Latest Odisha News

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି : ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ରାଜ୍ୟ ନିର୍ବାଚନ କମିଶନର

ଭୁବନେଶ୍ବର : ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତିକୁ ଜୋରଦାର କଲେ ରାଜ୍ୟ ନିର୍ବାଚନ ଆୟୋଗ । ଆସନ୍ତା ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ପଞ୍ଚାୟତିରାଜ ବିଭାଗ ଦ୍ବାରା ଗତ ୪ ତାରିଖରେ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ବାଚନ ନେଇ ଚିଠି ଲେଖାଯାଇଥିଲା । ସେହି ଅନୁସାରେ ଜିଲ୍ଲାପାଳମାନେ ସଂପୃକ୍ତ ଜିଲ୍ଲାର ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡ ପରିସୀମା ନିର୍ଦ୍ଧାରଣ ଓ ପଦ ସଂରକ୍ଷଣ କାର୍ଯ୍ୟ ସମାପ୍ତ କରିବେ । ଆସନ୍ତା ୨୬ ସୁଦ୍ଧା ରାଜ୍ୟ ନିର୍ବାଚନ କମିଶନଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ତାଲିକା ଜିଲ୍ଲାପାଳମାନେ ସ୍ୱତନ୍ତ୍ର ବାର୍ତ୍ତାବହ ଜରିଆରେ ନିର୍ବାଚନ କମିଶନଙ୍କୁ ପଠାଇବାକୁ କୁହାଯାଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ସମସ୍ତ ଜିଲ୍ଲାପାଳଙ୍କୁ ପଦ ସଂରକ୍ଷଣ ତଥ୍ୟ ନିର୍ଦ୍ଧାରିତ ପ୍ରୋଫର୍ମାରେ ସ୍ବତନ୍ତ୍ର ବାର୍ତ୍ତାବହ ଜରିଆରେ ୨୬ ସୁଦ୍ଧା ନିର୍ବାଚନ କମିଶନଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ପଞ୍ଚାୟତ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ବାଲାଟ୍‌ ବକ୍ସ ସଂପର୍କରେ ନିର୍ବାଚନ କମିଶନର ଆଲୋଚନା କରିଛନ୍ତି । ପ୍ରତ୍ୟେକ ଜିଲ୍ଲାରେ କେତେ କେତେ ବାଲାଟ୍‌ ବକ୍ସ ଦରକାର ହେବ, ଜିଲ୍ଲାସ୍ତରରେ କେତେ ବାଲାଟ୍‌ ବକ୍ସ ଅଛି, ସେ ସଂପର୍କରେ କମିଶନ ଜାଣିବାକୁ ଚାହିଁଛନ୍ତି । ପଞ୍ଚାୟତ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ବାଲାଟ୍‌ ବକ୍ସର ମରାମତି ଓ ରଙ୍ଗ କରାଇବା ପାଇଁ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଏଥି ନିମନ୍ତେ ୧ କୋଟି ୧୬ ଲକ୍ଷ ଟଙ୍କା ଜିଲ୍ଲାଗୁଡ଼ିକୁ ପ୍ରଦାନ କରାଯାଇଛି । ୧୫ ନଭେମ୍ବର ସୁଦ୍ଧା ଏ ସମସ୍ତ କାର୍ଯ୍ୟ ସଂପନ୍ନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ନିର୍ବାଚନ ପରେ ଭୋଟଗଣତି ସମ୍ପର୍କରେ ନିର୍ବାଚନ କମିଶନ ଏକ ବିସ୍ତୃତ ନିୟମାବଳୀ ଜାରି କରିଛନ୍ତି । ଜିଲ୍ଲାପାଳମାନେ ବ୍ଲକ୍‌ ମୁଖ୍ୟାଳୟରେ ଭୋଟଗଣତି କେନ୍ଦ୍ର ଚିହ୍ନଟ ସହ ପ୍ରସ୍ତୁତ କରି ରଖିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ନିର୍ବାଚନ କମିଶନ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ନିମନ୍ତେ ଜାନୁଆରୀ ୨୦୨୧ରେ ପ୍ରକାଶ ପାଇଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ତାଲିକା ସମସ୍ତ ଜିଲ୍ଲାଗୁଡ଼ିକୁ ସି.ଡ଼ି (ଏକ୍ସଲ୍‌ ଫର୍ମାଟ୍‌) ଜରିଆରେ ପଠାଯାଇଛି । ଏଥର ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ବ୍ଲକ ମୁଖ୍ୟାଳୟରେ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ଜିଲ୍ଲାପାଳ ଭୋଟ ଗଣତି ସମ୍ପର୍କରେ ଜାରି କରାଯାଇଥିବା ବିସ୍ତୃତ ନିୟମାବଳୀକୁ ଅନୁଧ୍ୟାନ କରିବା ପାଇଁ କମିଶନଙ୍କ ତରଫରୁ କୁହାଯାଇଛି ।

ଏହାକୁ ଆଧାର କରି ଜିଲ୍ଲା ସମୂହ (ଏକ୍ସେଲ ଫର୍ମାଟ)ରେ ଆସନ୍ତା ୨୦୨୨ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ନିଯୁକ୍ତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି । ଏହି କାର୍ଯ୍ୟ ଆସନ୍ତା ୨୫ ସୁଦ୍ଧା ସମାପ୍ତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ କମିଶନଙ୍କ ପକ୍ଷରୁ ପଞ୍ଚାୟତ ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ କେନ୍ଦ୍ର ଚିହ୍ନଟ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଜଣାଇ ଦିଆଯାଇଛି । ଏହି କାର୍ଯ୍ୟ ନଭେମ୍ବର ୫ ତାରିଖ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଠାରେ ଭୋଟ ଗ୍ରହଣ ନିମନ୍ତେ ସୁବିଧା ନଥିବ, ସେଠାରେ ଅସ୍ଥାୟୀ ଭୋଟ ଗ୍ରହଣ କେନ୍ଦ୍ର ନିର୍ମାଣ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳମାନେ ଏଥି ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି ।

ଜିଲ୍ଲାସ୍ତରରେ ବାଲାଟ ବକ୍ସ କଭର କିଣିବା ପାଇଁ କମିଶନ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି କାର୍ଯ୍ୟ ନଭେମ୍ବର ୩୦ ସୁଦ୍ଧା ଶେଷ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟ କଲାବେଳେ ଆବଶ୍ୟକ ନିର୍ଦ୍ଦେଶାବଳୀକୁ ଅନୁପାଳନ କରିବାକୁ ହେବ ବୋଲି କମିଶନ ସ୍ପଷ୍ଟ କରିଛନ୍ତି । ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ନିର୍ବାଚନ କମିଶନଙ୍କ ସହ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ, ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ର ନାଥ ସାହୁ, ଉପସଚିବ ଆଜାଦ୍ ହିନ୍ଦ ପାଣିଗ୍ରାହୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.