିଶ୍ଚୟ ସେକଥା କହିଥାନ୍ତେ । ରିମାର ମା’ କେବେ କୌଣସି କଥା ଝିଅଠୁ ଗୋପନ ରଖିଥିବେ, ଏକଥା ରିମା ବିଶ୍ୱାସ କରିପାରୁନି, ମା’ର ପ୍ରେମପତ୍ର ପାଇବା ପରେ ବି । ତେବେ ମା’ କ’ଣ ବିବାହ ପରେ ହିଁ ପ୍ରାକ୍ତନ ପ୍ରେମିକକୁ ପତ୍ର ଲେଖିଛି ? କିମ୍ବା ଏ ପତ୍ରଟିର “ପ୍ରାପ୍ତେଷୁ’ ମା’ର ବିବାହୋତ୍ତର ପ୍ରେମିକ ! ପୂର୍ବକଥାଟା କୌଣସି ମତେ ଗ୍ରହଣୀୟ ହୋଇପାରେ । ମାତ୍ର ବିବାହ ପରେ ମା’ମାନଙ୍କର ଦୈନନ୍ଦିନ ରୋଟିନ୍‌ରେ ଆଦୌ ଆବଶ୍ୟକ ନହେଉଥିବା ଏଇ ପ୍ରେମିକ ପଦଧାରୀ ସ୍ୱପ୍ନଭୁକ୍‌ମାନଙ୍କର କି ଆବଶ୍ୟକତା ଅଛି ? ରିମାର ଚିନ୍ତା, ଭାବନା କଳ୍ପନା ଓ ବାସ୍ତବତା ସବୁକିଛି ବେତାଳିଆ ହୋଇଯାଉଥିଲା । ରିମାର ଛାତିତଳର କୋମଳ ଗ୍ରନ୍ଥିସବୁ ଝିଣ୍ ଝିଣ୍ କରୁଥିଲା ।

ଅବଶ୍ୟ ରୀମା ଚଳଚ୍ଚିତ୍ରରେ ଦେଖିଛି – ବିବାହିତା ହେଲେ ବି କାହାର କାହାର ପ୍ରେମିକ ଲୋଡ଼ା ହୁଏ, ଯେଉଁଠି ଦାମ୍ପତ୍ୟର କୋଉଠି ଗୋଟେ ଅଧେ ଛିଦ୍ର ଦେଖାଦେଇଥାଏ । ସେଇ ଛିଦ୍ର ଦେଇ ଚୋର ପରି ଅନୁପ୍ରବେଶ କରିଥାଏ ପ୍ରେମିକ ଆଉ ଛିଦ୍ର ପରିଣତ ହୁଏ ବିରାଟ ଫାଟରେ, ଯାହା ଆଉ ମୁଦି ହୁଏ ନାହିଁ ।

କିନ୍ତୁ ରିମାର ବାପା ମା’ଙ୍କ ଦାମ୍ପତ୍ୟ ପଥର କାନ୍ଥ ପରି ନିଦା, ମଜଭୁତ୍ । ସେ ଦାମ୍ପତ୍ୟର ମଜଭୁତ୍ କାନ୍ଥରେ ପ୍ରେମ, ବୁଝାମଣା, ତ୍ୟାଗ, ସ୍ନେହ, ସହାନୁଭୂତି, ସୁଖ, ସଖ୍ୟର ରାଗ ଅନୁରାଗ ଲତେଇଯାଏ । ଚିର-ସବୁଜିମାରେ ରିମା’ର ବାପା ମା’ଙ୍କ ଛୋଟ ସୁଖୀ ପରିବାରଟିକୁ ମଣ୍ଡିଦିଏ ମୁହୂର୍ତ୍ତ ମୁହୂର୍ତ୍ତ । ସେଠି ଅଣୁମାତ୍ର ଛିଦ୍ର କାହିଁକି ଯେ- ପାଷାଣ୍ଡ ପ୍ରେମିକଟିଏ ଧସେଇ ପଶିବ ତା’ ମା’ର ଷ୍ଟିଲ୍ ଆଲ୍‌ମିରାର ନିଭୃତ ଥାକ ଭିତରକୁ ।

ଅବଶ୍ୟ ଘର କରି ବାପା ମା’ଙ୍କର କେବେ ମତାନ୍ତର ହୁଏ ନାହିଁ । ଏକଥା ରିମା କହୁନି । କିନ୍ତୁ ସେତିକି ସ୍ୱାଭାବିକ ମତାନ୍ତର ଜଣେ ପ୍ରେମିକର ଅନୁପ୍ରବେଶ ପାଇଁ ଦାମ୍ପତ୍ୟରେ ଫାଙ୍କ ସୃଷ୍ଟି କରିବ, ଏକଥା ରିମା ପାଇଁ ଅଭାବିତ ଏବଂ ରିମାମାନଙ୍କ ମତରେ ନୀତିବିରୁଦ୍ଧ ।

ରିମାର ଏବେ ମା’ ବାପାଙ୍କ ଦାମ୍ପତ୍ୟ ଉପରେ ସନ୍ଦେହ ଉପୁଜିଲା । ତା’ର ମନେହେଲା- ଯୋଉ ପରିବାରଟି ସବୁଠୁ ନିବୁଜ, ନିବିଡ଼ ପବିତ୍ର ଉଷ୍ମତାରେ ଜାକିଜୁକି ହୋଇ ପରସ୍ପରକୁ ଜାବୁଡ଼ି ଧରିଥିଲା, ତା’ କ’ଣ ମିଛ-ଛଳନା-ଅଭିନୟ ? ବାପାଙ୍କର ଅବଶ୍ୟ କିଛି ବଦ୍‌ଗୁଣ ଅଛି, ଯୋଉଥିପାଇଁ ରିମାର ମା’ ସୁରମା ବହୁ ସମୟର ବିରକ୍ତ ହୁଅନ୍ତି । ବାପା ସିଗ୍ରେଟ୍ ପିଅନ୍ତି, ଯୋଉଟା ସୁରମା ଅନୁସାରେ ଉଚ୍ଚ ପରମ୍ପରା ବିରୋଧୀ । ସୁରମା ସଙ୍ଗୀତପ୍ରିୟା ହେବା ସ୍ଥଳେ ରିମାର ବାପା ଦେଶର ରାଜନୈତିକ ପରିସ୍ଥିତି ସମ୍ପର୍କରେ ଅଧିକ ଆଗ୍ରହୀ, ସୁରମା ନିରାମିଷାସୀ ଏବଂ ମିତାହାରୀ ହେବା ସ୍ଥଳେ ରିମାର ବାପା ଆମିଷପ୍ରିୟ ଏବଂ ଭୋଜନବିଳାସୀ । ଏସବୁ ସତ୍ତ୍ୱେ ସୁରମାର ସ୍ୱାମୀଅନୁରକ୍ତି ଓ ରିମା ବାପାଙ୍କ ପତ୍ନୀ ସୋହାଗର ଝଲକ ଛୁଆମାନଙ୍କ ଆଖିରୁ ବି ବାଦ୍ ଯାଏନି । ରିମା ତ ଭାବିଥିଲା ତା’ ବାପା ମା’ଙ୍କ ଦାମ୍ପତ୍ୟ ସଂସାରରେ ନାହିଁ ନଥିବା ଆଦର୍ଶ । ତା’ କ’ଣ ମିଛ – ଛଳନା – ଅଭିନୟ! ଆଉ ଏଇ କାଳ ପ୍ରେମପତ୍ରଟି ଆବିଷ୍କାର ଫଳରେ ରିମାକୁ ଘେରିରହିଥିବା ସଂସାରଟି କୀଟଦ୍ରଂଷ୍ଟ ଫୁଲଟିଏ ଭଳି ଭାରି ତୁଚ୍ଛ ଏବଂ ପ୍ରତାରିତ ମନେହେଲା । ତା’ର ଇଚ୍ଛା ହେଲା, ମା’ର କାନକୁ ତା’ର ହାତ ନପାଇଲେ ମଧ୍ୟ ମା’ର ଆଖିକୁ ତା’ ଆଖି ପାଇବ- ରିମା ମା’ର ଆଖିରେ ଆଖି ମିଳାଇ ପଚାରନ୍ତା – ସତ କହ ମା’ – ଏସବୁ କାଣ୍ଡ କାହିଁକି ତୁଚ୍ଛାଟାରେ କରୁଛୁ ? ବାପାଙ୍କର ସବୁ ବଦ୍‌ଗୁଣ ଏବେ ଝାପ୍‌ସା ହୋଇଯାଉଛି । ବାପା ତ ନିଚ୍ଛକ ବାପାଟିଏ । ଯେମିତି ବାପାମାନେ ହେବାର କଥା ଠିକ୍ ସେମିତି । ଟଙ୍କା ରୋଜଗାର କରି ସ୍ତ୍ରୀ ହାତକୁ ବଢ଼େଇ ଦିଅନ୍ତି । ସ୍ତ୍ରୀ ହାତରନ୍ଧା ସୁସ୍ୱାଦୁ ଖାଦ୍ୟରେ ପ୍ରଚୁର ଲୋଭ-ସ୍ତ୍ରୀ ସୋହାଗର ଆଦିଅନ୍ତ ନାହିଁ । ସ୍ୱାମୀ କାଇଦାରେ ଯେତେବେଳେ ଇଚ୍ଛା ସେତେବେଳେ ଚା’ ବରାଦ କରନ୍ତି । ଗୋଡ଼ଘଷା ଖାଆନ୍ତି । ସିଗ୍ରେଟ୍ ପିଅନ୍ତି ଆଉ ଅଫିସ୍‌ରୁ ବିରକ୍ତି ନେଇ ଘରକୁ ଫେରିଥିଲେ ସମସ୍ତଙ୍କ ଉପରେ ରାଗ ଉତାରନ୍ତି । ନିମିଷକେ ରାଗ ଭୁଲି ଝିଅ ପୁଅଙ୍କୁ ଆଦର କରନ୍ତି – ସ୍ତ୍ରୀକୁ ପାମ୍ପଳାନ୍ତି । ବହୁ ବାପାଙ୍କ ପରି ସବୁ ଭାଗ୍ୟ ଓ ଭଗବାନଙ୍କ ଉପରେ ଛାଡ଼ିଦେଇ ନିଦକ ଥାଆନ୍ତି ପିଲାଙ୍କ ପାଠପଢ଼ା, କ୍ୟାରିୟର, ଭବିଷ୍ୟତ ପାଇଁ । ଏଥିରେ ତ୍ରୁଟି ରହିଲା କେଉଁଠି ଯେ ମା’ର ଏ ପ୍ରେମପତ୍ର ! ରିମାର ବାପା କେତେ ଭଲ । ଅଥଚ ସୁରମା ? ନା ନା ମା’ଟା ଖରାପ ନୁହେଁ ! କିନ୍ତୁ କାହିଁକି ଯେ, ଏପରି ଭାବପ୍ରବଣ ହୋଇ ପ୍ରେମପତ୍ରଟିଏ ଲେଖିଦେଲା ମା’ ! ଲେଖିଲା ଯଦି ତାକୁ ରିମା ହାତରେ ପଡ଼ିବାକୁ ଦେଲା କାହିଁକି ?

ରିମା ଭାବିଲା, ଠିକ୍ ମା’ ଯେମିତି ତା’ ମୁହଁ ଉପରେ ତା’ର ପ୍ରେମପତ୍ରକୁ ଟିକେ ବି ସମ୍ମାନ ନଦେଇ ଫଡ଼୍ ଫଡ଼୍ ଚିରିଦେଲା, ରିମା ମଧ୍ୟ ମା’କୁ କିଛି ନକହି ତା’ ମୁହଁ ଉପରେ ମା’ ହାତଲେଖା ପ୍ରେମପତ୍ରଟିକୁ ଫଡ଼୍ ଫଡ଼୍ ଚିରିଦେଇ ପ୍ରତିଶୋଧ ନେବ । ଅନ୍ତତଃ ମା’ ଜାଣୁ ଯେ ତା’ର ଗୋପନ ଭାବନା ରିମାକୁ ଆଉ ଅଛପା ନାହିଁ । ଏତିକି ଅନ୍ତତଃ ମା’କୁ ଭବିଷ୍ୟତ ପାଇଁ ସାବଧାନ କରିଦେବ । ନଚେତ୍ ମା’ ଯଦି ଏମିତି ପ୍ରେମପତ୍ର ସବୁ ଲେଖେ ଏବଂ ବାପାଙ୍କ ହାତରେ ଧରାପଡ଼େ, ତେବେ କ’ଣ ହେବ ଏଇ ସୁଖୀ ପରିବାରଟିର ଭବିଷ୍ୟତ ? ଯଦି ଅକସ୍ମାତ କଥାଟା ପଦାକୁ ଖେଳେଇ ହୋଇଯାଏ, ତେବେ ଆଉ ମୁଣ୍ଡ ଟେକି ବାଟ ଚାଲିପାରିବ କି ରିମା ? ରିମାକୁ ବଡ଼ ଅସୁରକ୍ଷିତ ଲାଗିଲା । କାନ୍ଦ କାନ୍ଦ ଡର ଡର ଲାଗିଲା । ସବୁବେଳେ ରାଗ ଲାଗିଲା । ମାତ୍ର ସେ ରାଗ ଉତାରି ପାରିଲା ନାହିଁ ।

ମା’ ନହେଇ ବାପ ଯଦି ଏମିତି ଗୋଟାଏ ଗୋପନୀୟ କାଣ୍ଡ କରିଥାନ୍ତେ, ରିମା ଏତେଟା ବିବ୍ରତ ହୁଅନ୍ତାନି । ବହୁ ବାପା ୟା’ଠାରୁ ବହୁଗୁଣରେ ଅବାଞ୍ଛିତ, ଅସ୍ପୃହଣୀୟ କାର୍ଯ୍ୟ କରନ୍ତି – ତାଙ୍କ ସଂସାର ଟିକେ ଚହଲିଯାଏ । ମାତ୍ର ଓଲଟପାଲଟ ହୋଇଯାଏନି । ସମାଜ ମଧ୍ୟ ସେଥିପ୍ରତି ଏତେଟା ଅନୁଦାର ହୁଏନାହିଁ । କିନ୍ତୁ ମା’ର ଏପରି କାର୍ଯ୍ୟ ବରଦାସ୍ତ କରିବାର ନୁହେଁ । ରିମା କିନ୍ତୁ ଚିଠିଟାକୁ ମା’ ମୁହଁ ଉପରେ ତ ଛାଡ଼, ମା’ ଆଖିର ଅନ୍ତରାଳରେ ମଧ୍ୟ ଚିରି ପାରିଲାନି । କେଜାଣି କ’ଣ ପାଇଁ ତାକୁ ଅପରାଧ କଲାଭଳି ଲାଗିଲା । ଚୁପ୍‌ଚାପ୍ ଚୋରଣୀଙ୍କ ଭଳି ଚିଠିଟା ଯଥାସ୍ଥାନରେ ରଖିଦେଇ ରିମା ବିପନ୍ନ ହୋଇଗଲା ଆଗାମୀ ଦିନମାନଙ୍କ ପାଇଁ । ସେହି ପତଳା କାଗଜଖଣ୍ଡକ ମା’ଠୁ ରିମାକୁ ଦି’ଭାଗ କରିଦେଇ ଅଦୃଶ୍ୟ ପାଚେରିଟିଏ ହୋଇଗଲା ।

ଝିଅକୁ ମଧ୍ୟ ମା’ ପାଇଁ ଗୁଇନ୍ଦାଗିରି କରିବାକୁ ପଡ଼େ ଏବଂ ସେ କଥା ଲେଖାଥାଏ “ରିମା’ ଭଳି କେତେ ଝିଅଙ୍କ ଭାଗ୍ୟରେ । ରିମା ଏଥର ମା’ର ଫୋନ୍ ଉଠାଇ କଥା ଯାଞ୍ଚ କଲା । କେହି ଚିହ୍ନା ଅଚିହ୍ନା, ବନ୍ଧୁ ଅବନ୍ଧୁ ଘରକୁ ଆସିଲେ ରିମା ମା’ର ଭାବଭଙ୍ଗୀ, ବେଶଭୂଷା ତଥା କଥାଭାଷାକୁ ତନଖିଲା । ଘରକୁ ଆସୁଥିବା ସମସ୍ତ ପୁରୁଷଙ୍କୁ ସେ ଥରେ ଥରେ ସେଇ “ଖଳନାୟକ’ ସ୍ଥାନରେ ରଖି ତା’ ନିଜ ମାପକାଠିରେ ପରଖିଲା । ବାପାଙ୍କୁ ଛାଡ଼ିଦେଲେ ବାପା ବୟସର ସବୁ ପୁରୁଷ ବଡ଼ ଘୃଣ୍ୟ ମନେହେଲେ । ସମସ୍ତଙ୍କୁ ତା’ର ସେଇ ପାଷାଣ୍ଡ ପ୍ରେମିକ ସ୍ଥାନରେ ରଖି ରିମା ପ୍ରତିଶୋଧ ନେବା ପାଇଁ କିଛି ଉପାୟ ପାଞ୍ଚିଲା । ଉପାୟ ନପାଇ ଖାଲି ରଗ୍‌ଦି ସଗ୍‌ଦି ହେଲା ।

ମାତ୍ର କାହିଁରେ ରିମା ସଫଳ ହେଲା ନାହିଁ । ଅର୍ଥାତ୍ ମା’ର ସେହି ଅଜଣା ବନ୍ଧୁଟି ଏମାନଙ୍କ ଭିତରେ ନାହିଁ ବୋଲି ରିମା ଅବଶେଷରେ ନିଶ୍ଚିତ ହୋଇଯିବା ମାତ୍ରେ ହତାଶ ହୋଇଗଲା । ଅର୍ଥାତ୍ ସେ ଖଳନାୟକଟି ରହିଛି ଏଇ ସୁଖୀ ସଂସାରଠୁ ଅପହଞ୍ଚ ଦୂରରେ । ଗୋଟାଏ ଅଦୃଶ୍ୟ ଅଜେୟ, ସମ୍ପର୍କ ଯୋଡ଼ିଛି ଏ ସଂସାରର କେନ୍ଦ୍ରବିନ୍ଦୁ ରିମାର ମା’ ସହ । ତାକୁ ରିମା ଚିହ୍ନଟ କରିପାରୁନି । ସାମ୍ନାସାମ୍ନି ଭେଟି ପାରୁନି, ରାଗ ସୁଝାଇ ପାରୁନି, ପ୍ରତିଶୋଧ ନେଇପାରୁନି । ରିମା ଅସହିଷ୍ଣୁ କ୍ଷୋଭ ଓ ଗ୍ଳାନିର ଭାରରେ ମ୍ରିୟମାଣ ହୋଇଗଲା । ପୁଣି ମନକୁ ବୁଝାଇଲା ଯେ, ଥାଉ ସେ ବାଜେଲୋକଟା ପୃଥିବୀ ସେପାରି ଦୂରତ୍ୱରେ । ଲେଖୁଥାଉ ରିମାର ମା’ ଫର୍ଦ୍ଦ ଫର୍ଦ୍ଦ ପ୍ରେମପତ୍ର । ଡାକ ଖର୍ଚ୍ଚ କରି ପଠାଉଥାଉ ତା’ ପାଖକୁ । ରିମାର କିଛି ଯାଏ ଆସେ ନାହିଁ । ଆଉ ଯୋଉ ଦିନ ରିମାର ପ୍ରେମପତ୍ର ମା’ ହାତରେ ଧରାପଡ଼େ ଏବଂ ମା’ ତାକୁ ଜେରା କରେ, ସେଇଦିନ ରିମା ମୁହେଁ ମୁହେଁ ବତାଇଦବ ଯେ, ମା’ର ସଚ୍ଚୋଟପଣିଆ କେତେଦୂର ସେ ସବୁ ଜାଣେ ! ତେଣୁ ତାକୁ ଆକଟିବାର ଅଧିକାର ମା’ର ନାହିଁ । ଗୋଟାଏ ମା’ ହୋଇ ବାପା ବ୍ୟତିରେକ ଜଣେ ଭିନ୍ନ ପୁରୁଷକୁ ପ୍ରେମପତ୍ର ଲେଖିଥିବା ଯୋଗୁଁ ସେ ଝିଅକୁ ଆକଟିବାର ଯୋଗ୍ୟତା ହରାଇଛି । ଏଣିକି ରିମା ତା’ର ମନଇଚ୍ଛା ପ୍ରେମପତ୍ର ଲେଖିବ । ମା’କୁ ଖାତିର କରିବନି !

କିନ୍ତୁ ସତକୁ ସତ ଯେଉଁଦିନ ରିମାର ଦ୍ୱିତୀୟ, ତୃତୀୟ, ଚତୁର୍ଥ ପ୍ରେମପତ୍ରମାନ ମା’ ହାତରେ ଧରାପଡ଼ିଲା, ମା’ ଜେରା କଲା, ଶାସ୍ତି ଦେଲା, ଝିଙ୍ଘାସିଲା, ରାଗିଲା, ରିମାକୁ ଗର୍ଭରେ ଧାରଣ କରିଛି ବୋଲି ନିଜ ଗର୍ଭକୁ ନିନ୍ଦିଲା, ରିମା ଯେତେ ଯାହା ଭାବିଥିଲା, କିଛି ବି କହି ପାରିଲାନି । ମହିଷମଦର୍ଦ୍ଦିନୀ ଦେବୀ ଦୁର୍ଗାଙ୍କ ଅଶୁଭନାଶିନୀ ମୂର୍ତ୍ତି ଭଳି ଦିଶୁଥିଲା ମା’ର ସୁନ୍ଦର ମୁହଁ । ଉତ୍ତେଜନାର ଜ୍ୟୋତିର୍ମଣ୍ଡଳ ଭିତରେ ସୁରମା କେବଳ ରିମାର ମା’ ଭଳି ଦିଶିଲା । କେଉଁ ଅବାଞ୍ଛିତ ଘୃଣ୍ୟ ପ୍ରେମିକା ଭଳି ଜମାରୁ ଦିଶିଲା ନାହିଁ । ମା’କୁ ମୁହେଁ ମୁହେଁ ଜବାବ୍ ଦବାର ସବୁ ଶପଥ ନିଆଁ ପାଲଟିବା ଆଗରୁ ଜଳଧାରା ହୋଇ ବହିଗଲା । ରିମା ମା’ର ପଣତରେ ମୁହଁ ଲୁଚାଇ କୋଳି ମୁଛୁଳି କାନ୍ଦିଲା ଏବଂ ତା’ର କ୍ରୋଧ, କ୍ଷୋଭ, ସଂଶୟକୁ ପାଣି କରିଦେବାର ପ୍ରୟାସ କଲା । କିନ୍ତୁ ପୂର୍ବଥରମାନଙ୍କ ଭରି ନିଜ ପ୍ରେମିକର ନାମ ପ୍ରକାଶ କଲାନାହିଁ । ରିମାର ପ୍ରେମିକ ମଧ୍ୟ ମା’ ପାଖରେ ଅଦୃଶ୍ୟ, ଅଜ୍ଞାତ ହୋଇ ରହିଲା ।

ସୁରମା ମଧ୍ୟ ଅବଶ ହୋଇଯାଇ ଭାବିଲା ତାଙ୍କ ଝିଅ ଯଦି ପ୍ରେମ ଚିଠି ଲେଖୁଛି, ତେବେ ଠିକଣା ଲୋକଙ୍କୁ ନଦେଇ ବହି ଭିତରେ ଛପେଇ ରଖେ କିଆଁ – କ’ଣ ମା’ ହାତରେ ପଡ଼ି କଲବଲ ହେବା ପାଇଁ ? ଯଦି ରିମାର ଏତେ ଗଉଁ ଯେ, ସେ ପ୍ରେମ କରିବ – ଚିଠି ଲେଖିବ ଅଥଚ ମା’କୁ ମୁହଁ ଖୋଲି କିଛି ନକହିବ, ତେବେ ନକହୁ । ଭଲ ଜାଗାରୁ ପ୍ରସ୍ତାବ ଆସୁଛି । କଥା ଆଗେଇଲେ ରିମା ବଳେ ପ୍ରେମ ପ୍ରକାଶ କରିବ । ଯଦି ତେବେବି ପ୍ରେମିକକୁ ଘଣ୍ଟ ଘୋଡ଼େଇ ରଖିଲା, ତେବେ ଟୋକାଟା ନିଶ୍ଚୟ ଅକାଳକୁଷ୍ମାଣ୍ଡ ହୋଇଥିବ । ତା’ ପ୍ରସ୍ତାବ ଉଠାଇବାକୁ ଝିଅର ହିମ୍ମତ ହେଉନି । ତେଣୁ କର୍ମ ଆଦରି ବାହା ହୋଇଯିବ ଆଉ ଚୁପ୍‌ଚାପ୍ ଘର ସଂସାର କରିବା ଛଡ଼ା ଅନ୍ୟ ଗତି ନଥିବ । ବେକାର ସ୍ୱପ୍ନଭୁକ୍ ଟୋକାମାନଙ୍କୁ ପ୍ରେମ କରି ପାଗଳିନୀ ହେବା ଏବଂ ଉପାର୍ଜନକ୍ଷମ ବରପାତ୍ରଙ୍କୁ ବାହାହୋଇ ପାଗଳାମି ଛାଡ଼ିଯିବା – ସୁସ୍ଥ ସଂସାର ଗଢ଼ିବାରେ ରିମା ଭଳି କେତେ କେତେ ଝିଅଙ୍କର ଉଦାହରଣ ସୁରମାର ନଖଦର୍ପଣରେ । ରିମା ପାଇଁ ମଧ୍ୟ ଭଲପାତ୍ରଟିଏ ଠିକ୍ କରିଦେଲେ ଚୁପ୍‌ଚାପ୍ ବାହା ହୋଇଯାଇ ଆଦର୍ଶ ସଂସାର ଗଢ଼ିବ, ଏଥିରେ ସନ୍ଦେହ ନାହିଁ ।

ସୁରମା ଏଣିକି ଝିଅର ବିବାହ ପ୍ରସ୍ତାବଗୁଡ଼ିକୁ ଗୁରୁତ୍ୱ ଦେଲା । ରିମା ବି ଭାବିଲା, ମା’ ଯଦି କାହାକୁ ଏ ବୟସରେ ବି ପ୍ରେମ କରୁଛି, ତେବେ ଚିଠି ଲେଖି ଆଲମିରାରେ କାଞ୍ଜି କରୁଛି କାହିଁକି ? ଠିକଣା ଭୁଲିଯାଇଛି ? ସେଇଦିନଠୁଁ ଚିଠିଟା ତ ସେମିତି ଅଛି । ଚିଠି କଥା ମା’ ଭୁଲିନି, ଏକଥା ରିମା ଜାଣେ । କାରଣ ସୁରମା ଆଲମିରାର ଥାକ ଝାଡ଼ି ପୁରୁଣା କାଗଜ ବଦଳାଇ ନୂଆ କାଗଜ ପକାଇଲା ପରେ ମଧ୍ୟ ଚିଠିଟା ଯଥା ସ୍ଥାନରେ ରହିଥାଏ । ରିମା କୌତୂହଳବଶତଃ ମଝିରେ ମଝିରେ ତନଖିଛି ଏବଂ ଚିଠିଟା ପୋଷ୍ଟ ହୋଇନି ବୋଲି ମଧ୍ୟ ପ୍ରମାଣ ପାଇଛି । ତେବେ ଚିଠିଟା ଖୁବ୍ କବିତ୍ୱଭରା- ରିମାଠୁ ସୁରମା ପ୍ରେମପତ୍ର ଲେଖିବାରେ ଦକ୍ଷ ।

ନିଜ ଠିକଣାରେ ଡାକରେ ଆସୁଥିବା ଚିଠଗୁଡ଼ା ମଧ୍ୟ ସୁରମା ଖବରକାଗଜ ଭଳି ସମସ୍ତଙ୍କ ହାତ ପାହାନ୍ତାରେ ଖୋଲି ଛାଡ଼ିଦିଏ । ତେବେ କିଏ ସେଇ କୁଲକ୍ଷଣ ଲୋକଟା, ଯିଏ ସୁରମା ଆଉ ରିମା ଭିତରେ ଗୋଟାଏ ଅଦୃଶ୍ୟ ପାଚେରି ହୋଇ ଛିଡ଼ା ହୋଇଛି ? ରିମା ଯେତେ ଯେତେ ସେଇ ଅଭଦ୍ର ଅସାମାଜିକ ଲୋକଟାକୁ ଖୋଜିଲା, ପାଚେରିଟା ସେତେସେତେ ଦୃଢ଼ ହେଉଥିଲା ।

ରିମାର ବିବାହ ସତ୍‌ପାତ୍ରରେ ହୋଇଯିବା ପରେ ସୁରମା ପୁଣି ସହଜ ହୋଇଉଠିଲା । ତା’ ଡେଣା ଉପରୁ କେତେ ଦୁର୍ଭାବନାର ବୋଝ ଉଭେଇଗଲା । ତା’ ମନଟା ସଂଶୟମୁକ୍ତ ହୋଇଗଲା । ସେ ଭାବିଲା, ପିଲାଲୋକ କ’ଣ ଖଣ୍ଡେ ଅଧେ ଚିଠି ଲେଖିଦେଇଥିଲା କେଉଁ ଟୋକାଟାର ଗଜୁରା ନିଶା, ଆଖି ମିଟ୍‌କା, ଓଠ ଚିପା ଇଙ୍ଗିତରେ ଭୁଲିଯାଇ । କିଛି ମାରହାଣ କଥା ତ କରିନି । ସେ ଟୋକ ସହ ଘରୁ ତ ଭାଗିନି । ଅପଦାର୍ଥ ହେଲେ ବି ତାକୁ ବାହା ନହେଲେ ପ୍ରାଣ ହାରିଦବ ବୋଲି ପଣକରି ଲୋକହସା ତ କରିନି । ବାପା ମା’ ଯୋଉଠି ବିବାହ ଠିକ୍ କଲେ ସୁନାଝିଅ ଭଳି ଚୁପ୍‌ଚାପ୍ ବାହା ହୋଇଗଲା । ମା’ ଛାତିରେ ମୁହଁ ଗୁଞ୍ଜି ସୁକ୍ ସୁକ୍ କାନ୍ଦି ଥରେ ତ କହିଲାନି – “ମା’- ମୁଁ ଆଉ ଜଣକୁ… “ରିମା କିଛି ତ ଦୁଃଶ୍ଚିନ୍ତାରେ ପକାଇଲାନି ତାଙ୍କୁ ! କୋଉଠି ହସିବାର, ବସିବାର, ହେଁ ହେଁ ଫେଁ ଫେଁ ହେବାର କେହି ଦେଖିନି । ସଭିଏଁ ପ୍ରଶଂସା କରନ୍ତି । କେତେଝିଅ ନା ପକାଉଛନ୍ତି । ତାଙ୍କ ଝିଅ ପ୍ରେମପତ୍ର ଚାରିଖଣ୍ଡ ଲେଖି ପକାଇଥିଲା ପିଲା ବୁଦ୍ଧିରେ ତ କ’ଣ ଭାସିଗଲା ।

ଝିଅ ଶାଶୁଘରକୁ ଯିବା ପରେ ତା’ର ବହିଗୁଡ଼ିକ ଗୋଟି ଗୋଟିଏ ଖେଳେଇ ଆଉ କେତେଖଣ୍ଡ ପ୍ରେମପତ୍ର ହାସଲ କରିଥିଲା ସୁରମା ଏବଂ ନିଜ ହାତରେ ସେ କଳଙ୍କକୁ ନଷ୍ଟ କରି ଦେଇଥିଲା । ଝିଅ ହାତଲେଖା ଚିଠିଗୁଡ଼ା ପୋଡ଼ା ଅଙ୍ଗାର ହୋଇଯିବା ପରେ ସୁରମା ଛାତିରୁ ସେ ଅକ୍ଷରଗୁଡ଼ା ପୋଛି ହୋଇଗଲା । ତା’ ମନରେ ଆଉ କିଛି ସଂଶୟ ନଥିଲା । ବାହା ହୋଇ ନିଜ ସଂସାର ଗଢ଼ିବା ସୋପାନରେ ରିମା କିନ୍ତୁ ମା’ ଉପରୁ ସଂଶୟ ତୁଟାଇ ପାରିଲା ନାହିଁ । ତା’ ମା’ ତ ସଂସାରରେ ସାର, କେବଳ ସେଇ ପ୍ରେମପତ୍ରକୁ ଛାଡ଼ି । ଅମୃତ ଭାଣ୍ଡରେ କଣିକାଏ ବିଷ

ଯେତେବେଳେ ବାପଘରକୁ ଆସିଛି ଗୋପନରେ ଚିଠି ତନଖିଛି ରିମା । ମା’ର ପ୍ରେମପତ୍ର ସେମିତି ଅଛି । ଥାଉ ନିରାପଦରେ ମା’ର କୀର୍ତ୍ତି । କେବେ କାହାକୁ ପୋଷ୍ଟ କରିବ କି ନା ସେ କଥାରେ ମୁଣ୍ଡ ଖେଳେଇବାକୁ ରିମାର ଆଉ ଫୁର୍ସତ୍ କାହିଁ ? ସେ ତ ନିଜେ ବି ସଂସାରୀ । ମା’ର ସଂସାର ଭିତରେ ସେ ଆଉ ମୁଣ୍ଡ ପୂରାଇବା କି ଦରକାର ?

ବୟସ ବଢ଼େ- ସମୟ ଆଗକୁ ବହେ – ମଣିଷର ଭାବନା ଚଉଦିଗକୁ ଚତରେଇ ଯାଏ । ଗତକାଲିର ବଡ଼କଥା ଦିଶେ କେଡ଼େ ନଗଣ୍ୟ- କେଡ଼େ ସାନ । ରିମା ଭାବେ କେତେ ଦିନେ ମା’ ସହ ସେ ମୁକାବିଲା କରିବ-

“ରିମା’ର ମନରେ ଛୋଟ ଘୁଣପୋକଟିଏ ଥିବା ସତ୍ତ୍ୱେ ମା’ର ପ୍ରେମପତ୍ରକୁ ଏତେ ଗୁରୁତ୍ୱ ଦେବା ପାଇଁ କାଳ ଅପେକ୍ଷା କରେନି । ମା’ ସହ ମୁକାବିଲା କରିବାର ଦୀର୍ଘଦିନର ଯୋଜନା ବି ପାଣି ଫାଟିଯାଏ ବାପାଙ୍କଠୁ ଗୋଟାଏ ତାରବାର୍ତ୍ତାରେ ।

ମା’ ଚାଲିଗଲା – ତୁରନ୍ତ ବସିବାଠୁ ଉଠିଆ ! ସତକୁ ସତ ବସିବାଠୁ ଉଠିଆସିଲା ରିମା ।

ମା’ର ଶବକୁ ଆବୋରି ଝିଅ ଏବେ ବସିଛି । ଶବ ଉଠିବାର ବ୍ୟବସ୍ଥା ଚାଲିଛି । ଯେତେଶୀଘ୍ର ସମ୍ଭବ ମାଟି ପିଣ୍ଡଟାକୁ ଘରୁ ଉଠେଇଦେବା ପାଇଁ ସମସ୍ତେ ତତ୍ପର । ରିମାକୁ ଦିଶୁଛି ମା’ର ଜୀଅନ୍ତା ଛବି । ଗିରି ଗୋବର୍ଦ୍ଧନକୁ ତୋଳି ଧରିବା ଭଳି ଏଇ ଛୋଟ ସଂସାରକୁ ତୋଳି ଧରିବାର ଶକ୍ତ କୋମଳ କଲ୍ୟାଣକାରୀ ହାତକୁ ରିମା ମୁଠେଇ ଧରି ବସିଛି, ଯୋଉ ହାତ ତାକୁ ଖୋଇ ଦେଇଛି, ବେଣୀ ବାନ୍ଧିଛି, ଡ୍ରେସ୍ ପିନ୍ଧାଇ ସ୍କୁଲ୍ ପଠାଇଛି, ଟିଫିନ୍ ସଜାଡ଼ିଛି, ତା’ ଖାତାରେ ପାଠ ଲେଖିଛି, ଛବି ଆଙ୍କିଛି – ନୂଆ ନୂଆ ତାକୁ ଶାଢ଼ି ପିନ୍ଧାଇଛି, ରୋଷେଇ, ସିଲେଇ ନଶିଖିଲେ ସେଇ ହାତରେ ତାକୁ ଆକଟିଛି ସଂସାରର ଭଲମନ୍ଦ ବୁଝାଉ ବୁଝାଉ ସେଇ ହାତ ତାକୁ ଆକଟ ମାନ ମାରିଛି । ପୁଣି ତୋଳିଧରି ଗେଲ କରିଛି, ଲୁହ ପୋଛିଛି । ଏଇ ହାତ ଏ ସଂସାରର ମଇଳା ଆବର୍ଜନା ଉଠେଇଛି । ଜଣଜଣ କରି ସଭିଙ୍କ ମନଜାଣି ଖାଦ୍ୟ ପରଷିଛି । ସଭିଙ୍କ କଲ୍ୟାଣ ପାଇଁ ଏଇ ହାତ ଦୀପ ଜାଳିଛି, ଚନ୍ଦନ ଘୋରିଛି – ଠାକୁର ପୂଜିଛି – ଏ ଘରର ପ୍ରତିଟି ଧୂଳିକଣାରେ ମା’ର ହାତଛାପ ଦିଶିଯାଉଛି । କ’ଣ ନକରିଛି ମା’ର ଏଇ ହାତ ଏଇ ସାନ ସଂସାରଟିକୁ ବଡ଼ କରି ଠିଆ କରିବା ପାଇଁ । ଏବଂ – ଏବଂ ଏଇ ହାତ ଲେଖିଚି ପ୍ରେମପତ୍ର ! କ’ଣ ହୋଇଗଲା ସେଇଠୁ ? ଯୋଉ ହାତ ଏତେ କାରୁକାର୍ଯ୍ୟରେ ସଂସାର ମଣ୍ଡିଲା, ଖଣ୍ଡିଏ ପ୍ରେମପତ୍ର ଲେଖି ସେ ହାତ କ’ଣ ଅପବିତ୍ର ହୋଇଗଲା ? ଏତେଦିନ ଧରି ଏମିତି ଏକ ଧାରଣାରେ କାହିଁକି ଘାଣ୍ଟିହେଲା ରିମା ? କାହିଁକି ଭିତରେ ଭିତରେ ତ ମା’ର ଅଜାଣତରେ ମା’ ସାମ୍ନାରେ ପାଚିରିଟିଏ ଠିଆକଲା ? ମା’ କ’ଣ ଜାଣିପାରିଥିବ ଝିଅର ଭାବନା ଓ ଦୁଃଖ ପାଇଥିବ ? ସନ୍ତାପରେ ସଢ଼ିଥିବ ଅଥଚ ସହଣିକ ଗୁଣରେ ସବୁ ପଛକୁ ପକେଇ ସ୍ନେହ ଆଶୀର୍ବାଦ ଢାଳି ଚାଲିଥିବ?…

ଅକସ୍ମାତ୍ ମା’ର ପ୍ରେମପତ୍ର କଥା ରିମାର ସ୍ମରଣକୁ ଆସିଲା । କେତେକାଳ ବିତିଗଲାଣି ଏ ଭିତରେ । ମା’ ହୁଏତ ପ୍ରେମପତ୍ରଟି ଠିକଣା ଲୋକ ପାଖକୁ ପଠାଇ ଦେଇଥିବ । ଚିଠିଟା ସେ ଥାକରେ ନଥିଲେ ଇ ଏଣିକି ମଙ୍ଗଳ । ରିମା ଏତେବର୍ଷ ପରେ ମା’ର ଆଲମିରା ଖୋଲି ଥାକ ଅଣ୍ଡାଳିଲା । ମା’ ଆଉ ନାହିଁ – ପ୍ରେମପତ୍ର ଯୋଉଠି ଥିଲା ସେଇଠି ଅଛି । କେତେ ସୁନ୍ଦର ମା’ର ଅକ୍ଷର, ମା’ର ମୁହଁ ଭଳି, ମା’ର ସ୍ନେହ ଆଉ ଆଂକାକ୍ଷା ଭଳି । ମା’ ମରି ଶୋଇଛି । ଅକ୍ଷର ଅମର । ମା’ର ପ୍ରେମ ଅମର ।

ଆଉଥରେ ଚିଠିଟା ଉପରେ ଆଖି ପକାଇ ଆଣୁ ଆଣୁ ଆଖି ଲୁହରେ ରିମାର ଡୋଳା ଉବୁଟୁବୁ ହେଲା । ଅକ୍ଷର ଦିଶିଲାନି । ରିମାର ମା’ ଯଦି କବିଟିଏ ହୋଇଥାନ୍ତା ତେବେ ଏଇ ପ୍ରେମପତ୍ରଟି କବିତାଟିଏ ଭାବରେ ଆଦୃତ ହୋଇପାରିଥାନ୍ତା । ରିମାର ମା’ ଯଦି ଗଳ୍ପକାର ହୋଇଥାନ୍ତା ତେବେ ଏଇ ପ୍ରେମପତ୍ରଟି ହୋଇଥାନ୍ତା ଏକ ଅନନ୍ୟ ପ୍ରେମଗଳ୍ପର କିୟଦଂଶ । ରିମାର ମା’ ଚିତ୍ରଶିଳ୍ପୀଟିଏ ହୋଇଥିଲେ ଏଇ ପ୍ରେମପତ୍ରର ପ୍ରତିଟି ଶବ୍ଦ ହୋଇଥାନ୍ତା ଏକ ଅନନ୍ୟ ଚିତ୍ରକଳାର ପ୍ରତୀକ ।

ଅଥଚ ସୁରମା ନା ଥିଲା କବି ନା ଥିଲା କଥାକାର, ନା ଥିଲା ଶିଳ୍ପୀ ! ସେ ଥିଲା ଚୁଚ୍ଛା ମା’ଟିଏ । ତେଣୁ ରିମା ପ୍ରେମପତ୍ରଟିକୁ ଗଳ୍ପ ବା କବିତା ଭାବିବାର ଯୁକ୍ତି ଥିଲା କେଉଁଠି ? ଯାହାକୁ ପ୍ରେମପତ୍ରର ଆଖ୍ୟା ଦିଆଯାଏ, ସେଗୁଡ଼ିକ କ’ଣ ମନର କବିତା ନୁହେଁ – ଆତ୍ମାର ଆଖ୍ୟାୟିକା ନୁହେଁ ? ସବୁ ପ୍ରେମପତ୍ରର ନାୟକ କ’ଣ ସନ୍ଦେହ ପ୍ରେମିକଟିଏ ହେବାକୁ ବାଧ୍ୟ । ସବୁ ପ୍ରେମପତ୍ରର କ’ଣ ଡାକ ଠିକଣା ଥାଏ ? ଆପଣା ଭିତରେ କିଏ ବାନ ନଲେଖେ ପ୍ରେମ କବିତା ? ହୁଏତ ବେହିସାବି ଭାବପ୍ରବଣତାରେ କେହି କେହି ରିମା ଭଳି ବା ତା’ର ମା’ ସୁରମା ଭଳି ମନର କବିତାକୁ ହାତକାଟି ଶବ୍ଦରେ ସାକାର କରିପକାନ୍ତି ଏବଂ ଖୋଜି ହେଉଥାନ୍ତି ଜୀବନସାରା ପ୍ରାପ୍ତେଷୁ- କିଏ – କିଏ ? ତା’ରି ଭଳି ମା’ର କେହି ସନ୍ଦେହ ପ୍ରେମିକ ନଥିଲେ, ଏଇ ସିଦ୍ଧାନ୍ତରେ ପହଞ୍ଚିବା ପରେ ରିମା ମା’ର ପ୍ରେମପତ୍ରଟିକୁ କେଉଁ ଏକ ଅଜଣା ପତ୍ରିକାର ପ୍ରେମ କବିତା ବିଭାଗରେ ଛଦ୍ମ ନାମରେ ଛାପିଦେବ ବୋଲି ସ୍ଥିର କଲା । ସାଇତି ରଖିଲା କିତାର ପଂକ୍ତି ସବୁ ନିଜ ଛାତିତଳେ ଏବଂ ବଞ୍ଚିଥିବାତକ ଚିରକାଳ ରିମା ପାଇଁ ଦୁକୁଦୁକୁ ହେଉଥିବା ମା’ର ନିଦକ ମଲା ଛାତି ଉପରେ ଲୋଟିଯାଇ ରିମା ତା’ର ଆତ୍ମାକୁ ଓଜାଡ଼ିଦେଲା ମା’ ଛାତିରେ । ରିମାର ଛାତି ଭାରରେ ମଝି ପାଚିରୀଟା ଭାଙ୍ଗି ଚୁର୍‌ମାର୍ ହୋଇ ରକ୍ତ ବହିଯାଉଛି ଝର ଝର ରିମାର ଆଖି ଫଟେଇ ।

ପ୍ରତିଭା ରାୟଙ୍କ ଆହୁରି ଚମତ୍କାର ଗପସବୁ ପଢ଼ିବାକୁ ଚାହୁଁଥିଲେ ଏହି ଲିଙ୍କରେ ଯାଇ ଆମାଜନରୁ ମଗାଇନିଅନ୍ତୁ ତାଙ୍କର ଶ୍ରେଷ୍ଠ ଗଳ୍ପ